ହାଇଦ୍ରାବାଦ୍‌: ତେଲେଙ୍ଗାନାରେ ଆରମ୍ଭ ହେବ ଅନଲକ୍‌। ଆଜିିଠୁ ସମ୍ପୂର୍ଣ୍ଣ ଭାବେ ତେଲେଙ୍ଗାନା ଅନଲକ୍ ହେବ ବୋଲି ଜଣାପଡ଼ିଛି। ସମସ୍ତ ପ୍ରକାର ଦୋକାନ ବଜାର ଖୋଲିବା ସହ ମଲ୍ ବି ଖୋଲା ରହିବ। ସବୁଠୁ ବଡ଼ କଥା ହେଉଛି ଜୁଲାଇ ପହିଲାରୁ ତେଲେଙ୍ଗାନାର ସମସ୍ତ ସ୍କୁଲ, କଲେଜ୍, ଶିକ୍ଷାନୁଷ୍ଠାନକୁ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜୁଲାଇ ୧ ତାରିଖରୁ ଛାତ୍ରଛାତ୍ରୀ ସ୍କୁଲ ଓ କଲେଜ୍ ଯିବେ। ସ୍ୱାଭାବିକ ଭାବେ ପାଠ ପଢ଼ା ଆରମ୍ଭ ହେବ ଓ ତାହା ସହ ପ୍ରଥମ ସପ୍ତାହରେ ରାଜ୍ୟରେ ବାକି ଥିବା ୟୁଜି, ପିଜି ପରୀକ୍ଷା ବି ହେବ ବୋଲି ତେଲେଙ୍ଗାନା ସରକାର ନିଷ୍ପତ୍ତି ନେଇଛନ୍ତି।

ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ଅଧ୍ୟକ୍ଷତାରେ ବସିଥିବା ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍ ବୈଠକରେ ଅନଲକ ସମ୍ପର୍କରେ ନିଷ୍ପତ୍ତି ନିଆଯାଇଛି। ସେହିଭଳି କର୍ଣ୍ଣାଟକରେ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା କମିବା ପରେ କଟକଣା କୋହଳ ହୋଇଛି। ଆସନ୍ତାକାଲିଠୁ ୧୬ ଜିଲ୍ଲାରେ ଯେଉଁଠି ୫ ପ୍ରତିଶତରୁ କମ୍ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ସେଠି- ଜିମ୍, ରେସ୍ତୋଁରା, ହୋଟେଲ ଖୋଲିବାକୁ ଅନୁମତି ଦିଆଯାଇଛି। ବସ୍ ଏବଂ ମେଟ୍ରୋ ବି ୫୦ ପ୍ରତିଶତରେ ଚଳାଚଳ କରିବ ବୋଲି ଜଣାପଡ଼ିଛି।

ସେପଟେ, ଦେଶରେ କରୋନା ସଂକ୍ରମଣର ଗ୍ରାଫ୍ ଦ୍ରୁତ ଗତିରେ ହ୍ରାସ ପାଉଛି। ଦେଶରେ କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ବର୍ତ୍ତମାନ ୬୦ ହଜାରରୁ ତଳକୁ ଖସିବାକୁ ଯାଉଛି। ଆଶ୍ଵସ୍ତିର କଥା ହେଉଛି, ପୂର୍ବ ଦିନଗୁଡିକରେ ଦେଶର ୨୨ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ୫୦୦ରୁ କମ୍ ନୂଆ କରୋନା ମାମଲା ସାମ୍ନାକୁ ଆସିଥିବାବେଳେ ୧୪ଟି ରାଜ୍ୟରେ ୧୦୦୦ରୁ କମ୍ କରୋନା ରୋଗୀ ଦେଖିବାକୁ ମିଳିଥିଲେ। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୬୦ ହଜାର ୭୫୩ ଟି ନୂଆ କରୋନା ସଂକ୍ରମଣ ମାମଲା ସାମ୍ନାକୁ ଆସିଥିବାବେଳେ ୧୬୪୭ ରୋଗୀ ପ୍ରାଣ ହରାଇଛନ୍ତି। ସ୍ୱାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ, କରୋନାରେ ନୂଆ ମାମଲା ସାମ୍ନାକୁ ଆସିବା ପରେ ବର୍ତ୍ତମାନ ଦେଶରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୨ କୋଟି ୯୮ ଲକ୍ଷ ୨୩ ହଜାର ୫୪୬ କୁ ବୃଦ୍ଧି ପାଇଛି।

ଏପଟେ, ଭାଇରସର ଭୟାବହତା କମ୍ ହୋଇଥିଲେ ସୁଦ୍ଧା ସଚେତନ ନିହାତି ଜରୁରୀ । ନିୟମ ମାନିବା ସହ ବେପରୁଆ ନହେବା ପାଇଁ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ପରାମର୍ଶ ଦେଇଛନ୍ତ କେନ୍ଦ୍ର ସରକାର । ଦେଶରେ କରୋନା ସଂକ୍ରମଣରେ ସାମାନ୍ୟ ବ୍ରେକ୍ ଲାଗିଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ଧୀରେ ଧୀରେ ହ୍ରାସ ପାଉଛି । ଏହାରି ଭିତରେ କେନ୍ଦ୍ର ଗୃହ ସଚିବ ଅଜୟ ଭଲ୍ଲା ରାଜ୍ୟମାନଙ୍କୁ ଚିଠି ଲେଖି କୋଭିଡ ସମ୍ବନ୍ଧୀୟ ରଣନୀତିର କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Other Stories