ଖୁବଶୀଘ୍ର ଛୋଟ ପିଲାଙ୍କୁ ଦିଆଯିବ କରୋନା ଟିକା, ପରୀକ୍ଷଣ ପାଇଁ ଆରମ୍ଭ ହେଲାଣି ପ୍ରସ୍ତୁତି

ନୂଆଦିଲ୍ଲୀ:  ଛୋଟ ପିଲାଙ୍କ ପାଇଁ କରୋନା ଟିକା ପ୍ରସ୍ତୁତି ଦିଗରେ ତତ୍ପରତା । ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ କରୋନା ଟିକା କୋଭାକ୍ସିନକୁ ପିଲାମାନଙ୍କ ଉପରେ ଟ୍ରାଏଲ କରାଯିବ । ଆସନ୍ତା ୧୦ରୁ ୧୨ ଦିନ ଭିତରେ ୨ରୁ ୧୮ ବର୍ଷର ପିଲାମାନଙ୍କ ଶରୀରରେ ଏହି ଟିକାର ପରୀକ୍ଷଣ ହେବ ବୋଲି ନିତି ଆୟୋଗ ସଦସ୍ୟ ଭି.କେ.ପଲ ସୂଚନା ଦେଇଛନ୍ତି । କୋଭାକ୍ସିନର ୨ୟ ଓ ୩ୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ ଆରମ୍ଭ କରିବାକୁ DCGI ଅନୁମତି ଦେଇଛନ୍ତି । ପୂର୍ବରୁ ଏକ୍ସପର୍ଟ କମିଟି ଦ୍ୱାରା ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ ଏହି ପ୍ରସ୍ତାବ ଦିଆଯାଇଥିଲା । ବିଶ୍ୱର ଅନେକ ଦେଶ ଏବେବି ଶିଶୁଙ୍କ ଉପରେ ଟିକା ଟ୍ରାଏଲକୁ ଅନୁମୋଦନ କରିନାହାନ୍ତି । ତେବେ ଏହା ପୂର୍ବରୁ ଫାଇଜର ଟିକାକୁ ୧୨ରୁ ୧୫ ବର୍ଷ ପିଲାଙ୍କୁ ଦେବା ପାଇଁ ଆମେରିକା, କାନାଡା, ସିଂଗାପୁର ପ୍ରଭୃତି ଦେଶରେ ଅନୁମତି ଦିଆଯ଼ାଇଥିଲା ।

ଅନ୍ୟପଟେ ଭାରତ ପରେ ସିଙ୍ଗାପୁରକୁ ଡରାଇଲାଣି କରୋନାର ନୂଆ ଷ୍ଟ୍ରେନ୍ B.1.617 । ଭାରତରେ ଦ୍ୱିତୀୟ ଲହର ପଛରେ ଏହି ଭାରିଆଣ୍ଟର ପ୍ରମୁଖ ଭୂମିକା ଥିବା ଆଶଙ୍କା କରାଯାଉଥିବା ବେଳେ ସିଙ୍ଗାପୁରରେ ବି ହଠାତ୍ ସଂକ୍ରମଣ ହାରକୁ ବଢ଼ାଇଛି ଏହି ନିର୍ଦ୍ଦିଷ୍ଟ ଷ୍ଟ୍ରେନ୍ । ସିଙ୍ଗାପୁରରେ ପ୍ରାୟ ବର୍ଷେ ପରେ, ଗତ ରବିବାର ୩୮ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଭିନ୍ନ ଭିନ୍ନ ସ୍ଥାନର ୬ଜଣ B.1.617 ଭାରିଆଣ୍ଟ୍ ଦ୍ୱାରା ସଂକ୍ରମିତ ଥିବା ସରକାରୀ ସୂତ୍ରରୁ କୁହାଯାଇଛି । ସେମାନଙ୍କ ବୟସ ୨୯ରୁ ୫୭ ବର୍ଷ ଭିତରେ ହେବ ।

ତେଣୁ ଏହି ଷ୍ଟ୍ରେନ୍ କମ୍ ବୟସ୍କଙ୍କୁ ଅଧିକ ସଂକ୍ରମିତ କରିବ ବୋଲି ଆଶଙ୍କା କରୁଛି ସିଙ୍ଗାପୁର । ସେଥିପାଇଁ ବୁଧବାରଠାରୁ ଦେଶର ସମସ୍ତ ପ୍ରାଇମେରି ଓ ସେକେଣ୍ଡାରୀ ସ୍କୁଲ ସହିତ ଜୁନିଅର କଲେଜକୁ ବି ବନ୍ଦ ଘୋଷଣା କରାଯାଇଛି । ତେବେ ଭାରତରେ ଏହି ଷ୍ଟ୍ରେନ୍ ପିଲାଙ୍କ କ୍ଷେତ୍ରରେ ସେଭଳି ମାରାତ୍ମକ ହୋଇନି ଏବଂ ଏହା ଉପରେ ଅଧିକ ଗବେଷଣା ଜାରି ରହିଥିବା କହିଛନ୍ତି ନୀତି ଆୟୋଗ ସ୍ୱାସ୍ଥ୍ୟ ସଦସ୍ୟ ଭି.କେ. ପଲ ।

You might also like