ହାଇଦ୍ରାବାଦ୍‌: ଦେଶରେ ଧୀରେ ଧୀରେ କମୁଛି ସଂକ୍ରମଣ। ଆଉ ଏହାକୁ ନଜରରେ ରଖି ଅନେକ ରାଜ୍ୟ ମଧ୍ୟ ଲକଡାଉନ୍‌ କୋହଳ କରିବା ସହ ଲକଡାଉନ୍‌ ସମ୍ପୂର୍ଣ୍ଣ ଉଠାଇ ଦେଇଛନ୍ତି। ତେବେ ଏହାରି ମଧ୍ୟରେ, ଜୁନ ୨୦ରୁ ତେଲଙ୍ଗାନାରେ ସମ୍ପୂର୍ଣ୍ଣ  ଲକ୍‌ଡାଉନ ଉଠିବ ବୋଲି ସୂଚନା ମିଳିଛି। ଏଥିସହ ନାଇଟ୍‌ କର୍ଫ୍ୟୁ କଟକଣା ବି ରହିବ ନାହିଁ ବୋଲି ତେଲଙ୍ଗାନା ସରକାର ନିଷ୍ପତ୍ତି ନେଇଛନ୍ତି । ପଜିଟିଭିଟି ରେଟ୍‌ ହ୍ରାସ ପରେ ଏଭଳି ନିଷ୍ପତ୍ତି ନିଆଯାଇଥିବା ତେଲଙ୍ଗାନା ସରକାର ସୂଚନା ଦେଇଛନ୍ତି। ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍‌ ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି।

ସେପଟେ, ଦେଶରେ କରୋନା ସଂକ୍ରମଣର ଗ୍ରାଫ୍ ଦ୍ରୁତ ଗତିରେ ହ୍ରାସ ପାଉଛି। ଦେଶରେ କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ବର୍ତ୍ତମାନ ୬୦ ହଜାରରୁ ତଳକୁ ଖସିବାକୁ ଯାଉଛି। ଆଶ୍ଵସ୍ତିର କଥା ହେଉଛି, ପୂର୍ବ ଦିନଗୁଡିକରେ ଦେଶର ୨୨ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ୫୦୦ରୁ କମ୍ ନୂଆ କରୋନା ମାମଲା ସାମ୍ନାକୁ ଆସିଥିବାବେଳେ ୧୪ଟି ରାଜ୍ୟରେ ୧୦୦୦ରୁ କମ୍ କରୋନା ରୋଗୀ ଦେଖିବାକୁ ମିଳିଥିଲେ। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୬୦ ହଜାର ୭୫୩ ଟି ନୂଆ କରୋନା ସଂକ୍ରମଣ ମାମଲା ସାମ୍ନାକୁ ଆସିଥିବାବେଳେ ୧୬୪୭ ରୋଗୀ ପ୍ରାଣ ହରାଇଛନ୍ତି। ସ୍ୱାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ, କରୋନାରେ ନୂଆ ମାମଲା ସାମ୍ନାକୁ ଆସିବା ପରେ ବର୍ତ୍ତମାନ ଦେଶରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୨ କୋଟି ୯୮ ଲକ୍ଷ ୨୩ ହଜାର ୫୪୬ କୁ ବୃଦ୍ଧି ପାଇଛି।

ଏପଟେ କିନ୍ତୁ, ଦ୍ୱିତୀୟ ଲହରୀ ସମ୍ପୂର୍ଣ୍ଣ ଯାଇନଥିବା ବେଳେ ଦେଶରେ ତୃତୀୟ ଲହରୀ ଆତଙ୍କ ଦେଖାଦେଇଛି । ଆଗାମୀ ୬-୮ ସପ୍ତାହ ମଧ୍ୟରେ ଭାରତକୁ ଆସିପାରେ କରୋନାର ତୃତୀୟ ଲହରୀ । ତୃତୀୟ ଲହରୀ ସମ୍ପର୍କରେ ସୂଚନା ଦେଇଛନ୍ତି  ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ । ସେ କହିଛନ୍ତି କୌଣସ ମତେ ତୃତୀୟ ଲହରୀକୁ ଏଡାଇ ହେବ ନାହିଁ। ମାର୍ଚ୍ଚ ଶେଷରେ ଆରମ୍ଭ ହୋଇଥିବା ଲକଡାଉନ ଅବଧିରେ ଧୀରେ ଧୀରେ ଶେଷ ହେବାରେ ଲାଗିଛି । ଏବେ ଦେଶର ବିଭିନ୍ନ ସ୍ଥାନରେ ଅନଲକ୍ ପ୍ରକ୍ରିୟା ଆରମ୍ଭ ହୋଇଛି । ତେବେ କିଛି ସମୟ ପୂର୍ବରୁ ତୃତୀୟ ତରଙ୍ଗ ବିଷୟରେ ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି। ତେବେ ଓଡ଼ିଶାରେ ସଂକ୍ରମଣ କମୁଥିବା ପରେ ବି ଆସନ୍ତା ମାସ ୧ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଲକଡାଉନ୍‌ ନିୟମ ଲାଗୁ ରଖିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।

Other Stories