ବାତ୍ୟା ତାଉତେର ଲ୍ୟାଣ୍ଡଫଲ୍ ପରେ ଗୁଜରାଟରେ ବ୍ୟାପକ କ୍ଷୟକ୍ଷତି

ତାକତ୍‌ ଦେଖାଇଲା ତାଉତେ

ଗୁଜୁରାଟ୍‌: ଅତିଭୀଷଣ ସାମୁଦ୍ରିକ ଝଡ଼ ତାଉତେର ଲ୍ୟାଣ୍ଡଫଲ୍ ପରେ ଗୁଜରାଟରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିବା ସହ ବିଦ୍ୟୁତ୍‌ ଖୁଣ୍ଟ ମଧ୍ୟ ଉପୁଡ଼ି ପଡ଼ିଛି। ବାତ୍ୟା ପ୍ରଭାବରେ ଉପକୂଳରେ ପ୍ରବଳ ବର୍ଷା ଲାଗି ରହିଛି। ବିଦ୍ୟୁତ୍‌ ଖୁଣ୍ଟ ଉପୁଡ଼ି ପଡ଼ିବାରୁ ବିଦ୍ୟୁତ୍‌ ସରବରାହ ବାଧାପ୍ରାପ୍ତ ହୋଇଛି। ଅନ୍ୟପଟେ ସ୍ଥଳଭାଗ ଛୁଇଁବା ପରେ ଧିରେଧିରେ ଦୁର୍ବଳ ହେଉଛି ବାତ୍ୟା। ତାଜା ସୂଚନା ଅନୁଯାୟୀ ତାଉତେ ଗୁଜରାଟ ସୌରାଷ୍ଟ୍ର ଉପକୂଳ ଅତିକ୍ରମ କରିସାରିଛି। ଏହା ଘଣ୍ଟା ପ୍ରତି ୧୩ କିମି ବେଗରେ ଉତ୍ତର ଏବଂ ଉତ୍ତର-ପୂର୍ବ ଦିଗରେ ଗତି କରୁଛି। ବାତ୍ୟା ପ୍ରଭାବରେ ଜୁନାଗଡ଼, ଆମ୍ରେଲି ଏବଂ ଭବନଗର ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି।

ବିଭିନ୍ନ ସ୍ଥାନରେ ବଡ଼ବଡ଼ ଗଛ ସବୁ ଭାଙ୍ଗି ରାସ୍ତାରେ ପଡ଼ିଥିବା ଦେଖଥିବାକୁ ମିଳିଛି। ରାତିରେ କ୍ଷୟକ୍ଷତି ଆକଳନ କରିବା ସମ୍ଭବ ହୋଇନଥିବାରୁ ଧିରେଧିରେ ଅଧିକ ତଥ୍ୟ ସାମ୍ନାକୁ ଆସିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ଗୁଜରାଟର ସୌରାଷ୍ଟ୍ର ଉପକୂଳରେ ଗତକାଲି ରାତି ପ୍ରାୟ ୯ଟାରେ ଏହା ସ୍ଥଳଭାଗ ଛୁଇଁଥିଲା। ୩ ଘଣ୍ଟା ଧରି ଚାଲିଥିଲା ଲ୍ୟାଣ୍ଡଫଲ୍ ପ୍ରକ୍ରିୟା। ରାତି ୧୨ଟା ବେଳେ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଶେଷ ହୋଇଥିବା ନେଇ ଆଇଏମଡ଼ି ପକ୍ଷରୁ ସୂଚନା ଦିଆଯାଇଛି। ଲ୍ୟାଣ୍ଡଫଲ୍ ବେଳେ ପବନର ବେଗ ଥିଲା ଘଣ୍ଟା ପ୍ରତି ୧୫୦ ରୁ ୧୭୫ କିଲୋମିଟର। ଗୁଜରାଟ ଉପକୂଳ ଛୁଇଁବା ପୂର୍ବରୁ ମହାରାଷ୍ଟ୍ର, ଗୋଆ, କର୍ଣ୍ଣାଟକ ଏବଂ କେରଳରେ ବାତ୍ୟାର ପ୍ରଭାବ ଦେଖିବାକୁ ମିଳିଥିଲା।

ସେପଟେ, ନିଶ୍ଚିତ ମୃତ୍ୟୁ  ମୁଖରୁ ବର୍ତ୍ତିଗଲେ ୯ ଜଣ ମତ୍ସ୍ୟଜୀବୀ । ଗଭୀର ସମୁଦ୍ର ମଧ୍ୟରେ ଫସି ରହିଥିବା ଏହି ମତ୍ସ୍ୟଜୀବୀଙ୍କୁ ତଟରକ୍ଷୀ ବାହିନୀ ଏବଂ ନୌସେନା ଟିମ୍ ଉଦ୍ଧାର କରି ସୁରକ୍ଷିତ ଭାବେ କୁଳକୁ ଆଣିଛନ୍ତି । ତାଉତେ ପ୍ରଭାବରେ ଆରବ ସାଗର ଅସ୍ଥିର, ଅଥୟ ଓ ବିପଦଜନ୍ନକ ଥିବାବେଳେ ଏକ ଚ୍ୟାଲେଞ୍ଜପୂର୍ଣ୍ଣ ରେସକ୍ୟୁ ଅପରେସନ ଶେଷରେ ସଫଳ ହୋଇଛି । କର୍ଣ୍ଣାଟକର ନ୍ୟୁ ମାଙ୍ଗାଲୋର ତଟରୁ ଅନତି ଦୂରରେ ଆଜି ଫସି ଯାଇଥିଲା ମତ୍ସ୍ୟଜୀବୀଙ୍କ ଏକ ଭେସାଲ ।

ଝଡ଼ ତୋଫାନରେ ଫସି ରହିଥିବା ମତ୍ସ୍ୟଜୀବୀମାନେ ଭିଡିଓ ବାର୍ତ୍ତା ଜରିଆରେ ତଟରକ୍ଷୀ ବାହିନୀର ସହାୟତା ଲୋଡ଼ିଥିଲେ । ସମୁଦ୍ରରେ ୫ ରୁ ୬ ମିଟର ଉଚ୍ଚର ଉଚ୍ଚ ଜୁଆର ଆସୁଥିବା ବେଳେ ପବନର ବେଗ୍ ମଧ୍ୟ ଅତି ଅଧିକ ରହିଥିଲା । ଏଭଳି ପରିସ୍ଥିତିରେ ସେଠାରୁ ସମସ୍ତ ମତ୍ସ୍ୟଜୀବୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ସେମାନଙ୍କ ମେଡିକାଲ ଯାଞ୍ଚ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୪ଜଣଙ୍କୁ ଏୟାର ଲିଫ୍ଚ ଜରିଆରେ ମାଙ୍ଗାଲୋର ସ୍ଥାନାନ୍ତର କରାଯାଇଥିଲା । ବର୍ତ୍ତମାନେ ସେମାନେ NMPT ହସ୍ପିଟାଲରେ ଚିକିତ୍ସିତ କରାଯାଉଛି ।

You might also like