ନୂଆ ଚାଷୀ ଆଇନ ପ୍ରତ୍ୟାହର ସପକ୍ଷରେ ନାହାନ୍ତି କେନ୍ଦ୍ର ସରକାର

ନୂଆଦିଲ୍ଲୀ : କେନ୍ଦ୍ରର କୃଷି ଆଇନ୍ ବିରୋଧରେ ଚାଷୀଙ୍କ ଆନ୍ଦୋଳନ ୨୦ ଦିନରେ ପହଁଚିଥିବା ବେଳେ ଆଜି ପୁଣି ଆଇନ ସପକ୍ଷରେ ଯୁକ୍ତି ବାଢିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀ କହିଛନ୍ତି, କୃଷି ଆଇନ୍ ନେଇ ବିରୋଧୀ ଦଳ, ଚାଷୀଙ୍କୁ ଭ୍ରମିତ କରୁଛନ୍ତି । ତେବେ ନୂଆ କୃଷି ଆଇନରେ ଫାଇଦା କଣ ଏବଂ ଚାଷୀ ଏହାଦ୍ୱାରା କେତେ ଲାଭବାନ ହେବେ , ସେନେଇ ସରକାର ଚାଷୀଙ୍କ ସହ ଆଲୋଚନା ଜାରି ରଖିବେ ପ୍ରଧାନମନ୍ତ୍ରୀ।

ଆହୁରି ମଧ୍ୟ କହିଛନ୍ତି ଯେ, କେନ୍ଦ୍ର ସରକାର ଚାଷୀଙ୍କୁ ସେମାନଙ୍କ ହକ୍ ପ୍ରଦାନ କରିବାକୁ ସବୁବେଳେ ପ୍ରତିଶ୍ରୁତିବଦ୍ଧ। ଚାଷୀଙ୍କ ହିତ ପାଇଁ ଏହି ଆଇନ ଆଣିଛନ୍ତି ସରକାର। ପ୍ରଧାନମନ୍ତ୍ରୀଙ୍କ ଏଭଳି ମନ୍ତବ୍ୟ ପଛରେ ଗୋଟିଏ କଥା ସ୍ପଷ୍ଟ ଯେ, ଯେଉଁ ଆଇନକୁ ନେଇ ସାରା ଦେଶରେ ତୁମ୍ବିତୋଫାନ ଚାଲିଛି। ସେହି ଆଇନ୍ ପ୍ରତ୍ୟାହାର କରିବା ସପକ୍ଷରେ ନାହାଁନ୍ତି ସରକାର। ଏହାରି ଭିତରେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଛନ୍ତି, ଏମ୍ଏସ୍ପି ବ୍ୟବସ୍ଥା ସରକାରଙ୍କ ନିଷ୍ପତି। ଏହା ପୂର୍ବଭଳି ଜାରି ରହିବ। ସେପଟେ ଦିଲ୍ଲୀ ସୀମାରେ ଆନ୍ଦୋଳନରେ ବସିଥିବା ଚାଷୀ ଜୋରଦାର ପ୍ରତିବାଦ ପାଇଁ ଅଂଟା ଭିଡିଛନ୍ତି। ଆସନ୍ତାକାଲି ଦିଲ୍ଲୀ-ନୋଏଡା ସୀମାକୁ ସମ୍ପୂର୍ଣ୍ଣ ଠପ୍ କରିବାକୁ ଚାଷୀ ଚେତାବନୀ ଦେଇଛନ୍ତି ।

You might also like