ରାଜସ୍ଥାନ ଓ ତେଲେଙ୍ଗାନାରେ ବିଧାନସଭା ନିର୍ବାଚନ ପାଇଁ ଭୋଟ୍‌ ଗ୍ରହଣ ଜାରି

ନୂଆଦିଲ୍ଲୀ: ରାଜସ୍ଥାନ ଓ ତେଲେଙ୍ଗାନାରେ ବିଧାନସଭା ନିର୍ବାଚନ ଲାଗି ଆଜି ଭୋଟ୍‌ ଗ୍ରହଣ ଆରମ୍ଭ ହୋଇଛି। ସକାଳ ୭ଟାରୁ ତେଲେଙ୍ଗାନାରେ ଭୋଟ୍‌ ଗ୍ରହଣ ଆରମ୍ଭ ହୋଇଥିବାବେଳେ ୮ଟାରେ ରାଜସ୍ଥାନରେ ମତଦାନ ଆରମ୍ଭ ହୋଇଛି। ଅପରାହ୍ନ ୫ଟା ପର୍ଯ୍ୟନ୍ତ ମତଦାନ ଚାଲିବ।

ରାଜସ୍ଥାନରେ ମୋଟ୍ ୨୦୦ ଆସନ ମଧ୍ୟରୁ ୧୯୯ଟିରେ ମତଦାନ ହେବ।  ଅଲୱାର ଜିଲ୍ଲା ରାମଗଡ଼ ନିର୍ବାଚନମଣ୍ଡଳୀର ବିଏସ୍‌ପି ପ୍ରାର୍ଥୀ ଲକ୍ଷ୍ମଣ ସିଂହଙ୍କ ଦେହାନ୍ତ ହେବାରୁ ସେଠାରେ ନିର୍ବାଚନ ବନ୍ଦ ରହିଛି।

ତେଲେଙ୍ଗାନାରେ ୧୧୯ଟି ଆସନ ପାଇଁ ପାଖାପାଖି ୧୮୨୧ଜଣ ପ୍ରାର୍ଥୀ ନିର୍ବାଚନ ଲଢ଼ୁଛନ୍ତି। ୨କୋଟି ୮୦ଲକ୍ଷରୁ ଅଧିକ ଭୋଟର୍‌ ସେମାନଙ୍କ ମତଦାନ ସାବ୍ୟସ୍ତ କରିବେ। ଭୋଟ୍‌ ଗ୍ରହଣ ପାଇଁ ରାଜ୍ୟରେ ୩୨ ହଜାର ୮୧୫ଟି ମତଦାନ କେନ୍ଦ୍ର ହୋଇଛି।

ସେହିପରି ରାଜସ୍ଥାନରେ ୫୧ ହଜାର ୬୮୭ଟି ମତଦାନ କେନ୍ଦ୍ର ହୋଇଛି। ରାଜସ୍ଥାନରେ ୧୯୯ଟି ଆସନ ପାଇଁ ୨ହଜାରରୁ ଅଧିକ ପ୍ରାର୍ଥୀ ନିର୍ବାଚନ ଲଢ଼ୁଛନ୍ତି।

ଶାନ୍ତିଶୃଙ୍ଖଳାରେ ମତଦାନ ପାଇଁ ଉଭୟ ରାଜ୍ୟରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ରାଜସ୍ଥାନରେ କ୍ଷମତା ହାସଲ କରିବା ପାଇଁ ବିଜେପି ଓ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି।

ସେପଟେ ପୁଣିଥରେ ରାଜସ୍ଥାନରେ ନିଜର କ୍ଷମତା ବଜାୟ ରଖିବାକୁ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ଆଶାବାଦୀ ଥିବା ବେଳେ ତେଲେଙ୍ଗାନାରେ ଟିଆର୍‌ଏସ୍‌ ମୁଖ୍ୟ କେ ଚନ୍ଦ୍ରଶେଖର ରାଓଙ୍କ ପାଇଁ ଏହି ନିର୍ବାଚନ ଗୁରୁତ୍ୱପୂର୍ଣ୍ଣ।

You might also like