ସ୍କୁଲ ପରେ ଏବେ କଲେଜ୍‌ ଛାତ୍ରଛାତ୍ରୀଙ୍କୁ ମିଳିବ ମଧ୍ୟାହ୍ନ ଭୋଜନ

ହାଇଦ୍ରାବାଦ: ସ୍କୁଲ ପରେ ଏବେ କଲେଜ୍‌ ଛାତ୍ରଛାତ୍ରୀଙ୍କୁ ମିଳିବ ମଧ୍ୟାହ୍ନ ଭୋଜନ।। ଯୁକ୍ତ ଦୁଇ ଓ ଡିଗ୍ରୀ କଲେଜ୍ ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟାନ୍ନଭୋଜନ ବ୍ୟବସ୍ଥା କରିବାକୁ ନିଷ୍ପତ୍ତି ନେଇଛନ୍ତି ତେଲେଙ୍ଗାନା ସରକାର। ଚଳିତ ଶିକ୍ଷା ବର୍ଷରୁ ଏହି ବ୍ୟବସ୍ଥା ଲାଗୁ କରିବାକୁ ନିଷ୍ପତ୍ତି ହୋଇଛି। ସରକାରୀ କଲେଜ୍‌ଗୁଡ଼ିକରେ ଡ୍ରପ୍‌ଆଉଟ୍‌ ହାରକୁ କମାଇବା ପାଇଁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଶୁକ୍ରବାର ଏପରି ନିଷ୍ପତ୍ତି ନେଇଛନ୍ତି।

ଯେଉଁ ଛାତ୍ରାଛାତ୍ରୀମାନେ ସକାଳେ କଲେଜ୍‌ ଆସୁଛନ୍ତି ସେମାନେ ମଧ୍ୟାହ୍ନରେ ଘରକୁ ଫେରିଯାଉଛନ୍ତି। ଫଳରେ ସରକାରୀ କଲେଜ୍‌ ଗୁଡ଼ିକରେ ଡ୍ରପ୍‌ଆଉଟ୍(ଅଧାରୁ ପାଠ ଛାଡ଼ୁଥିବା) ହାର ବୃଦ୍ଧି ପାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଯଦି ଛାତ୍ରଛାତ୍ରୀମାନଙ୍କୁ ଉତ୍ତମ ପୁଷ୍ଟିକର ଖାଦ୍ୟ ମିଳିବ ତେବେ ସେମାନେ ସୁସ୍ଥ ରହିବେ ଓ ଡ୍ରପ୍‌ଆଉଟ୍ ହାର ବି କମିବ ବୋଲି ସରକାର ସ୍ଥିର କରିଛନ୍ତି।

ସୂଚନାନୁସାରେ, ତେଲେଙ୍ଗାନାର ଜଦ୍‌ଚେର୍ଲାରେ ରଘୁରାମ ନାମକ ଜଣେ ସରକାରୀ ଅଧ୍ୟାପକ ନିଜେ ଖର୍ଚ୍ଚ କରି ଜୁନିଅର କଲେଜ୍‌ ଛାତ୍ରଛାତ୍ରୀମାନଙ୍କୁ ମଧ୍ୟାହ୍ନ ଭୋଜନ ଯୋଗାଉଥିବା ଖବର ଜାଣିବା ପରେ ରଘୁରାମଙ୍କ ପ୍ରସଂଶା କରିବା ସହିତ ଜୁନିଅର ଓ ଡିଗ୍ରୀ କଲେଜ୍ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି।

 

You might also like