ଭାରତରେ ପହଞ୍ଚିଲା ‘ସ୍ଫୁଟନିକ-ଭି’ ଭ୍ୟାକସିନ

ପହଂଚିଲା ଟିକା

ହାଇଦ୍ରାବାଦ୍‌:ଭାରତକୁ ଆସି ପହଞ୍ଚିଛି ଆଉ ଏକ କରୋନା ଟିକା। ଋ଼ଷିଆ ଟିକା ସ୍ପୁଟନିକ୍-V ଭାରତକୁ ଆସି ପହଞ୍ଚିଛି।  ଆଜି ସ୍ୱତନ୍ତ୍ର ବିମାନରେ ହାଇଦ୍ରାବାଦ୍ ଏୟାରପୋର୍ଟରେ ପ୍ରଥମ ବ୍ୟାଚ୍ ସ୍ପୁଟନିକ୍ ଆସି ପହଞ୍ଚିଛି। କଡ଼ା ସୁରକ୍ଷାବଳୟ ଭିତରେ ଏହାକୁ ବିମାନବନ୍ଦରରୁ ଡାକ୍ତର ରେଡ୍ଡୀ ଲ୍ୟାବକୁ ଅଣାଯାଇଛି । ପରୀକ୍ଷଣ ପରେ ଏହାକୁ ଦେଶର ବିଭିନ୍ନ ସ୍ଥାନକୁ ପଠାଯିବ। ତେବେ ଏହାକୁ ଋ଼ଷିଅନ୍ ଡାଇରେ ଇନ୍ଭେଷ୍ଟମେଣ୍ଟ ଜରିଆରେ ଅଣାଯାଇଛି।

ଏହାର କେତେ ମୂଲ୍ୟ ରହିବ ସେ ନେଇ ପରବର୍ତ୍ତି ସମୟରେ ବିଧିବଦ୍ଧ ନିଷ୍ପତ୍ତି ହେବ। ତାସହ ଏହାକୁ କେନ୍ଦ୍ର ସରକାର ନିଜେ ବଣ୍ଟନ କରିବେ ନା ରାଜ୍ୟ ସିଧାସଳଖ କିଣିବେ ସେ ନେଇ ବି ନିଷ୍ପତ୍ତି ହେବ। ସ୍ପୁଟନିକ୍-V ଭାରତକୁ ଆସିବା ପରେ ତୃତୀୟ ଟିକା ଯାହା ଦେଶରେ କରୋନା ମହାମାରୀ ବିରୋଧରେ ଲଢ଼େଇରେ ସାମିଲ ହେବ। ଏହା କରୋନା ସଂକ୍ରମଣରେ ଅଧିକ ପ୍ରଭାବଶାଳୀ ବୋଲି କମ୍ପାନି ଦାବି କରିଛି।

ତେବେ ଏହାରି ମଧ୍ୟରେ କୋଭିସିଲ୍ଡ ପରେ କମିଛି କୋଭାକ୍ସିନ୍ ଟିକାର ଦର। ୬ ଶହ ଟଙ୍କା ବଦଳରେ ୪ ଶହ ଟଙ୍କାକୁ ହ୍ରାସ ପାଇଲା କୋଭାକ୍ସିନ ଟିକାର ଦାମ। ଏଣିକି ରାଜ୍ୟ ସରକାରଙ୍କୁ ଡୋଜ୍ ପ୍ରତି ୬ ଶହ ବଦଳରେ ୪ ଶହ ଟଙ୍କାରେ ଯୋଗାଇ ଦେବ ଟିକା ପ୍ରସ୍ତୁତକାରୀ ଭାରତ ବାୟୋଟେକ୍ କମ୍ପାନୀ। ତେବେ କମ୍ପାନୀ କେନ୍ଦ୍ର ସରକାରଙ୍କ ଲାଗି ଟିକାର ଦର ୧୫୦ ଟଙ୍କା ଧାର୍ଯ୍ୟ କରିଥିବା ବେଳେ ଘରୋଇ ହସ୍ପିଟାଲଗୁଡ଼ିକୁ ଡୋଜ୍ ପ୍ରତି ୧୨୦୦ ଟଙ୍କାରେ ଯୋଗାଇ ଦେଉଛି।

ଏହାପୂର୍ବରୁ ବୁଧବାର ସେରମ୍ ଇନଷ୍ଟିଚ୍ୟୁଟ୍ ଦ୍ୱାରା ପ୍ରସ୍ତୁତ କୋଭିସିଲ୍ଡ ଟିକାର ଦାମ ରାଜ୍ୟ ସରକାରମାନଙ୍କ ପାଇଁ ୧୦୦ ଟଙ୍କା କମାଯାଇଥିଲା। ଦେଶରେ ଆଜିଠାରୁ ୧୮ରୁ ୪୪ ବର୍ଷ ବୟସ୍କଙ୍କୁ ମାଗଣା ଟିକାକରଣ ପ୍ରକ୍ରିୟାରେ ସାମିଲ କରିବାକୁ ବ୍ୟାପକ ଟିକାର ଆବଶ୍ୟକ ଥିବାରୁ ନିକଟରେ ଟିକାର ଦାମ୍ କମାଇବାକୁ ଉଭୟ କମ୍ପାନୀକୁ ଅନୁରୋଧ କରିଥିଲେ କେନ୍ଦ୍ର ସରକାର।  ସେହି ଅନୁସାରେ ଭାରତରେ ବହୁଳ ଟିକାକରଣ କରାଯାଉଥିବା ଉଭୟ ସେରମ୍ ଓ ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ ଟିକାର ଦାମ୍ କମାଇଛନ୍ତି ଦୁଇ କମ୍ପାନୀ।

ସେପଟେ ଆଜି ଦେଶରେକରୋନା ଭାଇରସର ଦ୍ୱିତୀୟ  ଲହର ଭୟଙ୍କର ରୂପ ନେଇଛି । ସଂକ୍ରମଣର ପ୍ରତିଦିନ ନୂଆ ରେକର୍ଡ ଦେଖିବାକୁ ମିଳୁଛି । କରୋନା ଗ୍ରାଫ ଯେପରି ଉପରମୁହାଁ ହେବାରେ ଲାଗିଛି, ତାହା ସମସ୍ତଙ୍କ ନିଦ ହଜାଇ ଦେଇଛି । ବର୍ତ୍ତମାନ ସୁଦ୍ଧା କରୋନା ସଂକ୍ରମିତଙ୍କ ସଂଖ୍ୟା ଦେଶରେ ଏକ କୋଟି ୯୧ ଲକ୍ଷ ୬୪ ହଜାର ୯୬୯ରେ ପହଞ୍ଚିଲାଣି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪, ୦୧,୯୯୩ ଜଣଙ୍କୁ ମହାମାରୀ ନିଜ କବଜାକୁ ନେଇଛି । ଏହି ସମୟ ମଧ୍ୟରେ ୩୫୨୩ ଜଣଙ୍କର ମୃତ୍ୟୁ ଘଟିଛି ।

You might also like