ପୁଣିଥରେ ରାଜନୀତିରେ ସକ୍ରିୟ ହେଲେ ତେଜପ୍ରତାପ ଯାଦବ

ବିରୋଧିଙ୍କୁ ତେଜପ୍ରତାପ ଯାଦବଙ୍କ ଧମକ : ଭୋଟ୍‌ର ‘ସୁଦର୍ଶନଚକ୍ର’ରେ ବଦ୍ଧ କରିଦିଆଯିବ

ପାଟନା : ପୂର୍ବତନ ରେଳମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ପୁଅ ତଥା ବିହାର୍‌ର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ତେଜପ୍ରତାପ ଯାଦବ ଗତକାଲି ପୁଣିଥରେ ରାଜନୀତିରେ ସକ୍ରିୟ ହୋଇଥିବା ଘୋଷଣା କରିଛନ୍ତି। ପତ୍ନୀଙ୍କ ସହ ବିବାହ ବିଚ୍ଛେଦ ପାଇଁ ଆବେଦନପତ୍ର ଦାଖଲ କରିବା ପରେ, ସେ ରାଜନୀତି ଠାରୁ ଦୂରେଇଯାଇଥିଲେ। ହେଲେ ଗତକାଲି ଦ୍ୱିପହରରେ ହଠାତ୍ ପାଟଣାର ଆର୍‌ଜେଡି ପାର୍ଟି ଅଫିସ୍‌ରେ ପହଞ୍ଚି ସେଠାରେ କର୍ମକର୍ତ୍ତାମାନଙ୍କୁ ସମ୍ବୋଧିତ କରିଛନ୍ତି।

ଏହାପରେ ଏକ ପ୍ରେସ୍‌ କନ୍‌ଫରେନ୍ସରେ ତେଜପ୍ରତାପ ପାର୍ଟିର ବିରୋଧିମାନଙ୍କୁ ଭୋଟ୍‌ର ସୁଦର୍ଶନ୍ ଚକ୍ର ଦ୍ୱାରା ବଦ୍ଧ କରିଦେବେ ବୋଲି କହିଛନ୍ତି। ସେ କହିଛନ୍ତି, ‘ ତୀର୍ଥଯାତ୍ରାରେ ଭଗବାନ ଶ୍ରୀକୃଷ୍ଣଙ୍କ ଆଶୀର୍ବାଦ ନେଇ ବିହାର ଫେରିଛି। ଲୋକସଭା ନିର୍ବାଚନର ଲଢ଼େଇ ମୋ ପାଇଁ ‘କୁରକ୍ଷେତ୍ର’ ଓ ଭୋଟ୍‌ର ‘ସୁଦର୍ଶନଚକ୍ର’ ଦ୍ୱାରା ଆମ ବିରୋଧିଙ୍କର ବଧ କରିଦିଆଯିବ।’

ଉଲ୍ଲେଖଯୋଗ୍ୟ ଭାଇ ତେଜସ୍ୱୀ ଯାଦବଙ୍କ ସହ ମତାନ୍ତର ଓ ପତ୍ନୀଙ୍କ ଠାରୁ ଅଲଗା ହେବା ନେଇ ସେ କିଛି ମାସ ହେବ ରାଜନୀତିରେ ସକ୍ରିୟ ନଥିଲେ। ୬ ମାସ ପୂର୍ବେ ବିବାହ କରିଥିବା ତେଜପ୍ରତାପ ଏବେ ପତ୍ନୀଙ୍କ ଠାରୁ ଅଲଗା ହେବା ନେଇ କୋର୍ଟରେ ଆବେଦନ କରିଛନ୍ତି।

ଏପଟେ ସାନ ଭାଇ ତେଜସ୍ୱୀ ଯାଦବଙ୍କ ସହ ମତାନ୍ତର ହେବା କଥାକୁ ଖଣ୍ଡନ କରି ତେଜପ୍ରତାପ ତାଙ୍କୁ ‘ଅର୍ଜୁନ’ ଓ ନିଜକୁ ‘ଭଗବାନ କୃଷ୍ଣ’ ବୋଲି କହିଛନ୍ତି।

ପ୍ରେସ୍‌ କନ୍‌ଫରେନ୍ସରେ କଂଗ୍ରେସର ତିନିଟି ରାଜ୍ୟରେ ବିଜୟକୁ ନେଇ ତେଜପ୍ରତାପ୍  ରାହୁଲ୍ ଗାନ୍ଧିଙ୍କର ଢେର ପ୍ରଶଂସା କରିଛନ୍ତି। ଏଥିସହ ସେ ବିଜେପି ଓ ଆର୍‌ଏସ୍‌ଏସ୍‌ର ମିଶ୍ରଣକୁ ନିଜର ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ମାନୁଥିବା କହିଛନ୍ତି।

You might also like