ଦିଲ୍ଲୀ ଏମ୍ସରୁ ପ୍ରଥମ ପର୍ଯ୍ୟାୟ କରୋନା ଟିକାକରଣ ଆରମ୍ଭ

ଏମ୍ସରୁ ଟିକାକରଣ ଆରମ୍ଭ

ନୂଆଦିଲ୍ଲୀ: ଦିଲ୍ଲୀ ଏମ୍ସରୁ ପ୍ରଥମ ପର୍ଯ୍ୟାୟ କରୋନା ଟିକାକରଣ ଆରମ୍ଭ ହୋଇଛି। ଜଣେ ଚତୃର୍ଥ ଶେଣ୍ରୀ କର୍ମଚାରୀ ଟିକା ନେବା ପରେ ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ ଟିକା ନେଇଛନ୍ତି। କରୋନା ଯୋଦ୍ଧା ଭାବେ ଟିକାକରଣ ପ୍ରକ୍ରିୟାରେ ଗୁଲେରିଆଙ୍କ ସମେତ ଅନ୍ୟ ଡାକ୍ତର ବି ଟିକା ନେଇଛନ୍ତି । ତେବେ ଏହି ଟିକା ନେବା ସମୟରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ଓ କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।  ବିଶ୍ୱର ସବୁଠୁ ବଡ଼ ଟିକାକରଣ କାର୍ଯ୍ୟକ୍ରମକୁ ସୁରୁଖୁର ଓ ସୁବନ୍ଦୋବସ୍ତରେ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ଦେଶର ସମସ୍ତ ସ୍ୱାସ୍ଥ୍ୟକର୍ମୀ ଏଥିପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି ଡାକ୍ତର ହର୍ଷବର୍ଦ୍ଧନ କହିଛନ୍ତି।

ଏପଟେ, ରାଜ୍ୟରେ ବି ଟିକାଦାନ ଆରମ୍ଭ ହୋଇଛି। ରାଜ୍ୟରେ୧୧ଟା ୦୫ରୁ କରୋନା ଟିକାକରଣ ଆରମ୍ଭ ହୋଇଛି । କ୍ୟାପିଟାଲ ହସ୍ପିଟାଲରେ ଟିକାକରଣ ଆରମ୍ଭ ହୋଇଥିବା ନେଇ ସୂଚନା ଦେଇଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ(ସ୍ୱାସ୍ଥ୍ୟ ବିଭାଗ) ପ୍ରଦୀପ୍ତ ମହାପାତ୍ର । ପ୍ରଥମେ ଜଣେ ୪ର୍ଥ ଶ୍ରେଣୀର କର୍ମଚାରୀ ଟିକା ନେଇଛନ୍ତି । ବିରଞ୍ଚି ନାଏକ ନାମକ ସଫେଇ କର୍ମଚାରୀଙ୍କୁ କ୍ୟାପିଟାଲ ହସ୍ପିଟାଲରେ ପ୍ରଥମ ଟିକା ଦିଆଯାଇଛି । ଏବଂ ତା’ପରେ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ନେଇଛନ୍ତି କରୋନା ସଞ୍ଜିବନୀ ।

କୋଭିଡ ଯୁଦ୍ଧର ଅନ୍ତିମ ପର୍ଯ୍ୟାୟରେ ରାଜ୍ୟବାସୀ ଉପନୀତ ହୋଇଥିବା ବେଳ ୧୬୧ଟି କେନ୍ଦ୍ରରେ ୧୬ ହଜାର ୧୦୦ ଜଣଙ୍କୁ ଆଜି ଟିକା ଦିଆଯିବାର ଯୋଜନା ରହିଛି । ସେହିପରି  ୨୫ ତାରିଖ ଭିତରେ ୩.୨୮ ଲକ୍ଷ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯିବ ବୋଲି ଜଣାପଡ଼ିଛି ।

ସବୁ ଟିକାକରଣ କେନ୍ଦ୍ରରେ  ୱେଟିଂ ରୁମ,  ଭ୍ୟାକ୍ସିନ୍ ରୁମ୍ ଓ ଅବଜରଭେସନ୍ ରୁମର ବ୍ୟବସ୍ଥା ହୋଇଛି । ପ୍ରତି କେନ୍ଦ୍ରରେ ୫ ଜଣିଆ ଭ୍ୟାକ୍ସିନେସନ୍ ଟିମ୍ ପ୍ରସ୍ତୁତ ଅଛନ୍ତିା  ତେବେ ଟିକାକରଣକୁ ନେଇ କୌଣସି ପ୍ରଶ୍ନ ବା ସହାୟତାର ଆବଶ୍ୟକତା ଥିଲେ ସ୍ୱାସ୍ଥ୍ୟ ସହାୟତା ନମ୍ବର ୧୦୪ କିମ୍ବା ୧୦୭୫ ନମ୍ବରରେ ଫୋନ୍ କରିପାରିବେ ।

ଟିକାକରଣ ପାଇଁ ପ୍ରତି ଜିଲ୍ଲାକୁ କେନ୍ଦ୍ର ସରକାରଙ୍କ ନୂଆ ଗାଇଡ଼ଲାଇନ୍ ପଠାଯାଇଛି । ଗାଇଡ଼ଲାଇନ୍ ଅନୁଯାୟୀ ୧୮ ବର୍ଷରୁ କମ୍ , ଗର୍ଭବତୀ ଓ ସ୍ତନ୍ୟପାନ କରାଉଥବା ମହିଳା, ଅସୁସ୍ଥ ବା ଚିକିତ୍ସାଧୀନଙ୍କୁ ଟିକାକରଣ ବାରଣ ରହିଛି। ଠିକ୍ ସେହିପରି ୧୪ ଦିନ ଭିତରେ ଅନ୍ୟ କିଛି ଟିକା ନେଇଥିବା ବ୍ୟକ୍ତିଙ୍କୁ ମଧ୍ୟ କୋଭିଡ୍ ଟିକା ଦିଆଯିବ ନାହିଁ। କୋଭିଡ ଲକ୍ଷଣ ଥିଲେ ସୁସ୍ଥ ହେବାର ୫ରୁ ୮ ସପ୍ତାହ ପରେ ଯାଇଁ ଟିକା ନେଇ ହେବ ବୋଲି କୁହାଯାଇଛି ।

You might also like