ଇତିହାସ ରଚିଲେ ଟିମ୍ ଇଣ୍ଡିଆର ଷ୍ଟ୍ରାଇକର ସୁନୀଲ ଛେତ୍ରୀ, ଲିଓନେଲ ମେସିଙ୍କୁ ବି ପକାଇଲେ ପଛରେ

ନୂଆଦିଲ୍ଲୀ: ଇତିହାସ ରଚିଛନ୍ତି ଟିମ୍ ଇଣ୍ଡିଆର ଷ୍ଟ୍ରାଇକର ସୁନୀଲ ଛେତ୍ରୀ । ଆର୍ଜେଣ୍ଟିନାର ସୁପରଷ୍ଟାର ଲିଓନେଲ ମେସିଙ୍କୁ ପଛରେ ପକାଇଛନ୍ତି ଟିମ୍ ଇଣ୍ଡିଆ କ୍ୟାପଟେନ୍ । ବାଲାଂଦେଶ ବିପକ୍ଷ ୨୦୨୨ ଫିଫା ପ୍ରାରମ୍ଭିକ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ ବେଳେ ସେ ଏଭଳି ବିରଳ ରେକର୍ଡ କରିଛନ୍ତି ।

ସେହି ମ୍ୟାଚରେ ସୁନୀଲ ଚମତ୍କାର ପ୍ରଦର୍ଶନ କରି ଦୁଇଟି ଗୋଲ ଦେଇଛନ୍ତି । ଏହି ସଫଳତା ସହ ଆନ୍ତର୍ଜାତିକ ଫୁଟବଲରେ ସୁନୀଲଙ୍କ ଗୋଲ ସଂଖ୍ୟା ୭୪ରେ ପହଞ୍ଚିଛି । ବିଶ୍ୱରେ ବର୍ତ୍ତମାନ ଖେଳୁଥିବା ଅନେକ ଆନ୍ତର୍ଜାତିକ ଫୁଟବଲରଙ୍କୁ ସେ ପଛରେ ପକାଇ ଦେଇଛନ୍ତି । ଏପରିକି ଆର୍ଜେଣ୍ଟିନାର ସୁପରଷ୍ଟାର ଲିଓନେଲ ମେସି ମଧ୍ୟ ତାଙ୍କ ପଛକୁ ରହିଛନ୍ତି ।

ମେସି ଏଯାବତ୍ ୭୨ଟି ଆନ୍ତର୍ଜାତିକ ଗୋଲ ଦେଇଛନ୍ତି । ଟିମ୍ ଇଣ୍ଡିଆ କ୍ୟାପଟେନଙ୍କ ପାଇଁ ବିଶ୍ୱର ଶ୍ରେଷ୍ଠ ଦଶ ଜଣ ଖେଳାଳିଙ୍କ ମଧ୍ୟରେ ସ୍ଥାନ ପାଇବାର ମଧ୍ୟ ସୁଯୋଗ ରହିଛି । ଆଉ ଗୋଟିଏ ଗୋଲ ଦେଲେ ସେ ଏହି ବିରଳ ରେକର୍ଡରେ ସାମିଲ ହେବେ । ହଙ୍ଗେରୀର ସାନନ୍ଦୋର କୋସିସ, ଜାପାନର କୁସିଗେ କାମାମାଟୋ ଓ କୁଏତର ବାସର ଅବଦୁଲ୍ଲା ୭୫ଟି ଗୋଲ ସ୍କୋର କରିବା ସହ ଶ୍ରେଷ୍ଠ ୧୦ଜଣ ଖେଳାଳିଙ୍କ ମଧ୍ୟରେ ନିଜକୁ ସାମିଲ କରିଛନ୍ତି । ଦୀର୍ଘଦିନ ଧରି ଟିମ୍ ଇଣ୍ଡିଆ ପାଇଁ ଖେଳୁଥିବା ସୁନୀଲ ଛେତ୍ରୀ ଏବେ ଦଳର କ୍ୟାପଟେନ୍ ଅଛନ୍ତି । ଅନେକ ଶକ୍ତିଶାଳି ଦେଶ ବିପକ୍ଷରେ ନିଜେ ଚମତ୍କାର ପ୍ରଦର୍ଶନ କରି ଦଳକୁ ଆକର୍ଷଣୀୟ ବିଜୟ ଦେଇଛନ୍ତି ।

ବାଂଲାଦେଶ ବିପକ୍ଷ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ ବେଳେ ସୁନୀଲ ଛେତ୍ରୀ ଚମତ୍କାର ପ୍ରଦର୍ଶନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଥିଲେ । ସେ ୭୯ତମ ମିନିଟରେ ଟିମ୍ ଇଣ୍ଡିଆ ପାଇଁ ପ୍ରଥମ ଗୋଲ ସ୍କୋର କରିଥିଲେ । ପରେ ଅତିରିକ୍ତ ସମୟରେ ମଧ୍ୟ ସୁନୀଲ ଆଉ ଏକ ଗୋଲ ଦେଇ ବିଜୟ ବ୍ୟବଧାନକୁ ବଢାଇଥିଲେ ।

ବର୍ତ୍ତମାନ ଖେଳୁଥିବା ସବୁ ଷ୍ଟ୍ରାଇକରଙ୍କ ଠାରୁ ଉପରେ ରହିଛନ୍ତି ପର୍ତ୍ତୁଗାଲ ଷ୍ଟ୍ରାଇକର କ୍ରିଷ୍ଟିଆନୋ ରୋନାଲଡୋ । ସେ ୧୦୩ଟି ଗୋଲ ଦେଇ ଫୁଟବଲରେ ଏକ କିର୍ତ୍ତୀମାନ ସୃଷ୍ଟି କରିଛନ୍ତି । ତାଙ୍କ ପଛକୁ ଭାରତର ସୁନୀଲ ଛେତ୍ରୀ ୭୪ଟି ଗୋଲ ଦେଇ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଛେତ୍ରୀଙ୍କ ଏହି ଅନନ୍ୟ ସଫଳତା ପାଇଁ ତାଙ୍କୁ ଚାରିଆଡୁ ପ୍ରଶଂସାର ସୁଅ ଛୁଟୁଛି ।

You might also like