ଖାଲି NDRF ନୁହେଁ ବାୟୁସେନା ବି ରଖିଛି ନଜର, ସମୁଦ୍ର ଉପରେ ହେଲିକପ୍ଟର ମାରୁଛି ପଇଁନ୍ତରା

ନୂଆଦିଲ୍ଲୀ: ଭେରି ସିଭିଅର ସାଇକ୍ଲୋନିକ ଷ୍ଟର୍ମରେ ରୂପାନ୍ତରିତ ହୋଇସାରିଲାଣି ସାମୁଦ୍ରିକ ଝଡ଼ ତାଉତେ । ଏହାର ପ୍ରଭାବରେ ଗୋଆରେ ପ୍ରବଳ ବର୍ଷା ଲାଗି ରହିଛି । ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗି ରାସ୍ତା ଉପରେ ପଡ଼ି ରହିଥିବା ବେଳେ ଯାତାୟତ ମଧ୍ୟ ବନ୍ଦ ହୋଇଯାଇଛି । ରେସକ୍ୟୁ ଟିମ୍ ପକ୍ଷରୁ ରାସ୍ତାରେ ପଡ଼ି ରହିଥିବା ଗଛଗୁ଼ଡ଼ିକୁ କାଟି ସଫା କରାଯାଉଛି ।

ସେପଟେ ସମୁଦ୍ର ଅଶାନ୍ତ ରହିଛି, ଉଚ୍ଚ ଉଚ୍ଚ ଜୁଆର କୂଳ ଆଡ଼କୁ ମାଡ଼ି ଆସୁଛି । ଆରବ ସାଗରରେ ସୃଷ୍ଟ ଏହି ସାମୁଦ୍ରିକ ଝଡ଼ ତାଉତେ ବର୍ତ୍ତମାନ ଘଣ୍ଟାପ୍ରତି ୧୧ କିଲୋମିଟର ବେଗରେ ଗତି କରୁଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହା ଉତ୍ତର ଦିଗରେ ଗତି କରି ପୂର୍ବ ମଧ୍ୟ ଆରବ ସାଗରରେ ଗୋଆର ପାଞ୍ଜିମଠାରୁ ୧୨୦ କିଲୋମିଟର ପଶ୍ଚିମ- ଦକ୍ଷିଣ ପଶ୍ଚିମ ଓ ମୁମ୍ବାଇଠାରୁ ୪୨୦ କିଲୋମିଟର ଦକ୍ଷିଣ-ଦକ୍ଷିଣ ପୂର୍ବରେ କେନ୍ଦ୍ରୀଭୂତ ହୋଇଛି । ଆସନ୍ତା ୨୪ ଘଣ୍ଟାରେ ଏହା ଅଧିକ ଘନୀଭୂତ ହୋଇ ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କରି ୧୭ ତାରିଖ ଦିନ ସଂଧ୍ୟାରେ ଗୁଜୁରାଟ ଉପକୂଳରେ ପହଞ୍ଚିବ । ୧୮ ତାରିଖ ସକାଳୁ ପୋରବନ୍ଦର ଓ ମହୁଆ ମଧ୍ୟରେ ଲ୍ୟାଣ୍ଡଫଲ୍ କରିବା ନେଇ ପୂର୍ବାନୁମାନ କରିଛି ଆଇଏମଡି ।

ସେତେବେଳେ ଘଣ୍ଟାପ୍ରତି ପବନର ବେଗ ୧୫୦ରୁ ୧୬୦ କିଲୋମିଟର ରହିବ ବୋଲି ଆଶଙ୍କା କରାଯାଉଛି । ବାତ୍ୟା ତାଉତେ ପ୍ରଭାବରେ ଲାକ୍ଷାଦୀପ ଦୀପପୁଂଜ ଅଂଚଳରେ ମଧ୍ୟ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେପଟେ ବାତ୍ୟା ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମହାରାଷ୍ଟ୍ର, ଗୁଜୁରାଟ ମୁଖ୍ୟମନ୍ତ୍ରୀ ଏବଂ ଡାମନ ଡିଉର ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ।

ଅନ୍ୟପଟେ ସାମୁଦ୍ରିକ ଝଡ଼ ତାଉତେର ମୁକାବିଲା ପାଇଁ ବର୍ତ୍ତମାନ ସୁଦ୍ଧା ୧୦୧ ଏନଡିଆରଏଫ୍ ଟିମ୍ ଆଲର୍ଟରେ ରହିଛନ୍ତି । ପ୍ରଭାବିତ ଆଶଙ୍କା ଥିବା ୬ଟି ରାଜ୍ୟ କେରଳ, କର୍ଣ୍ଣାଟକ, ତାମିଲନାଡୁ, ମହାରାଷ୍ଟ୍ର, ଗୋଆ, ଗୁଜରାଟ ସମେତ ଡିୟୁରେ ଏନଡିଆରଏଫ୍ ଟିମ୍ ମୁତୟନ ହୋଇଛନ୍ତି । ୬୫ଟି ଏନଡିଆରଏଫ୍ ଟିମ୍ ଫିଲ୍ଡରେ ନିୟୋଜିତ ଥିବା ବେଳେ ୧୪ଟି ଟିମ୍ ରିଜର୍ଭ ହୋଇ ରହିଛନ୍ତି । ଏହାସହ ଅନ୍ୟ ପ୍ରଭାବିତ ଅଞ୍ଚଳରେ ରିଲିଫ୍ ଓ ରେସକ୍ୟୁ ସହ ଏୟାର ଲିଫ୍ଟ ପାଇଁ ୨୨ଟି ଟିମକୁ ଆଲର୍ଟରେ ରଖାଯାଇଛି ।

ସେହିଭଳି ବାୟୁସେନା ପକ୍ଷରୁ ବି ସ୍ଥିତି ଉପରେ କଡ଼ା ନଜର ରଖାଯାଇଛି । ଆରବ ସାଗରରେ ବାୟୁସେନା ବିମାନ ପଇଁନ୍ତରା ମାରୁଛି । ଯେପରି ସମୁଦ୍ର ଭିତରେ କୌଣସି ମତ୍ସ୍ୟଜୀବୀ ବୋଟ୍ କିମ୍ବା ଅନ୍ୟ ଜାହାଜ ରହି ନ ଯାଏ, ସେନେଇ ସଜାଗ ରହିଛି ଭାରତୀୟ ବାୟୁ ସେନା । ହେଲିକପ୍ଟର ସହ ଲଢ଼ୁଆ କ୍ୟାପେଟନ୍ ଏହି କାର୍ଯ୍ୟରେ ନିୟୋଜିତ ଅଛନ୍ତି । ବିଶେଷ ଭାବେ କେରଳ, ମହାରାଷ୍ଟ୍ର, ଗୁଜରାଟ ଉପକୂଳରେ ଥିବା ବନ୍ଦର ଉପରେ ବି ବାୟୁସେନା ହେଲିକର ନଜର ରଖିଛି । ବନ୍ଦରରେ କ୍ଷୟକ୍ଷତିକୁ ଏଡ଼ାଇବାକୁ ବାୟୁ ସେନା ନିଜ ପ୍ରୟାସ ଜାରି ରଖିଛି । ଏହାସହ ଲୋକଙ୍କୁ ବିଭିନ୍ନ ଅଞ୍ଚଳରୁ ସୁରକ୍ଷିତ ସ୍ଥାନକୁ ନିଆଯାଉଛି । ସେ ସବୁକୁ ବି ତଦାରଖ କରାଯାଉଛି ।

You might also like