କୁନି ଶିଶୁକୁ କ୍ଷୀର ଦେବା ପାଇଁ ଟ୍ରେନ୍ ପଛରେ ଦୌଡ଼ିଲେ କନେଷ୍ଟବଳ

ଭୋପାଳ: ମାନବିକତା ଦେଖାଇଲେ ଆରପିଏଫ୍ କନେଷ୍ଟବଳ। ରେଲୱେ ଷ୍ଟେସନରେ ଦୌଡି ଦୌଡି ସେ ଜଣେ ମହିଳା ଯାତ୍ରୀଙ୍କୁ କ୍ଷୀର ଯୋଗାଇ ଦେଇଛନ୍ତି। ଉତ୍ତରପ୍ରଦେଶର ଗୋରଖପୁର ଯାଉଥିବା ଏକ ଟ୍ରେନ୍ ଭୋପାଳ ଷ୍ଟେସନରେ କିଛି ସମୟ ପାଇଁ ଅଟକି ଥିଲା। ଏହି ସମୟରେ ସାଫିଆ ହାସମି ନାମକ ଜଣେ ମହିଳା ଚାରିବର୍ଷର ଶିଶୁ ପାଇଁ କ୍ଷୀର ଯୋଗାଇ ଦେବାକୁ ଆରପିଏଫ୍ କନେଷ୍ଟବଳ ଇନ୍ଦର ସିଂ ଯାଦବଙ୍କୁ ଅନୁରୋଧ କରିଥିଲେ।

ଇନ୍ଦର ସିଂ କ୍ଷୀର ସଂଗ୍ରହ କରି ଆଣିବା ବେଳକୁ ଟ୍ରେନଟି ଭୋପାଳ ଷ୍ଟେସନ ଛାଡିବା ଆରମ୍ଭ କରିଥିଲା। ଏହାକୁ ଦେଖି କନେଷ୍ଟବଳ ଜଣଙ୍କ ଦୌଡି ଦୌଡି ଚଳନ୍ତା ଟ୍ରେନରେ ମହିଳା ଯାତ୍ରୀଙ୍କୁ କ୍ଷୀର ଦେଇଥିଲେ।

ଗୋଟିଏ ହାତରେ କ୍ଷୀର ପ୍ୟାକେଟ ଧରିଥିବା ବେଳେ ଅନ୍ୟ ହାତରେ ନିଜ ବନ୍ଧୁକକୁ ଧରି ସେ ଦୌଡିଥିଲେ। ଏସବୁ ଘଟଣାର ପୁରା ଭିଜୁଆଲ ସିସିଟିଭିରେ ରେକର୍ଡ ହୋଇଛି।

ଆରପିଏଫ୍ କନେଷ୍ଟବଳ ଇନ୍ଦର ସିଂ ଯାଦବଙ୍କ ଏଭଳି ସାହସିକ ପଦକ୍ଷେପକୁ ରେଳମନ୍ତ୍ରୀ ପିୟୂଷ ଗୋଏଲ ମଧ୍ୟ ପ୍ରଶଂସା କରିବା ସହ ତାଙ୍କ ପାଇଁ ପୁରସ୍କାର ଘୋଷଣା କରିଛନ୍ତି।

You might also like