ଲକ୍‌ଡାଉନ୍‌ କଟକଣା ମାନିଲେନି ବୋଲି ବାପ-ପୁଅଙ୍କୁ ପିଟି ପିଟି ମାରିଦେଲା ପୁଲିସ୍‌ ! ତେଜିଲା ରାଜନୀତି

ଚେନ୍ନାଇ: ତାମିଲନାଡୁର ଟୁଟିକୋରିନ୍‌ରେ ପୁଲିସ୍‌ ହେପାଜତରେ ବାପା-ପୁଅଙ୍କ ମୃତ୍ୟୁକୁ ନେଇ ସାଧାରଣ ଜନତାଙ୍କଠୁ ଆରମ୍ଭ କରି ପ୍ରମୁଖ, ରାଜନେତା, ଅଭିନେତା, ଅଭିନେତ୍ରୀଙ୍କ ମଧ୍ୟରେ ଆକ୍ରୋଶ ଦେଖିବାକୁ ମିଳିଛି। ଏହି ଘଟଣାକୁ ନେଇ ପୁଲିସ୍‌ ଉପରେ ନିର୍ଯାତନାର ଅଭିଯୋଗ ଲାଗିଛି। ଏପରିକି ଏହି ଘଟଣାକୁ ନେଇ ରାଜନୀତି ତେଜିବା ସହ ଆଇନ୍ ଶୃଙ୍ଖଳାରେ ସଂସ୍କାର ଆଣିବାକୁ ମଧ୍ୟ ଦାବି ହୋଇଛି। ମୃତକ ହେଲେ ପି ଜୟରାଜ୍‌ ଓ ତାଙ୍କ ପୁଅ ବେନିକ୍ସ। 

ଗତ ଶୁକ୍ରବାର ଦିନ ଜୟରାଜ୍‌ ଓ ବେନିକ୍ସ ଅନୁମତି ସମୟରୁ(ଲକ୍‌ଡାଉନ୍‌ ପାଇଁ ଲାଗୁ ହୋଇଥିବା କଟକଣା) ଅଧିକ ସମୟ ପର୍ଯ୍ୟନ୍ତ ଟୁଟିକୋରିନ୍‌ ସ୍ଥିତ ସେମାନଙ୍କର ମୋବାଇଲ୍ ଦୋକାନ ଖୋଲା ରଖିଥିଲେ ବୋଲି ଅଭିଯୋଗ ହୋଇଥିଲା। ଯାହାକୁ ନେଇ ପୁଲିସ୍‌ ସେମାନଙ୍କୁ ଗିରଫ କରିଥିଲା। ଏହି ଘଟଣାର ୪ ଦିନ ପରେ ସେମାନଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା।

ପରିବାର ଲୋକଙ୍କ ଅଭିଯୋଗ ଆଣିଛନ୍ତି ଯେ, ଜୟରାଜ୍‌ ଓ ବେନିକ୍ସ ପୁଲିସ୍‌ ହେପାଜତରେ ଥିବାବେଳେ ପୁଲିସ୍‌ କର୍ମଚାରୀମାନେ ସେମାନଙ୍କୁ ନିସ୍ତୁକ ମାଡ଼ ମାରିବା ସହ ନିର୍ଯାତନା ଦେଇଥିଲେ। କାରଣ ସେମାନଙ୍କ ଶରୀରରେ କ୍ଷତ ଚିହ୍ନ ଦେଖିବାକୁ ମିଳିଥିଲା। 

ଏହି ଘଟଣା ପରେ ପୁଲିସ୍‌ର କାର୍ଯ୍ୟକଳାପକୁ ନେଇ ଲୋକଙ୍କ ମଧ୍ୟରେ ଆକ୍ରୋଶ ଆସିବା ସହ ରାଜନୀତି ମଧ୍ୟ ତେଜିବାରେ ଲାଗିଛି। ବିରୋଧୀ ଦଳ ଡିଏମ୍‌କେ ଘଟଣାକୁ ନେଇ ଏଆଇଏଡିଏମ୍‌କେ ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି।

ଏହି ଘଟଣାରେ ଆଇନ୍‌କୁ ହାତକୁ ନେବା ପାଇଁ ସରକାର କେମିତି ପୁଲିସ୍‌କୁ ଅନୁମତି ଦେଲେ ବୋଲି ଡିଏମ୍‌କେ ପ୍ରଶ୍ନ କରିଛି। ଏହାସହ ମୃତକଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ଦେବାକୁ ଘୋଷଣା କରାଯାଉ ବୋଲି ଡିଏମ୍‌କେ ପାର୍ଟି ପକ୍ଷରୁ କୁହାଯାଇଛି।

ଅନ୍ୟପକ୍ଷରେ, ଏହି ଘଟଣାରେ ୪ଜଣ ପୁଲିସ୍ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। ମୁଖ୍ୟମନ୍ତ୍ରୀ ପଲାନୀସ୍ୱାମୀ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା ଓ ଜଣକୁ ଚାକିରି ଦେବା ଲାଗି ଘୋଷଣା କରିଛନ୍ତି।

ଏହି ବର୍ବରତା ପାଇଁ ଯେଉଁମାନେ ଦାୟୀ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ବିରୋଧୀ ଦଳ ନେତା ଏମ୍‌କେ ଷ୍ଟାଲିନ୍‌ ଦାବି କରିଛନ୍ତି। ସାଂସଦ କାନିମୋଝୀ ମଧ୍ୟ ଏହି ଘଟଣାକୁ ନେଇ ରାଷ୍ଟ୍ରୀୟ ମାନବାଧିକାର ଆୟୋଗଙ୍କ ନିକଟକୁ ଚିଠି ଲେଖିଛନ୍ତି। ମୃତକଙ୍କ ପରିବାର ଲୋକ ମଧ୍ୟ ଏହି ମାମଲାରେ ସମ୍ପୃକ୍ତ ପୁଲିସ୍‌ କର୍ମଚାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରିବା ଲାଗି ଦାବି କରିଛନ୍ତି।

ଜୟରାଜ୍‌ ଓ ଫେନିକ୍ସଙ୍କ ପରିବାରକୁ ନ୍ୟାୟ ପ୍ରଦାନ କରିବା ଲାଗି ଏବେ ଟ୍ୱିଟରରେ #JusticeForJayarajandBennicks ଟ୍ରେଣ୍ଡିଂ କରୁଛି। ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା, କାଜଲ ଅଗ୍ରୱାଲ୍‌, ଶମିତା ସେଟ୍ଟୀ, କମେଡିଆନ୍‌ ଭୀର୍‌ ଦାସ୍‌ଙ୍କ ସମେତ ବହୁ ପ୍ରମୁଖ ଅଭିନେତା ଓ ଅଭିନେତ୍ରୀ #JusticeForJayarajandBennicks ଏହି ହ୍ୟାସ୍‌ ଟାଗ୍‌ ବ୍ୟବହାର କରି ଟ୍ୱିଟ୍‌ କରିଛନ୍ତି।   

You might also like