କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଚାଲିଛି ମତଦାନ

ଚେନ୍ନାଇ : କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ତାମିଲନାଡୁର ୩୮ଟି ଲୋକସଭା ଆସନ ପାଇଁ ମତଦାନ ଚାଲିଛି। ଏଥିସହ ୧୮ଟି ବିଧାନସଭା ପାଇଁ ଉପନିର୍ବାଚନ ହେଉଛି। ଦିନ ୧ଟା ସୁଦ୍ଧା ୩୯.୪୨ ପ୍ରତିଶତ ଭୋଟିଂ ହୋଇଛି। ସେଣ୍ଟ୍ରାଲ ଚେନ୍ନାଇରେ ସବୁଠାରୁ କମ୍ ୨୨.୮ ପ୍ରତିଶତ ମତଦାନ ହୋଇଛି।

ତାମିଲନାଡୁରେ ଏଆଇଏଡିଏମ୍‌କେ, ବିଜେପି, ପିଏମ୍‌କେ ମଧ୍ୟରେ ମେଣ୍ଟ ହୋଇଥିବା ବେଳେ କଂଗ୍ରେସ ଓ ଡିଏମକେ ମଧ୍ୟରେ ମେଣ୍ଟ ହୋଇଛି। ମତଦାନ ପୂର୍ବରୁ ଭେଲୋର ଲୋକସଭା ଆସନରେ ବିପୁଳ ପରିମାଣର ଟଙ୍କା ଜବତ ହେବାପରେ ନିର୍ବାଚନ କମିଶନଙ୍କ ସୁପାରିଶ କ୍ରମେ ରାଷ୍ଟ୍ରପତି ସେଠାରେ ମତଦାନ ବାତିଲ କରିଛନ୍ତି।

ସେପଟେ କର୍ଣ୍ଣାଟକର ୧୪ଟି ଲୋକସଭା ଆସନ ପାଇଁ ଭୋଟ୍‌ ଗ୍ରହଣ ଚାଲିଛି। ଦିନ ୧ଟା ସୁଦ୍ଧା ସେଠାରେ ମାତ୍ର ୨୦.୬୨ ପ୍ରତିଶତ ଭୋଟିଂ ହୋଇଥିବା ରେକର୍ଡ କରାଯାଇଛି। ବେଙ୍ଗାଲୁରୁ ସାଉଥ୍‌ରେ ୧୯.୬୯ ପ୍ରତିଶତ, ବେଙ୍ଗାଲୁରୁ ସେଣ୍ଟ୍ରାଲରେ ୧୫.୨୭ ପ୍ରତିଶତ ଓ ବେଙ୍ଗାଲୁରୁ ନର୍ଥରେ ୧୫.୮୫ ପ୍ରତିଶତ ଭୋଟିଂ ହୋଇଛି।

ନିର୍ବାଚନ କମିଶନଙ୍କ ପକ୍ଷରୁ ମତଦାନକୁ ପ୍ରୋତ୍ସାହିତ କରିବା ପାଇଁ ବ୍ୟାପକ ସଚେତନତା ଅଭିଯାନ କରାଯାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ମତଦାନ ହାର କମ୍‌ ରହିଛି।

You might also like