କରୋନା ଟିକା ଡୋଜ୍ ପିଛା କେନ୍ଦ୍ର ଦେବ ୨୫୦ ଟଙ୍କା

ନୂଆଦିଲ୍ଲୀ: ଘରୋଇ ହସ୍ପିଟାଲରେ ଟିକା ଦର କେନ୍ଦ୍ର ସରକାର ଧାର୍ଯ୍ୟ କରିଛନ୍ତି। ଟିକା ଡୋଜ୍ ପିଛା କେନ୍ଦ୍ର ୨୫୦ ଟଙ୍କା ଦର ରଖିଥିବା ANI ସୂତ୍ରରୁ ସୂଚନା ଦିଆଯାଇଛି।  ଟିକା ପାଇଁ ସର୍ଭିସ ଚାର୍ଜ ୧୦୦ ଟଙ୍କା ଧାର୍ଯ୍ୟ କରଯାଇଥିବା ସୂଚନା ଦିଆଯାଇଛି। ତେବେ ସରକାରୀ ହସ୍ପିଟାଲରେ ଟିକା ସଂପୂର୍ଣ୍ଣ ମାଗଣାରେ ମିଳିବ। ଘରୋଇ କେନ୍ଦ୍ରରେ ଟିକା ଦେବା ପାଇଁ ନିର୍ଦ୍ଦିଷ୍ଟ ଅର୍ଥ ଦେବାକୁ ପଡ଼ିବ। ତେବେ କେତେ ଟଙ୍କା ଦେବାକୁ ପଡ଼ିବ, ୩/୪ ଦିନ ମଧ୍ୟରେ ନିଷ୍ପତ୍ତି ହେବ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡ଼େକର ସୂଚନା ଦେଇଥିଲେ।

ମାର୍ଚ୍ଚ ପହିଲାରୁ ବୟସ୍କମାନଙ୍କୁ ଟିକାକରଣ ଆରମ୍ଭ ହେବ।  ଗତ ଫେବୃଆରୀ ୨୪ରେ ଆୟୋଜିତ ପ୍ରେସମିଟରେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡ଼େକର କହିଥିଲେ ଯେ, ୬୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ କରୋନା ଟିକାକରଣ କରାଯିବ। ବହୁବିଧ ରୋଗାକ୍ରାନ୍ତ ୪୫ ବର୍ଷରୁ ଅଧିକ ବୟସ୍କଙ୍କୁ ବି ଟିକାକରଣ କରାଯିବ। ୧୦ ହଜାର ସରକାରୀ ଓ ୨୦ ହଜାର ଘରୋଇ କେନ୍ଦ୍ରରେ ଟିକାକରଣ କରାଯିବ।ସରକାରୀ କେନ୍ଦ୍ରରେ ଟିକା ମାଗଣାରେ ମିଳିବ ବୋଲି ମନ୍ତ୍ରୀ କହିଥିଲେ।

ଯଦିଓ ସରକାର ବହୁବିଧ ରୋଗର ତାଲିକା ପ୍ରକାଶ କରିନାହାନ୍ତି, କିନ୍ତୁ ଏହି ରୋଗର ତାଲିକାରେ ଉଚ୍ଚ ରକ୍ତଚାପ, ମଧୁମେହ, କର୍କଟ ବ୍ୟତୀତ ହୃଦ ରୋଗ, କିଡନୀ ଭଳି ରୋଗ ସାମିଲ୍ ହୋଇପାରେ। ଏଏନଆଇର ରିପୋର୍ଟ ଅନୁଯାୟୀ ଘରୋଇ ଟିକା କେନ୍ଦ୍ରରେ ଟିକା ନେଲେ ଗୋଟିଏ ଡୋଜର ଦାମ ୨୫୦ ଟଙ୍କା ହେବ। ଯେଉଁଥିରେ ଅତିରିକ୍ତ ୧୦୦ ଟଙ୍କା ଦେୟ ମିଶିଛି। ସୂଚନାଯୋଗ୍ୟ ଶୁକ୍ରବାର ପର୍ଯ୍ୟନ୍ତ ଦେଶର ସ୍ୱାସ୍ଥ୍ୟ କର୍ମୀ ଏବଂ ଫ୍ରଣ୍ଟଲାଇନ କର୍ମଚାରୀଙ୍କୁ ମିଶାଇଲେ ମୋଟ୍ ୧.୩୭ କୋଟିରୁ ଅଧିକ ଡୋଜ୍ ଦିଆଯାଇଛି।

You might also like