ଭାଇରାଲ ହେଲା ଛାତ୍ରୀଙ୍କ ସହ ସଂସ୍କୃତ ଶିକ୍ଷକଙ୍କ ଭିଡିଓ

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବୁରାଡ଼ି ଅଞ୍ଚଳରେ ଜଣେ ସ୍କୁଲ୍‌ ଶିକ୍ଷକଙ୍କର ତାଙ୍କ ନାବାଳିକା ଛାତ୍ରୀଙ୍କ ସହିତ ଆପତ୍ତିଜନକ ଭିଡିଓ ଭାଇରାଲ ହୋଇଛି। ସରକାରୀ ସ୍କୁଲର ସଂସ୍କୃତ ଶିକ୍ଷକ ବାଳମୁକୁନ୍ଦ ତାଙ୍କ ଘରେ ଏହି ଆପତ୍ତିଜନକ କର୍ମ କରିଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ ଟ୍ୟୁସନ୍‌ ପାଇଁ କିଛି ଛାତ୍ରଛାତ୍ରୀଙ୍କୁ ତାଙ୍କ ଘରକୁ ଡକାଇଥିଲେ। ଏହି ସମୟରେ ଜଣେ ଛାତ୍ରୀଙ୍କ ସହ ସେ ଆପତ୍ତିଜନକ ବ୍ୟବହାର କରିବାକୁ ଲାଗିଥିଲେ। ଯାହାକୁ କି ସେଠାରେ ଉପସ୍ଥିତ ଥିବା ଅନ୍ୟ ଛାତ୍ରଛାତ୍ରୀମାନେ ଲୁଚିକରି ସେମାନଙ୍କ ମୋବାଇଲ୍‌ରେ ରେକର୍ଡ କରିଥିଲେ।

ଏବେ ସେହି ଭିଡିଓଟି ଭାଇରାଲ ହେବାରେ ଲାଗିଛି। ଘଟଣା ସମ୍ପର୍କରେ ପୀଡ଼ିତାଙ୍କ ବାପା ମାଆ ଜାଣିବା ପରେ ସ୍କୁଲ୍‌ ଆଗରେ ଯାଇ ସମ୍ପୃକ୍ତ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଜଣେ ଶିକ୍ଷକ କିପରି ନିଜ ଛାତ୍ରୀଙ୍କ ସହିତ ଏଭଳି କୁକର୍ମ କରିପାରିଲେ, ତାକୁନେଇ ସାରା ଅଞ୍ଚଳରେ ବିରୋଧ ପ୍ରଦର୍ଶନ କରାଯାଇଥିଲା। ଭିଡିଓ ଭାଇରାଲ ହେବାପରେ ଆଖପାଖ ଲୋକ ଓ ଅନ୍ୟ ଛାତ୍ରଛାତ୍ରୀଙ୍କ ଅଭିଭାବକମାନେ ମଧ୍ୟ ଏହାକୁ କଡା ନିନ୍ଦା କରିଛନ୍ତି।

ଏଥିସହିତ ଅଭିଭାବକମାନେ ସ୍କୁଲ୍‌ ଆଗରେ ପୋଡ଼ାଜଳା କରିବା ସହିତ ପୁଲିସ୍‌କୁ ଏହି ଘଟଣା ସମ୍ୱନ୍ଧରେ ଅବଗତ କରାଇଛନ୍ତି। ଖବର ପାଇ ସେଠାରେ ପୁଲିସ ପହଞ୍ଚି ସମ୍ପୃକ୍ତ ଶିକ୍ଷକଙ୍କୁ ଗିରଫ କରିବା ସହିତ ପୀଡ଼ିତାଙ୍କର ବୟାନ ରେକର୍ଡ କରିଛି। ଏଥିସହିତ ସମ୍ପୃକ୍ତ ଶିକ୍ଷକଙ୍କ ବିରୋଧରେ ପକ୍ସୋ ଆକ୍ଟ ଲଗାଯାଇ ଏକ ମାମଲା ରୁଜୁ ହୋଇଛି।

You might also like