ନଦୀକୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା, କହିଗଲେ-‘ମୋତେ ମନେ ରଖିବ…’

ଅହମଦାବାଦ: ଗୁଜରାଟର ଅହମଦାବାଦରେ ଜଣେ ମହିଳା ସାବରମତୀ ନଦୀକୁ ଡେଇଁ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ଆତ୍ମହତ୍ୟା କରିବା ପୂର୍ବରୁ ମହିଳା ଜଣକ ଏକ ଭିଡିଓ କରି ସୋସିଆଲ୍‌ ମିଡିଆରେ ଶେଆର କରିଥିଲେ। ଆତ୍ମହତ୍ୟା କରିଥିବା ସମ୍ପୃକ୍ତ ମହିଳାଙ୍କ ନାଁ ଆୟଶା ବୋଲି ଜଣାପଡ଼ିଛି। ଯାହା ବି କିଛି ଜୀବନରେ ମିଳିଛି, ବହୁତ ଭଲ। ବର୍ତ୍ତମାନ ମୁଁ ଭଗବାନଙ୍କୁ ଭେଟିବାକୁ ଚାହୁଁଛି ବୋଲି ଆୟଶା ଭିଡିଓରେ କହୁଥିବା ଦେଖିବାକୁ ମିଳିଛି।

ଭିଡିଓରେ ସେ କହିଥିଲେ, ‘ହ୍ୟାଲୋ, ମୋ ନାଁ ଆୟଶା‌। ଯାହାବି କିଛି ମୁଁ କରିବାକୁ ଯାଉଛି, ମୋ ନିଜ ଇଚ୍ଛାରେ କରିବାକୁ ଯାଉଛି। ମୁଁ କାହା ଚାପରେ ପଡ଼ି ଏସବୁ କରୁନାହିଁ। ଏହା ଭାବି ନିଅନ୍ତୁ ଯେ, ଭଗବାନ ମୋତେ ଦେଇଥିବା ଜୀବନ ଏତିକି ହିଁ ଥିଲା। ମୋତେ ଖୁସି ଲାଗୁଛି ଯେ, ମୁଁ ଭଗବାନଙ୍କୁ ଭେଟିବି ଓ ତାଙ୍କୁ ପଚାରିବି ଯେ, ମୋର ଭୁଲ୍‌ କେଉଁଠି ରହିଗଲା।’

ଭାବପ୍ରବଣ ହୋଇ ସେ କହିଥିଲେ, ‘ଜୀବନରେ ଗୋଟିଏ ଜିନିଷ ଶିଖିଲି, ଯଦି କାହାକୁ ଭଲ ପାଉଛନ୍ତି ତା’ହେଲେ ଉଭୟ ପଟରୁ ଏହି ଭଲ ପାଇବା ରହିବା ଦରକାର। କାରଣ ଏକ ତରଫା ଭଲ ପାଇବାରେ କିଛିବି ହାସଲ ହୋଇନଥାଏ । ମୁଁ ପବନ ଭଳି। କାହା ପାଇଁ ମୁଁ ଅଟକି ରହିବାକୁ ଚାହୁଁ ନାହିଁ। ମୋତେ ଖୁସି ଲାଗୁଛି ଯେ, ମୋତେ ଯାହାକୁ ଯାହା କହିବାର ଥିଲା, ମୁଁ କହିଦେଲି। ଧନ୍ୟବାଦ, ମୋତେ ମନେ ରଖିବ। ଅଲ୍‌ବିଦା’

ସୂଚନାଥାଉ କି, ଅହମଦାବାଦରେ ରହୁଥିବା ଆୟଶାଙ୍କ ବାପା ପେଶାରେ ଜଣେ ଦର୍ଜି। ସେ କହିଛନ୍ତି, ୨୦୧୮ରେ ରାଜସ୍ଥାନର ଜାଲୌରରେ ରହୁଥିବା ଆରିଫ୍‌ଙ୍କ ସହ ଆୟଶାଙ୍କ ବିବାହ ହୋଇଥିଲା। ବିବାହ ପରେ ଯୌତୁକ ପାଇଁ ତାଙ୍କୁ ନିର୍ଯାତନା ଦିଆଯାଉଥିଲା ସେ ଅଭିଯୋଗ ଆଣିଛନ୍ତି।

ଆୟଶାଙ୍କ ବାପା ଅଭିଯୋଗ ଆଣି କହିଛନ୍ତି, ଟଙ୍କା ଦେବା ପରେ ଆରିଫ୍‌ଙ୍କ ପରିବାର ଲୋକଙ୍କ ଲୋଭ ଦିନକୁ ଦିନ ବଢ଼ିବାରେ ଲାଗିଥିଲା। କିଛି ମାସ ପୂର୍ବେ ଆରିଫ୍‌ ଅହମଦାବାଦ ଆସି ଆୟଶାଙ୍କୁ ଛାଡ଼ି ଦେଇଥିଲେ। ଏପରିକି ଆରିଫ୍‌, ଆୟଶାଙ୍କ ସହ ଫୋନ୍‌ରେ ମଧ୍ୟ କଥା ହେଉନଥିଲେ। କିଛିଦିନ ପରେ ରାଗିକି ଆୟଶା ଆତ୍ମହତ୍ୟା ପାଇଁ ଧମକ ମଧ୍ୟ ଦେଇଥିଲେ।

You might also like