କରୋନା ଯୋଦ୍ଧାଙ୍କୁ ମିଳିଲାନି ଶେଷ ସମ୍ମାନ, ଆମ୍ବୁଲାନ୍ସ ଉପରକୁ ପଥର ମାଡ କଲେ ଲୋକେ

ଚେନ୍ନାଇ: ସାରା ବିଶ୍ୱ ଏବେ ମହାମାରୀ କରୋନା ବିରୋଧରେ ଲଢେଇ କରୁଛି। ଏଭଳି ପରିସ୍ଥିତିରେ ନିଜ ଜୀବନକୁ ବାଜି ଲଗାଇ ଡାକ୍ତରମାନେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା କରୁଥିବା ବେଳେ ମୃତ୍ଯୁ ପରେ ମଧ୍ୟ ସେମାନଙ୍କୁ ଶେଷ ସମ୍ମାନ ମିଳୁନାହିଁ। ତାମିଲନାଡୁର ଚେନ୍ନାଇରେ ଏଭଳି କିଛି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।

ଗତ ରବିବାର ଚେନ୍ନାଇର ଡାକ୍ତର ସାଇମନ୍ ହରକ୍ୟୁଲସଙ୍କ ମୃତ୍ଯୁ ଘଟିଥିଲା। ଅନ୍ତିମ ସଂସ୍କାର ପାଇଁ ତାଙ୍କୁ ସମାଧିସ୍ଥଳକୁ ନିଆଯାଉଥିବା ବେଳେ ସ୍ଥାନୀୟ ଲୋକମାନେ ତୀବ୍ର ବିରୋଧ କରିଥିଲେ। କରୋନା ସଂକ୍ରମଣ ହେବା ଆଶଙ୍କାରେ ଲୋକମାନେ ବିରୋଧ କରିବା ସହ ଆମ୍ବୁଲାନ୍ସ ଉପରକୁ ପଥର ମାଡ କରିଥିଲେ। ଏଥିସହ ବୋତଲ, ବାଡି ଧରି ଆକ୍ରମଣ କରିବାକୁ ଗୋଡାଇଥିଲେ ଲୋକେ। ଏଥିରେ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ସମେତ କିଛି ସ୍ବାସ୍ଥ୍ୟକର୍ମୀ ଗୁରୁତର ଆହତ ହୋଇଥିଲେ।

ପରିସ୍ଥିତିକୁ ଦେଖି ମୃତ ଡାକ୍ତରଙ୍କୁ ଆଉ ଏକ ସମାଧିସ୍ଥଳକୁ ନିଆଯାଇଥିଲା। ହେଲେ ସେଠାରେ ମଧ୍ୟ ଲୋକମାନେ ଡାକ୍ତରଙ୍କ ଅନ୍ତିମ ସଂସ୍କାରକୁ ବିରୋଧ କରିଥିଲେ।

ଶେଷରେ ମୃତ ଡାକ୍ତରଙ୍କ ଜଣେ ସହଯୋଗୀ ୨ ଜଣ ୱାର୍ଡ ବୟଙ୍କ ସହାୟତାରେ ଆଉ ଏକ ସ୍ଥାନରେ ଡାକ୍ତର ସାଇମନ୍ ହରକ୍ୟୁଲସଙ୍କ ସମାଧି ଦେଇଥିଲେ।

You might also like