ଇନୋଭା ଉପରେ ଚଢିଗଲା ଡିଜେଲ ଭର୍ତ୍ତି ଟ୍ୟାଙ୍କର, ୭ ମୃତ

ମଥୁରା: ମଙ୍ଗଳବାର ବିଳମ୍ବିତ ରାତିରେ ଯମୁନା ଏକ୍ସପ୍ରେସ ୱେରେ ଭୟଙ୍କର ଦୁର୍ଘଟଣା ଘଟିଯାଇଛି ।  ଡିଜେଲ ନେଇ ଯାଉଥିବା ଏକ ଟ୍ୟାଙ୍କର ନିୟନ୍ତ୍ରଣ ହରାଇ ଡିଭାଇଡରରେ ପିଟି ହୋଇଯାଇଛି। ଫଳରେ ଡିଭାଇଡର ଭାଙ୍ଗି ଯାଇ ଟ୍ୟାଙ୍କରଟି ଆଗ୍ରା ଆଡକୁ ଯାଉଥିବା ଏକ ଇନୋଭା ଉପରେ ଚଢି ଯାଇଛି। ଇନୋଭାରେ ଥିବା ୭ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଦୁର୍ଘଟଣା ଖବର ପାଇ ଡିଏମ ନବନୀତ ଚହଲ ଏବଂ ଏସ୍‌ଏସ୍‌ପି ଗୌରବ ଗ୍ରୋଭର ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ପୋଲିସ ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ଡିଜେଲ ଭର୍ତ୍ତି କରି ଟ୍ୟାଙ୍କର (HR69-3433)ଟି ଦ୍ରୁତଗତିରେ ନୋଏଡା ଆଡ ଆସୁଥିଲା। ନୌଝଲ କ୍ଷେତ୍ରର ମାଇଲଷ୍ଟୋନ ୬୮ ନିକଟରେ ଭାରସାମ୍ୟ ହରାଇ ଡିଭାଇଡରକୁ ପିଟିଥିଲା। ଧକ୍କା ଏତେ ଜୋରରେ ହୋଇଥିଲା ଯେ, ଡିଭାଇଡର ଭାଙ୍ଗିଯାଇ ଟ୍ୟାଙ୍କରଟି ନୋଏଡା ଆଡକୁ ଯାଇଥିବା ରାସ୍ତାକୁ ଚାଲି ଯାଇଥିଲା। ଏହି ସମୟରେ HR 33D 0961 ନମ୍ବର ବିଶିଷ୍ଟ ଇନୋଭା କାର ଯାଉଥିବାବେଳେ ଟ୍ୟାଙ୍କରଟି ଇନୋଭା ଉପରେ ଚଢି ଯାଇଥିଲା। ଫଳରେ ଇନୋଭାରେ ଥିବା ୭ ଜଣ ଟ୍ୟାଙ୍କର ତଳେ ଚାପି ହୋଇ ଯାଇଥିଲେ। ଘଟଣାସ୍ଥଳରେ ସମସ୍ତଙ୍କର ମୃତ୍ୟୁ ଘଟିଥିଲା।

ଦୁର୍ଘଟଣାରେ ମୃତ ବ୍ୟକ୍ତିମାନେ ହରିଆଣାର ବୋଲି ଜଣାପଡ଼ିଛି। ପୋଲିସ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଦୁର୍ଘଟଣା ଖବର ମିଳିବା ପରେ ପୋଲିସ ଏକ୍ସପ୍ରେସୱେ କର୍ମୀ ଏବଂ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ତୁରନ୍ତ ପହଞ୍ଚି ଯାଇଥିଲେ। ଏସଏସପି ଗୌରବ ଗ୍ରୋଭରଙ୍କ କହିଛନ୍ତି, ଟ୍ୟାଙ୍କରରେ ଡିଜେଲ ଭର୍ତ୍ତି ଥିଲା ଏବଂ ଦୁର୍ଘଟଣା ପରେ ଏହା ରାସ୍ତାରେ ଢାଳି ଯାଇଛି। ତେଣୁ ରିଫାଇନାରୀର ସେଫ୍ଟି ୟୁନିଟ୍‌ ଏବଂ ଦମକଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି।

ମୃତକମାନେ ଗୋଟିଏ ପରିବାରର ବୋଲି ଜଣାପଡ଼ିଛି। ମୃତକଙ୍କ ପରିବାର ବର୍ଗଙ୍କୁ ଚିହ୍ନଟ କରି ଦୁର୍ଘଟଣା ସମ୍ପର୍କରେ ସୂଚନା ଦିଆଯାଇଛି। ଦୁର୍ଘଟଣାରେ କାର୍‌ଟି ସଂପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଛି।

 

You might also like