ଚାଷୀଙ୍କ ସହ ପୁଣି ଆଲୋଚନା କରିବ କେନ୍ଦ୍ର ସରକାର
ଚାଷୀଙ୍କୁ ପୁଣି ଆଲୋଚନା ପାଇଁ ଡାକିଛନ୍ତି କେନ୍ଦ୍ର ସରକାର
ନୂଆଦିଲ୍ଲୀ: ଚାଷୀଙ୍କୁ ପୁଣି ଆଲୋଚନା ପାଇଁ ଡାକିଛନ୍ତି କେନ୍ଦ୍ର ସରକାର। କେନ୍ଦ୍ର କୃଷି ମନ୍ତ୍ରଣାଳୟର ଏହି ଚିଠିରେ ଚାଷୀ ସଂଗଠନମାନଙ୍କୁ ସେମାନଙ୍କ ସୁବିଧା ଅନୁସାରେ ଆଲୋଚନା ପାଇଁ ଆସିବାକୁ କୁହାଯାଇଛି। ପୂର୍ବରୁ କିଛି ସଂଗଠନକୁ କେନ୍ଦ୍ର ଜାଣିଶୁଣି ଭିନ୍ନ ଭିନ୍ନ ତାରିଖରେ ଆଲୋଚନା ପାଇଁ ଡାକି ବିଭାଜନ ସୃଷ୍ଟି କରୁଛି ବୋଲି ଅଭିଯୋଗ କରିଥିଲେ।
ଏହାପରେ ଷଷ୍ଠ ପର୍ଯ୍ୟାୟ ଆଲୋଚନା ପାଇଁ ସେମାନଙ୍କୁ ତାରିଖ ଓ ସମୟ ନିର୍ଦ୍ଧାରଣ କରିବାକୁ ଛାଡ଼ି ଦେଇଛନ୍ତି କେନ୍ଦ୍ର ସରକାର। ସରକାର ଆଲୋଚନା ଦ୍ୱାରା ସମସ୍ୟାର ତର୍କସଙ୍ଗତ ସମାଧାନ ବାହାର କରିବାକୁ ପ୍ରସ୍ତୁତ ଅଛନ୍ତି।
ପୂର୍ବରୁ ମଧ୍ୟ ଆଲୋଚନା ହୋଇଛି ଏବଂ ଆଗକୁ ମଧ୍ୟ ଆଲୋଚନା ପାଇଁ ପ୍ରସ୍ତୁତ ଥିବା ଚିଠିରେ କୁହାଯାଇଛି। ପରବର୍ତ୍ତୀ ପର୍ଯ୍ୟାୟ ବୈଠକର ତାରିଖ ଓ ସମୟ ଜଣାଇବା ସହ ବିଜ୍ଞାନ ଭବନରେ ମନ୍ତ୍ରୀ ସ୍ତରୀୟ କମିଟି ସହ ଆଲୋଚନା ହେବ ବୋଲି ଚିଠିରେ ଉଲ୍ଲେଖ ରହିଛି।
ଅପରପକ୍ଷେ, ଗତକାଲି କେନ୍ଦ୍ର କୃଷି ମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ଉତ୍ତରପ୍ରଦେଶ କିଷାନ ସେନାର ପ୍ରତିନିଧି। ନୂଆ କୃଷି ଆଇନ ସପକ୍ଷରେ ଏମାନେ ମତ ରଖିବା ସହ ଏହାକୁ ପ୍ରତ୍ୟାହାର ନକରିବା କେନ୍ଦ୍ର କୃଷି ମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି।
ଚାଷୀଙ୍କୁ ଆଜି କଣ କହିବେ ମୋଦି?
ଆଜି ପୁଣି ଚାଷୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ୬ଟି ରାଜ୍ୟର ଚାଷୀଙ୍କ ସହ ମୋଦି ନୂଆ କୃଷି ଆଇନ ସଂପର୍କରେ ଆଲୋଚନା କରିବେ। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଜୟନ୍ତୀ ଅବସରରେ ମଧ୍ୟାହ୍ନରେ ଚାଷୀଙ୍କ ସହ ସେ ଭିଡିଓ କନ୍ଫରେନ୍ସ ଆଲୋଚନା କରିବେ ବୋଲି ସୂଚନା ରହିଛି। ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧିର ପରବର୍ତ୍ତୀ କିସ୍ତି ଭାବେ ୧୮ ହଜାର କୋଟି ଟଙ୍କା ଅନୁଦାନର ଶୁଭାରମ୍ଭ ବି କରିବେ।
ଏହାଦ୍ୱାରା ୯ କୋଟି ଚାଷୀ ପରିବାର ଉପକୃତ ହେବେ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଗୃହ ମନ୍ତ୍ରୀ ଅମିତ ଶାହ ଦିଲ୍ଲୀରେ, ଆସାମରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କାରୀ ଏବଂ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜଗତସିଂହପୁରରୁ ଏହି କାର୍ଯ୍ୟକ୍ରମରେ ଯୋଗଦେବେ। ଏହାସହ ବିଭିନ୍ନ ରାଜ୍ୟରୁ କେନ୍ଦ୍ର ମନ୍ତ୍ରୀ, ସାଂସଦ ମାନେ ସାମିଲ ହେବାର ରହିଛି କାର୍ଯ୍ୟକ୍ରମ। ଗତ ମାସରୁ କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନ ବିରୋଧରେ ଉତ୍ତର ଭାରତର ଚାଷୀ ଅସନ୍ତୋଷ ପ୍ରକାଶ କରିବା ସହ ଦିଲ୍ଲୀ ସୀମାରେ ଆନ୍ଦୋଳନରେ ବସିଛନ୍ତି।
ଏହି ଭଳି ମୁହୂର୍ତ୍ତରେ ମୋଦିଙ୍କ ଏହି କାର୍ଯ୍ୟକ୍ରମ ବେଶ ଗୁରୁତ୍ୱବହନ କରୁଛି। ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ମଧ୍ୟପ୍ରଦେଶର ଚାଷୀଙ୍କୁ ସମ୍ବୋଧନ କରି ନୂଆ କୃଷି ଆଇନ ସଂପର୍କରେ ଭରସା ଦେବା ସହ ବିରୋଧୀଙ୍କୁ ସିଧା ନିଶାନା କରିଥିଲେ। ଚାଷୀଙ୍କ ପାଇଁ ଆସିଥିବା ଆଇନ ଲାଗୁ କରିବାକୁ, ପ୍ରଥମେ ସେମାନେ ଚେଷ୍ଟା କରିଥିଲେ। ନିଜ ଘୋଷଣାପତ୍ରରେ ପ୍ରତିଶ୍ରୁତି ଦେଇଥିଲେ। ଆଜି ସେ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଯାଇଛି। ହେଲେ ଶ୍ରେୟ ନମିଳିବା ଭୟରେ ସେମାନେ ଏଭଳି କରୁଥିବା ପ୍ରଧାନମନ୍ତ୍ରୀ କହିଥିଲେ।
ତେବେ ଗତକାଲି କୃଷି ଆଇନକୁ ପ୍ରତ୍ୟାହାର ପାଇଁ କୃଷକମାନଙ୍କ ଆନ୍ଦୋଳନ ଜାରି ରହିଥିବା ବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିଛନ୍ତି। ତାପୂର୍ବରୁ ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ଦିଲ୍ଲୀର ବିଜୟ ଚୌକରେ ବିକ୍ଷୋଭ କରାଯାଇଛି। ଏହାପରେ କଂଗ୍ରେସ ସାଂସଦ ମାନଙ୍କୁ ନେଇ ପ୍ରତିନିଧି ଦଳ ରାଷ୍ଟ୍ରପତିଙ୍କୁ ଭେଟିଛନ୍ତି।
ପ୍ରତିନିଧି ଦଳ ପକ୍ଷରୁ ୨କୋଟି ଦସ୍ତଖତ ଥିବା ଏକ ଦାବିପତ୍ର ଦିଆଯିବାର କାର୍ଯ୍ୟକ୍ରମ ରହିଥିଲା। ଏହାସହ କୃଷି ଆଇନକୁ ପ୍ରତ୍ୟାହାର କରିବା ଦାବିରେ ନଭେମ୍ବର ୨୬ରୁ ବିଭିନ୍ନ କୃଷକ ସଂଗଠନ ପକ୍ଷରୁ ଆନ୍ଦୋଳନ କରାଯାଉଛି। ବିଭିନ୍ନ ପର୍ଯ୍ୟାୟରେ କେନ୍ଦ୍ର ସରକାରଙ୍କ ସହ ଆଲୋଚନା ହୋଇଥିଲେ ମଧ୍ୟ କୌଣସି ନିଷ୍କର୍ସ ବାହାରି ନାହିଁ ।
ନୂଆ କୃଷି ଆଇନ ସଂପର୍କରେ ଚାଷୀଙ୍କୁ ସଚେତନ କରିବାକୁ ବିଜେପିର ପ୍ରୟାସ। ଚାଷୀଙ୍କ ଦ୍ୱନ୍ଦ୍ୱ ଦୂର କରିବା ପାଇଁ କଟକ ଜିଲ୍ଲା ଆଠଗଡ଼ ମିନି ଷ୍ଟାଡିୟମରେ ବିଜେପି ପକ୍ଷରୁ କୃଷକ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଏଥିରେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି, ରାଷ୍ଟ୍ରୀୟ କିଷାନ ମୋର୍ଚ୍ଚା ସାଧାରଣ ସଂପାଦକ ପି. ସୁଗୁନାକର ରାଓ, କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତ ଓ କଟକ ଜିଲ୍ଲା ସଭାପତି ପ୍ରକାଶ ବେହେରା ପ୍ରମୁଖ ଯୋଗ ଦେଇଥିଲେ।
ଏହି ଅବସରରେ କଂଗ୍ରେସ ନୂଆ କୃଷି ଆଇନକୁ ନେଇ ରାଜନୀତି କରୁଥିବା ଅଭିଯୋଗ କରିଛନ୍ତି ଦଳର ବରିଷ୍ଠ ନେତୃବୃନ୍ଦ। ଏହି ଅବସରରେ ଆଠଗଡ଼ରେ ହୋଇଥିବା ସମବାୟ ଦୁର୍ନୀତି ପ୍ରସଙ୍ଗ ଉଠାଇବା ସହ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି। ଦୁର୍ନୀତି ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଦଳ ରାଜରାସ୍ତାକୁ ଓହ୍ଲାଇବ ବୋଲି ସେ ଚେତାବନୀ ଦେଇଛନ୍ତି। ତେବେ ଏନେଇ ରାଜ୍ୟ ସରକାର କିମ୍ବା ଶାସକ ଦଳର ପ୍ରତିକ୍ରିୟା ମିଳିପାରି ନାହିଁ ।