୧୭ ବର୍ଷର ଝିଅକୁ ନିର୍ଯାତନା; ଦୁଇ ମାସ କାଳ ଦୁଷ୍କର୍ମ, ଦେହସାରା ଟାଟୁ ବନାଇଲେ ଅଭିଯୁକ୍ତ

ରବାଟ୍(ମରକ୍ଖୋ): ମାନବିକତାର ସବୁ ସୀମାକୁ ଭୁଲିଯାଇ ମଣିଷ କେତେ ଯେ ନୃଶଂସ ହୋଇପାରେ ତାହାର ଏକ ଜ୍ୱଳନ୍ତ ଉଦାହରଣ ସାମ୍ନାକୁ ଆସିଛି। ଏମିତି ଏକ ଦେହଥରା ଘଟଣା ଘଟିଛି ମରୋକ୍କୋର ଜଣେ ୧୭ ବର୍ଷୀୟା ନାବାଳିକାଙ୍କ ସହିତ। ମରୋକୋର ଆଞ୍ଚଳିକ ଗଣମାଧ୍ୟମରେ ଏହି ଖବର ପ୍ରସାରଣ ହୋଇଛି। ସୋଶାଲ ମିଡିଆରେ ଏହି ଖବର ଭାଇରାଲ ହେବା ସହ ବିଶ୍ୱବ୍ୟାପୀ ପ୍ରତିକ୍ରିୟା ସୃଷ୍ଟି ହୋଇଛି।

ଖ‍ବର ମୁତାବକ, ଜଣେ ୧୭ ବର୍ଷର ଝିଅକୁ ୧୩ ଜଣ ଦୁର୍ବୃତ୍ତ ଦୁଇ ମାସ ତଳେ ଅପହରଣ କରିନେଇଥିଲେ। ପରେ ତା’ସହ ଅକଥନୀୟ ଅତ୍ୟାଚାର କରିବା ସହିତ ବାରମ୍ବାର ଦୁଷ୍କର୍ମ କରିଥିଲେ। କେବଳ ସେତିକି ନୁହେଁ ବର୍ବର ଲମ୍ପଟ ଦଳ ତାଙ୍କ ଦେହରେ ସିଗାରେଟ ଚେଙ୍କ ଦେବା ସହ ଦେହ ସାରା ଜବରଦସ୍ତ ଟାଟୁ ବନାଇଛନ୍ତି। ଝିଅଟିର ହାତରେ ସ୍ୱସ୍ତିକ ଚିହ୍ନ ସହ ଡୁଡଲ୍‌ ଓ ଗ୍ରାଫିଟି ଷ୍ଟାଇଲ୍‌ ଅକ୍ଷରର ଟାଟୁ ବନାଯାଇଛି।

ଏବେ ଏହି ଘଟଣା ସାମ୍ନାକୁ ଆସିବା ପରେ, ପୀଡ଼ିତାଙ୍କୁ ନ୍ୟାୟ ଦେବା ପାଇଁ ଆରମ୍ଭ ହୋଇଯାଇଛି ନାରାବାଜି। ଝିଅଟିକୁ ତୁରନ୍ତ ମେଡିକାଲରେ ଚିକିତ୍ସା କରାଇବା ସହିତ ତା’ର ମାନସିକ ଚିକିତ୍ସା କରାଇବା ପାଇଁ ଦାବି ହୋଇଛି। ଏଥିପାଇଁ ୧୨,୦୦୦ରୁ ଅଧିକ ଲୋକ ଏକ ପିଟିସନ୍‌ ଫାଇଲ୍‌ରେ ଦସ୍ତଗତ କରି ରାଜା ମହମ୍ମଦଙ୍କୁ ଦେଇଛନ୍ତି।

ସ୍ଥାନୀୟ ଟିଭିରେ ପ୍ରସାରିତ ହୋଇଥିବା ଭିଡିଓରେ ପୀଡ଼ତା ଜଣଙ୍କ କହିଛନ୍ତି, ତାଙ୍କୁ ପ୍ରଥମେ ଅପହରଣ କରି ୨ ମାସରୁ ଅଧିକ ସମୟ ଗୋଟେ ଜାଗାରେ ରଖାଯାଇଥିଲା। ସେଠାରେ ତାଙ୍କୁ ପ୍ରତ୍ୟେକ ଦିନ ଗଣଦୁଷ୍କର୍ମ କରାଯାଉଥିଲା।

“ସେମାନେ ମୋତେ ଦୁଇ ମାସ କାଳ ଦୁଷ୍କର୍ମ କଲେ ଓ ନିର୍ଯାତନା ଦେଲେ। ମୁଁ ତାଙ୍କୁ କେବେ କ୍ଷମା କରିବି ନାହିଁ, ସେମାନେ ମୋ ଜୀବନ ନଷ୍ଟ କରିଦେଇଛନ୍ତି” କୋହର ସହିତ ପୀଡିତା ଜଣଙ୍କ ଏହି କଥା ସେ ଟିଭି ଶୋରେ କହିଛନ୍ତି।

ପୀଡ଼ିତାଙ୍କ ବାପା କହିଛନ୍ତି, ଏହି ଘଟଣାରେ ସମ୍ପୃକ୍ତ ତିନି ଜଣ ଅପରାଧୀଙ୍କୁ ପୁଲିସ୍‌ ଗିରଫ କରିଛି। ଯାହାର ଶୁଣାଣି ଆସନ୍ତା ସେପ୍ଟେମ୍ବର ୬ରୁ ଆରମ୍ଭ ହେବ। ଘଟଣାଟି ସାମ୍ନାକୁ ଆସିବା ପରେ ସୋଶାଲ୍‌ ମିଡିଆରେ ମଧ୍ୟ ପୀଡ଼ିତାଙ୍କୁ ନ୍ୟାୟ ଦାବି ଜୋର ଧରିଛି। ପୀଡ଼ିତାଙ୍କ ସପକ୍ଷରେ ରାଲି ବାହାରିବା ସହିତ ଉତ୍ତର ଆଫ୍ରିକାରେ ନାରୀମାନଙ୍କ ବିରୋଧରେ ହେଉଥିବା ଅତ୍ୟାଚାରକୁ ତୀବ୍ର ବିରୋଧ କରାଯାଉଛି। 

(source: Al jazeera)

You might also like