ପ୍ରଶ୍ନ ପଚାରିବାରୁ ସାମ୍ବାଦିକଙ୍କ ଉପରକୁ ସାନିଟାଇଜର ସ୍ପ୍ରେ କଲେ ପ୍ରଧାନମନ୍ତ୍ରୀ

ବ୍ୟାଙ୍କକ୍‌: ମିଡିଆ ସହ ଥାଇଲାଣ୍ଡ ପ୍ରଧାନମନ୍ତ୍ରୀ ପ୍ରୟୁତ ଚାନ ଓଚାଙ୍କ ସମ୍ପର୍କ ଟିକିଏ ଅଲଗା। ମିଡିଆ ସହ ସେ ବେଶ ମଜାଳିଆ ଅନ୍ଦାଜରେ ମିଶିବାକୁ ନେଇ ସେ ଜଣାଶୁଣା । ହେଲେ ଏଥର ମିଡିଆ ସହ ଯେମିତି ବ୍ୟବହାର କଲେ ତାହା ମିଡିଆର ମୁଖ୍ୟ ଖବର ପାଲଟି ଯାଇଛି।

ସାଧାରଣତଃ ନେତା ଓ ସେଲେବ୍ରିଟିମାନେ ମିଡିଆଠାରୁ ଦୂରରେ ରହିବା ପାଇଁ ଚେଷ୍ଟା କରିଥାନ୍ତି। ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତରକୁ ଯଥାସମ୍ଭବ ଏଡ଼ାଇ ଦେଇଥାନ୍ତି। ହେଲେ ମିଡିଆକୁ ସବୁବେଳେ ସାମ୍ନା କରୁଥିବା ଥାଇଲାଣ୍ଡ ପ୍ରଧାନମନ୍ତ୍ରୀ ସାମ୍ବାଦିକଙ୍କ ଉପରକୁ ସାନିଟାଇଜର ସ୍ପ୍ରେ କରିଛନ୍ତି।

ଘଟଣା ମଙ୍ଗଳବାର ଦିନ ଘଟିଛି। ଥାଇ ପ୍ରଧାନମନ୍ତ୍ରୀ ଓଚା ଏକ ସାମ୍ବାଦିକ ସମ୍ମିଳନୀରେ ସାମିଲ ହୋଇଥିଲେ। ଏହି ସମୟରେ ତାଙ୍କୁ ସାମ୍ବାଦିକମାନେ ମନ୍ତ୍ରୀମଣ୍ଡଳ ବିଷୟରେ ପ୍ରଶ୍ନ କରିଥିଲେ। କ୍ୟାବିନେଟ ନିଯୁକ୍ତି ସମ୍ପର୍କରେ ଗଡେଇ ତୁଡେଇ ପ୍ରଶ୍ନ କରିଥିଲେ। ସାମ୍ବାଦିକଙ୍କ ତେରଛା ପ୍ରଶ୍ନରେ ଓଚା ରାଗି ଯାଇଥିଲେ। ସେ ସାନିଟାଇଜର ବୋତଲ ଉଠାଇଲେ ଏବଂ କ୍ୟାମରା ସାମ୍ନାରେ ସାମ୍ବାଦିକଙ୍କ ଉପରକୁ ପକାଇ ଦେଇଥିଲେ। ତାଙ୍କର ଏପରି କାର୍ଯ୍ୟକଳାପ ପୁରା କ୍ୟାମେରାରେ କଏଦ ହୋଇଯାଇଥିଲା।

ଏଠି କହିରଖିବୁ, ୭ ବର୍ଷ ତଳେ ଏକ ପ୍ରଦଶର୍ନ ସମୟରେ ବିଦ୍ରୋହ କରିଥିବା ଅଭିଯୋଗରେ ଥାଇଲାଣ୍ଡ ସରକାରର ୩ ଜଣ ମନ୍ତ୍ରୀ ଜେଲ ଯାଇଛନ୍ତି। ଏହାପରେ କ୍ୟାବିନେଟରେ ଏହି ପଦ ଖାଲି ପଡିଛି। ଏହାକୁ ନେଇ ସରକାରରେ ଅଚଳାବସ୍ଥା ଲାଗି ରହିଛି। ସାମ୍ବାଦିକମାନେ କ୍ୟାବିନେଟ ନିଯୁକ୍ତିକୁ ନେଇ ସମ୍ଭାବ୍ୟ ପ୍ରାର୍ଥୀଙ୍କ ନାମ ବିଷୟରେ ପ୍ରଶ୍ନ କରିଥିଲେ, ଯେଉଁଥିପାଇଁ ରାଗି ଯାଇଥିଲେ।

କ’ଣ ଥିଲା ଭିଡିଓରେ

ଭିଡିଓରେ ଦେଖିବାକୁ ମିଳିଛି, ପ୍ରଧାନମନ୍ତ୍ରୀ ଓଚା ପୋଡିୟମରେ ଥିଲେ। ସାମ୍ବାଦିକମାନେ ପ୍ରଶ୍ନ ପଚାରୁଥିଲେ ଏବଂ ଓଚା ଉତ୍ତର ଦେଉଥିଲେ। ଏହି ସମୟରେ ସେ ପୋଡିୟମରୁ ଓହ୍ଲାଇ ଆସିଲେ ଏବଂ ସାମ୍ବାଦିକଙ୍କ ଉପରେକୁ ସାନିଟାଇଜର ସ୍ପ୍ରେ କରିଥିଲେ।

ସୂଚନାଯୋଗ୍ୟ, ୨୦୧୪ରେ ନିର୍ବାଚିତ ସରକାରକୁ କ୍ଷମଚାଚ୍ୟୁତ କରି ପୂର୍ବତନ ସୈନ୍ୟ କମାଣ୍ଡର ପ୍ରୟୁତ କ୍ଷମତାରେ ବସିଛନ୍ତି। ପ୍ରୟୁତ ନିଜର ଅଜବ ବ୍ୟବହାର ପାଇଁ ପରିଚିତ। ଏହାପୂର୍ବରୁ କ୍ୟାମେରାମ୍ୟାନଙ୍କ ଉପରେ କାଳି ପକାଇ ଦେଇଥିଲେ ପ୍ରୟୁତ।

 

You might also like