ଡୋମିନିକାରେ ଧରାପଡ଼ିଲେ ଆଣ୍ଟିଗୁଆରୁ ଫେରାର ମେହୁଲ ଚୋକସି

ନୂଆଦିଲ୍ଲୀ : ପିଏନବି ସ୍କାମ ମାମଲାରେ ଗତ ଦୁଇ ବର୍ଷ ଧରି ଫେରାର ଥିବା ଅନ୍ୟତମ ଅଭିଯୁକ୍ତ ମେହୁଲ ଚୋକସି ଶେଷରେ ଡୋମିନିକାରେ ଧରାପଡ଼ିଛନ୍ତି । କ୍ୟୁବା ଯିବାପାଇଁ ଚେଷ୍ଟା ଚଳାଉ ଥିବାବେଳେ ଗିରଫ ହୋଇଛନ୍ତି ମେହୁଲ । ଡୋମିନିକାର କାରିବିଆନ୍ ଦେଶରେ ମେହୁଲ ଚୋକସି ଥିବା ଖବର ମିଳିବା ପରେ ସେଠାକାର ପୋଲିସ ତାଙ୍କୁ ଗିରଫ କରିଛି । ଅନେକ ଘଣ୍ଟା ପଚରାଉଚରା ପରେ ତାଙ୍କୁ ଆଣ୍ଟିଗୁଆକୁ ପଠାଇବା ପାଇଁ ପ୍ରସ୍ତୁତି ଚାଲିଛି। ଏଥିପାଇଁ ଇଣ୍ଟରପୋଲର ସାହାଯ୍ୟ ମଧ୍ୟ ନିଆଯାଉଛି।

କିଛି ଦିନ ପୂର୍ବରୁ ଅଚାନକ୍ ଆଣ୍ଟିଗୁଆରୁ ସେ ନିଖୋଜ ହୋଇଯାଇଥିଲେ, ମଙ୍ଗଳବାର ଦିନ ପୁଣି ସେ ଧରାପଡ଼ିଛନ୍ତି । ରାତ୍ରି ଭୋଜନ କରିବାକୁ ଯାଇ ଆଉ ଫେରିନଥିଲେ । ସେ ଯାଇଥିବା ରେଷ୍ଟୁରାଣ୍ଟ ବାହାରେ ତାଙ୍କର ଗାଡ଼ି ମିଳିଥିବା, ଆଉ ସେ କ୍ୟୁବା ପଳାୟନ କରିଥିବା ସନ୍ଦେହ କରାଯାଉଥିଲେ ।

ସିବିଆଇର ବରିଷ୍ଠ ଅଧିକାରୀଙ୍କ ଅନୁସାରେ ଖୁବ ଶୀଘ୍ର ମେହୁଲ ଚୋକସିଙ୍କୁ ଭାରତ ଅଣାଯିବ। ଏଥିପାଇଁ ସମସ୍ତ ପ୍ରକାର ରଣନୀତି ଉପରେ କାମ ଆରମ୍ଭ ହୋଇସାରିଛି । ଏହି ସ୍ୱତନ୍ତ୍ର ଅପରେସନ୍ ପାଇଁ ସିବିଆଇ ଟିମ୍, ଇଣ୍ଟରପୋଲ୍ ଏବଂ ଗୁପ୍ତଚର ସଂସ୍ଥାର ଜଣେ ଅଧିକାରୀଙ୍କ ସମେତ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର ଅଧିକାରୀଙ୍କ ସହ ଯୋଗାଯୋଗରେ ଅଛନ୍ତି।

ମେ ୨୩ ରବିବାର ଦିନ ମେହୁଲ ଚୋକସି ଅପରାହ୍ନ ୫.୩୦ ରେ କୁଆଡ଼େ ଫେରାର ହୋଇଯାଇଥିଲେ । ଆଖାପାଖ ଅଞ୍ଚଳରେ ଖୋଜାଖୋଜି କଲାପରେ ବି ତାଙ୍କର ପତ୍ତା ମିଳିନଥିଲା । ଏହାପରେ ତାଙ୍କ ପରିବାର ସଦସ୍ୟ ତଥା ଭାରତରେ ରହୁଥିବା ମେହୁଲ ଚୋକସିଙ୍କ ଓକିଲ ବିଜୟ ଅଗ୍ରୱାଲ କହିଥିଲେ ଆଣ୍ଟିଗୁଆରୁ ନିଖୋଜ ହୋଇଯାଇଛନ୍ତି ମେହୁଲ ଚୋକସି । ତେବେ ଏହି ଘଟଣା ପରେ ରୟାଲ ପୋଲିସ ଫୋର୍ସ ତାଙ୍କୁ ଖୋଜିବା ଆରମ୍ଭ କରିଥିଲା।

ଭାରତର ପଳାତକ ବ୍ୟବସାୟୀ ମେହୁଲ ଚୋକସି ଦୀର୍ଘ ଦିନ ଧରି ଆଣ୍ଟିଗୁଆର ଜଲି ହାରବର୍ ଅଞ୍ଚଳରେ ରହୁଥିଲେ । ୨୦୧୮ ମସିହାରେ ମେହୁଲ ଚୋକସି ଗୁପ୍ତରେ ଭାରତ ଛାଡି ପଳାଇ ଯାଇଥିଲେ। ସେବେଠାରୁ ଦେଶର ଯାଂଚ ଏଜେନ୍ସି ସିବିଆଇ ଏବଂ ଇଡି ଟିମ୍ ତାଙ୍କୁ ଭାରତକୁ ଫେରାଇ ଆଣିବାକୁ ଚେଷ୍ଟା କରୁଛି ।

You might also like