ତେଲେଙ୍ଗାନା ଓ ରାଜସ୍ଥାନ ବିଧାନସଭା ନିର୍ବାଚନ

ଅାଜି ସଂଧ୍ୟାରେ ସରିବ ପ୍ରଚାର

ନୂଆଦିଲ୍ଲୀ : ରାଜସ୍ଥାନ ଓ ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ଅାଜି ସଂଧ୍ୟାରେ ଶେଷ ହେବ ପ୍ରଚାର। ଏହି ଦୁଇଟି ରାଜ୍ୟରେ ଅାସନ୍ତା ଶୁକ୍ରବାର ଭୋଟ ହେବ। ଶେଷ ଦିନରେ ଭୋଟରଙ୍କୁ ନିଜ ଅାଡ଼କୁ ଅାକୃଷ୍ଟ କରିବାକୁ ପ୍ରମୁଖ ଦଳଗୁଡ଼ିକ ପ୍ରାଣପଣେ ଚେଷ୍ଟା କରିବେ।

ଗତକାଲି ରାଜସ୍ଥାନର ହନୁମାନଗଡ଼, ସିକର ଓ ଜୟପୁରରେ ପ୍ରଚାର କରିଥିଲେ ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଚାର ବେଳେ କଂଗ୍ରେସକୁ ସେ ତୀବ୍ର ଭର୍ତ୍ସନା କରିଛନ୍ତି। ପାକିସ୍ତାନ କର୍‌ତାରପୁର କରିଡର୍ ପ୍ରସଙ୍ଗରେ ସେ କହିଛନ୍ତି, କଂଗ୍ରେସ ଯେଉଁ ସବୁ ଭୁଲ କରିଛି, ସେସବୁ ସୁଧାରିବା ପାଇଁ ହିଁ ତାଙ୍କ ଭାଗ୍ୟରେ ଲେଖା ହୋଇଛି।

ସେପଟେ କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଅଲୱାରରେ ପ୍ରଚାର କରି କୃଷି ଋଣ ଛାଡ଼ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। କ୍ଷମତାକୁ ଅାସିଲେ ୧୦ ଦିନ ମଧ୍ୟରେ କୃଷି ଋଣ ଛାଡ଼ କରିବାକୁ ଗ୍ୟାରେଣ୍ଟି ଦେଇଛନ୍ତି ରାହୁଲ। ସଚିନ ପାଇଲଟ୍, ନଭଜୋତ ସିଂହ ସିଦ୍ଧୁ ମଧ୍ୟ ପ୍ରଚାରରେ ସାମିଲ ହୋଇଥିଲେ। ସେହିପରି ତେଲେଙ୍ଗାନାରେ କଂଗ୍ରେସ, ଟିଅାରଏସ୍, ବିଜେପି ଓ ଏଅାଇଏମ୍ଅାଇଏମ୍ ପ୍ରଚାର ଜୋରଦାର କରିଛନ୍ତି। ତେଲେଙ୍ଗାନାରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଅାଦିତ୍ୟନାଥ ଷ୍ଟାର୍ କ୍ୟାମ୍ପେନର୍ ଥଲେ।

ଏହି ଦୁଇଟି ରାଜ୍ୟର ଫଳାଫଳ ଉଭୟ ବିଜେପି ଓ କଂଗ୍ରେସ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ। ରାଜସ୍ଥାନରେ ବିଜେପି ହାତରୁ କ୍ଷମତା ଛଡ଼ାଇ ନେବାକୁ କଂଗ୍ରେସ ଲକ୍ଷ୍ୟ କରିଥିବା ବେଳେ ତେଲେଙ୍ଗାନାରେ ଟିଆର୍‌ଏସ୍‌କୁ କଡ଼ା ଟକ୍କର ଦେବ କଂଗ୍ରେସ-ଟିଡିପି ଓ ଦଳକୁ ନେଇ ଗଠିତ ମହାକୁଟୁମ୍ବୀ।

You might also like