କରୋନା ମୁକାବିଲା: ସବୁ ସରକାରୀ କର୍ମଚାରୀଙ୍କ ଦରମା କଟିବ

ହାଇଦ୍ରାବାଦ୍‌: କରୋନାର ମୁକାବିଲା କରିବା ପାଇଁ ତେଲେଙ୍ଗାନା ସରକାରଙ୍କ ପକ୍ଷରୁ ଦରମା କାଟ କରିବାକୁ ନିଷ୍ପତ୍ତି ନିଆଯାଇଛି। ରାଜ୍ୟର ସମସ୍ତ କର୍ମଚାରୀ, ପ୍ରଶାସକ ଓ ଜନ ପ୍ରତିନିଧିମାନଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଦରମା ମଧ୍ୟ କଟାଯିବ ବୋଲି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓ ସୂଚନା ଦେଇଛନ୍ତି ।  ଲକ୍‌ଡାଉନ୍‌ର ୬ ଦିନ ପୂରଣ କରିବା ପରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ମୁଖ୍ୟମନ୍ତ୍ରୀ, କ୍ୟାବିନେଟ ମନ୍ତ୍ରୀ, ବିଧାୟକ, ବିଧାନ ପରିଷଦ ସଦସ୍ୟ, ବିଭିନ୍ନ ନିଗମର ଅଧ୍ୟକ୍ଷଙ୍କ ଦରମା ୭୫ ପ୍ରତିଶତ ହ୍ରାସ କରାଯିବ । ସର୍ବଭାରତୀୟ ପ୍ରଶାସନିକ ଅଧିକାରୀ ଆଇଏଏସ୍, ଆଇପିଏସ ଓ ଆଇଏଫ୍ଏସ୍ ମାନଙ୍କ ଦରମା ୬୦ ପ୍ରତିଶତ କଟାଯିବ । ଶିକ୍ଷକ ମାନଙ୍କ ସହ ଗେଜେଟେଡ୍ ଓ ନନ୍ ଗେଜେଟେଡ୍ କର୍ମଚାରୀମାନଙ୍କ ଦରମା ୫୦ ପ୍ରତିଶତ ହ୍ରାସ କରାଯିବ ।

କିନ୍ତୁ ଚତୁର୍ଥଶ୍ରେଣୀ କର୍ମଚାରୀ ପିଅନ, ଝାଡୁଦାର, ଡ୍ରାଇଭର ଓ ଚୁକ୍ତି ଭିତ୍ତିକ କର୍ମଚାରୀଙ୍କ ଦରମା ମାତ୍ର ୧୦ ପ୍ରତିଶତ ହ୍ରାସ କରାଯିବ।  ସେହିପରି ଅବସରପ୍ରାପ୍ତ କର୍ମଚାରୀମାନଙ୍କ ଦରମା ୫୦ ପ୍ରତିଶତ ହ୍ରାସ କରାଯିବ । ଅନ୍ୟ ପକ୍ଷରେ ଅବସରପ୍ରାପ୍ତ ଚତୁର୍ଥଶ୍ରେଣୀ କର୍ମଚାରୀଙ୍କ ଦରମା ୧୦ ପ୍ରତିଶତ କଟାଯିବ । ଏଥିସହ ତେଲେଙ୍ଗାନାରେ କାର୍ଯ୍ୟ କରୁଥିବା ସମସ୍ତ ରାଷ୍ଟ୍ରାୟତ୍ତ ଉଦ୍ୟୋଗ କର୍ମଚାରୀଙ୍କ ଦରମା ହ୍ରାସ କରାଯିବ ବୋଲି ତେଲେଙ୍ଗାନା ସରକାର ନିଷ୍ପତ୍ତି ନେଇଛନ୍ତି । ବର୍ତ୍ତମାନ ସୁଦ୍ଧା ତେଲେଙ୍ଗାନାରେ ୭୭ଜଣ କରୋନା ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି

ସୂଚନାଯୋଗ୍ୟ ଯେ, କରୋନା ଭାଇରସ୍‌ ପାଇଁ ସମଗ୍ର ବିଶ୍ୱରେ ଅର୍ଥନୀତି ପ୍ରଭାବିତ ହୋଇଛି। ଗତ ସପ୍ତାହରେ ହିଁ ଆଇଏମ୍‌ଏଫ୍‌ ମୁଖ୍ୟ କହିଥିଲେ, କରୋନା ଭାଇରସ୍‌ ଜନିତ ଅର୍ଥନୀତିକ କ୍ଷତି ୨୦୦୯ ମସିହାର ସଙ୍କଟଠାରୁ ମଧ୍ୟ ଆହୁରି ଭୟଙ୍କର ହେବ। ଭାରତରେ ଏଥିପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ନେତୃତ୍ୱରେ ଏକ ସ୍କ୍ୱାଡ୍‌ ଗଠନ କରାଯାଇ ଏହାର ଆକଳନ ଓ ସମାଧାନ କରାଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି। କିନ୍ତୁ ତେଲେଙ୍ଗାନା ଆଗୁଆ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି।

You might also like