ଲକଡାଉନ ହେଲେ ପ୍ରତି ସପ୍ତାହରେ ଦେଶରେ ଏତିକି କୋଟି ଟଙ୍କାର ହେବ କ୍ଷତି

ଯଦି ଲକଡାଉନ ହୁଏ....

ନୂଆଦିଲ୍ଲୀ: ଦେଶରେ କରୋନା ହାଲ ସଙ୍ଗୀନ ହେଲାଣି। ସ୍ଥିତି ଏମିତି ହେଲାଣି ଯେ, ଅନେକ ରାଜ୍ୟରେ ନାଇଟ୍‌ କର୍ଫ୍ୟୁ ଲାଗୁ କଲେଣି ରାଜ୍ୟ ସରକାର। ଆଉ କେହି କେହି ରାଜ୍ୟରେ ପୁଣି ଥରେ ଲକଡାଉନ କରିବା ପରି ଚରମ ନିଷ୍ପତ୍ତି ନେବାକୁ ଚିନ୍ତା କରୁଛନ୍ତି। ପୂର୍ବବର୍ଷ ପରି ଚଳିତ ଥର ମଧ୍ୟ ଜାତୀୟ ସ୍ତରୀୟ ଲକ୍‌ଡାଉନ୍ ଘୋଷଣା ହେବାର ଆଶଙ୍କା ସୃଷ୍ଟି ହୋଇଛି। ଅବଶ୍ୟ କେନ୍ଦ୍ର ସରକାର ସ୍ପଷ୍ଟ ଭାବେ କହିଛନ୍ତି ଯେ ଲକ୍‌ଡାଉନ୍ ହେବ ନାହିଁ। କିନ୍ତୁ କରୋନା ଯେପରି ଭାବରେ ବଢିଚାଲିଛି ତାହାକୁ ଦେଖିଲେ ଲକଡାଉନ ଓ ସଟଡାଉନ୍‌ ପରି ଚରମ ନିଷ୍ପତ୍ତି ନେଇପାରନ୍ତି କେନ୍ଦ୍ର ସରକାର।

କାରଣ କରୋନାକୁ ରୋକିବାକୁ ହେଲେ କେବଳ ଲକଡାଉନ ଓ ସଟଡାଉନ ହିଁ ବିକଳ୍ପ ଥିବା କୁହାଯାଉଛି। କିନ୍ତୁ ପୁଣି ଥରେ ଯଦି କେନ୍ଦ୍ର ସରକାର ଲକଡାଉନ କିମ୍ବା ସଟଡାଉନ କରିବାକୁ ନିଷ୍ପତ୍ତି ନିଅନ୍ତି ତେବେ ଦେଶର ଅର୍ଥନୀତି ଭୟଙ୍କର ଭାବରେ ପ୍ରଭାବିତ ହେବ। ଏମିତି ଏକ ସଂସ୍ଥା ଅନୁମାନ କରିଛି ଯେ, ଯଦି ଦେଶରେ ପୁଣି ଥରେ ଲକଡାଉନ କିମ୍ବା ସଟଡାଉନ ହୁଏ ତାହାଲେ ପ୍ରତି ସପ୍ତାହରେ ଦେଶରେ ୯୨୫୦ କୋଟି ଟଙ୍କାର କ୍ଷତି ହେବ। କେବଳ ଏତିକି ନୁହେଁ ବରଂ ଜିଡିପି ମଧ୍ୟ ୧.୪୦ ପ୍ରତିଶତରୁ ଅଧିକ ହ୍ରାସ ହୋଇପାରେ।

ଏହାସହ ସମ୍ପୃକ୍ତ ସଂସ୍ଥା ଆକଳନ କରିଛି ଯେ, କରୋନା ପାଇଁ ଦେଶର ଅନେକ ରାଜ୍ୟରେ ଏବେଠୁ କଟକଣା ଲାଗୁ ହେଲାଣି। ଯାହା ଫଳରେ ଆଗାମୀ ଦିନରେ ଏଥିଲାଗି ମଧ୍ୟ ଦେଶର ଅର୍ଥନୀତି ଗମ୍ଭୀର ଭାବରେ ପ୍ରଭାବିତ ହେବ। ପାଖାପାଖି ୭୮ ହଜାର କୋଟି ଟଙ୍କାର କ୍ଷତି ହେବ। ଭାରତରେ ସଂକ୍ରମଣ ହାର ଏମିତି ଭାବରେ ବଢିବାରେ ଲାଗିଛି ଯେ, ପୂର୍ବବର୍ଷ ତୁଳନାରେ ଏହା ଢେର ଅଧିକ ରହୁଛି। କରୋନା ସଂକ୍ରମଣର ୨ୟ ଲହରରେ ଆଠଟି ରାଜ୍ୟରେ ସଂକ୍ରମଣ ଅଧିକ ରହିଛି। ମହାରାଷ୍ଟ୍ର ଅଧିକ ପ୍ରଭାବିତ ହୋଇଛି । ଯେଉଁ ସବୁ ରାଜ୍ୟଗୁଡ଼ିକରେ କରୋନା ସଂକ୍ରମଣ ବଢ଼ୁଛି ସେହି ସବୁ ରାଜ୍ୟ ହେଉଛି ଦେଶର ପ୍ରମୁଖ ଆର୍ଥିକ କେନ୍ଦ୍ର ସ୍ଥଳ ।

କରୋନା ମହାମାରୀର ମୁକାବିଲା ଲାଗି ଗତବର୍ଷ ମାର୍ଚ୍ଚ ୨୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସର୍ବଭାରତୀୟ ଲକ୍‌ଡାଉନ୍ ଘୋଷଣା କରିଥିଲେ ଯାହା ମେ’ ୩ ପର୍ଯ୍ୟନ୍ତ ରହିଥିଲା କିନ୍ତୁ ପରେ ବି ଅନେକ ରାଜ୍ୟରେ କରୋନା ପାଇଁ ଲକଡାଉନ ଓ ସଟଡାଉନ ହୋଇଥିଲା।  କରୋନା ଭାଇରସ ସଂକ୍ରମଣ ପ୍ରତିଦିନ ନୂଆ ରେକର୍ଡ କରୁଛି। ଡାକ୍ତରମାନେ କରୋନାର ଦ୍ୱିତୀୟ ଲହରକୁ ନେଇ ଯେଉଁ ପୂର୍ବନୁମାନ କରିଥିଲେ ତା‘ଠାରୁ କାହିଁ କେତେ ଅଧିକ ଭୟଙ୍କର ରୂପ ନେଇ ଆସିଛି ମହାମାରୀ। ଦେଶର ସବୁ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ହୁ ହୁ ହୋଇ ବଢୁଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ପାର କରିଛି।

You might also like