ଡାକ୍ତରଖାନା ଉପରେ ଆତଙ୍କୀ ଆକ୍ରମଣ, ୨ ନବଜାତ ଶିଶୁ ସମେତ ୧୪ ମୃତ

ନୂଆଦିଲ୍ଲୀ: ଆଫଗାନୀସ୍ଥାନର ରାଜଧାନୀ କାବୁଲ୍‌ରେ ମଙ୍ଗଳବାର ଆତଙ୍କବାଦୀମାନେ ଏକ ଡାକ୍ତରଖାନା ଉପରେ ଆକ୍ରମଣ କରିଛନ୍ତି। ଏଥିରେ ୧୪ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୨ ଜଣ ନବଜାତ ଶିଶୁ, ମହିଳା ରୋଗୀ ଏବଂ କିଛି ନର୍ସ ଅଛନ୍ତି।

ଆତଙ୍କବାଦୀଙ୍କୁ କାବୁ କରିବା ପାଇଁ ସ୍ଥାନୀୟ ପୋଲିସ ପକ୍ଷରୁ ପାଲଟା ଫାୟାରିଂ କରାଯାଇଛି। ତେବେ ଆତଙ୍କବାଦୀଙ୍କୁ ମୃତ ବା ଜୀବିତ ଧରି ପାରି ନାହାନ୍ତି। ଫାୟାରିଂ ସମୟରେ ଆଫଗାନ ସୁରକ୍ଷା ବଳ ଡାକ୍ତରଖାନାର ରୋଗୀ ଏବଂ ତାଙ୍କର ସମ୍ପର୍କୀୟଙ୍କୁ ବାହାରକୁ ନେଉଥିବା ଦେଖିବାକୁ ମିଳିଥିଲା। ଶିଶୁ ଏବଂ ମହିଳାମାନଙ୍କୁ ଆତଙ୍କୀଙ୍କ କବଳରୁ ଉଦ୍ଧାର କରି ଆଣିବା ଖୁବ୍‌ କଷ୍ଟସାଧ୍ୟ ଥିଲା। ତଥାପି ସୁରକ୍ଷାକର୍ମୀମାନେ ସେମାନଙ୍କୁ ବଞ୍ଚାଇବାରେ ସଫଳ ହୋଇପାରିଥିଲେ।

କାବୁଲ୍‌ ବ୍ୟତୀତ ଆଫଗାନିସ୍ଥାନର ଅନ୍ୟ ଭାଗରେ ମଧ୍ୟ ହିଂସାକାଣ୍ଡ ଘଟିଥିବା ନଜରକୁ ଆସିଛି। ମଙ୍ଗଳବାର ନାଙ୍ଗରହର ପ୍ରାନ୍ତରେ ଏକ ଆତ୍ମଘାତି ବୋମା ବିସ୍ଫୋରଣରେ ୨୪ ଜଣଙ୍କର ମୃତ୍ୟୁ ଘଟିଛି। ଏଥିସହିତ ୫୫ ଜଣ ଗୁରୁତର ହୋଇଛନ୍ତି। ସେହିପରି ଖୋସ୍ତ ପ୍ରାନ୍ତରେ ବୋମା ବିସ୍ଫୋରଣରେ ୧୦ ଜଣ ଆହତ ହୋଇଛନ୍ତି।

ତେବେ ନାଙ୍ଗରହର ପ୍ରାନ୍ତରେ ହୋଇଥିବା ଆକ୍ରମଣରେ ତାଲିବାନଙ୍କର ହାତ ନାହିଁ ବୋଲି କୁହାଯାଇଛି। ଏ ନେଇ ତାଲିବାନ ପକ୍ଷରୁ ଏକ ଟ୍ୱିଟରେ କୁହାଯାଇଛି।

ଘଟଣାକୁ ଭାରତ ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି । ନିର୍ଦ୍ଦୋଷଙ୍କ ଉପରେ ଏପରି ଆକ୍ରମଣକୁ ଆଦୌ ବରଦାସ୍ତ କରାଯିବ ନାହିଁ ବୋଲି ଭାରତ ସରକାରଙ୍କ ପକ୍ଷରୁ କୁହାଯାଇଛି।

 

You might also like