ଗୋପାଳଙ୍କର ବୋରୱେଲ ଟ୍ରିକ୍; ଅଧଘଣ୍ଟାରେ ସାଧାରଣ ଉପାୟରେ ସରିବ ଉଦ୍ଧାରକାର୍ଯ୍ୟ, ବଞ୍ଚିଯିବ ନୀରିହ ଶିଶୁର ଜୀବନ

ତାମିଲନାଡ଼ୁ: ବଡ଼ ସମସ୍ୟାର ଛୋଟ ସମାଧାନ। ଏଣିକି ବୋରୱେଲରେ ଫସିଲେ ସହଜରେ ଉଦ୍ଧାର ହୋଇପାରିବେ ଶିଶୁ। ଅନେକ ସମୟରେ ଗାଁରେ ହେଉ ବା ସହରରେ ପାଣି ପାଇଁ ବୋରୱେଲ ଖୋଳାଯାଏ। ହେଲେ ଯଦି ସେଥିରୁ ପାଣି ବାହାରେ ନାହିଁ ତେବେ ତାହାକୁ ସେମିତି ଖୋଲା ଛାଡ଼ି ଦିଆଯାଇଥାଏ। ଏହି ଛୋଟିଆ ଅବହେଳା ପାଇଁ ବେଳେ ବେଳେ ଅନେକ ମୂଲ୍ୟବାନ ଜୀବନ ମଧ୍ୟ ଚାଲିଯାଏ। କେତେବେଳେ କୁକୁର ଛୁଆ କିମ୍ବା ବିଲେଇ ଏହି ବୋରୱେଲ ଭିତରେ ଖସିଯାଆନ୍ତି ତ କେତେବେଳେ ମଣିଷ ଛୁଆ ମଧ୍ୟ ଖସିପଡ଼ିବା ନଜିର ରହିଛି।

Gopal Coimbatore

ଅନେକ ସମୟରେ କୋମଳମତି ଶିଶୁ ଏହି ବୋରୱେଲ ଭିତରେ ଖସିପଡ଼ି ମୃତ୍ୟୁ ବରଣ କରିଥାନ୍ତି। ଖସିପଡ଼ିବା ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥାନ୍ତି ସତ, ହେଲେ କେତେବେଳେ ସଫଳତା ମିଳିଥାଏ ତ କେତେବେଳେ ବିଫଳତାକୁ ସାମ୍ନା କରିବାକୁ ପଡ଼େ। ଆଉ ଅଗ୍ନିଶମ ବାହିନୀର ଅପରେସନ ଦୀର୍ଘ ସମୟ ଧରି ମଧ୍ୟ ଚାଲିଥାଏ।

Gopal Coimbatore

ତେବେ ଏମିତି ଏକ ହୃଦୟ ବିଦାରକ ଘଟଣା ଘଟିଥିଲା ଗୋପାଳଙ୍କ ଆଖି ସାମ୍ନାରେ। ଅଗ୍ନିଶମ ବାହିନୀ ବୋରୱେଲ ଭିତରୁ ଶିଶୁକୁ ଉଦ୍ଧାର କରିଥିଲେ ସତ, କିନ୍ତୁ ତାହା ମୃତଦେହ ଥିଲା। ବୋଧହୁଏ ଉଦ୍ଧାର କାର୍ଯ୍ୟରେ ବିଳମ୍ବ ଯୋଗୁଁ ଏଭଳି ଘଟିଗଲା। ସେଦିନର ଏହି ଘଟଣା ଗୋପାଳଙ୍କ ମନକୁ ଭାରି ଆଘାତ ଦେଇଥିଲା। ଗୋପାଳ ଚିନ୍ତା କରିଥିଲେ ଏହି ସମସ୍ୟାରୁ କିଭଳି ମିଳିବ ମୁକ୍ତି।

Gopal Coimbatore

ଏମିତି ଚିନ୍ତା କରିବା ପରେ ତାଙ୍କ ମନକୁ ଆସିଥିଲା ଏକ ଉପାୟ। କେବଳ ଦୁଇ ଖଣ୍ଡ ପାଇପ୍ ଓ କିଛି ସୂତା ଓ ପଲିଥିନ ଦ୍ୱାରା ସେ ପ୍ରସ୍ତୁତ କଲେ ଏକ ନୂଆ ଟେକ୍ନୋଲୋଜି। ମାତ୍ର ୩୦ ମିନିଟ ଭିତରେ ବୋରୱେଲ ଭିତରୁ ଶିଶୁକୁ ଉଦ୍ଧାର କରାଯାଇପାରିବ। ଗୋପାଳଙ୍କ ଏଭଳି ଜ୍ଞାନକୌଶଳ ଦେଖି ସ୍ଥାନୀୟ ଅଞ୍ଚଳରେ ତାଙ୍କୁ ଢ଼େର ପ୍ରଶଂସା ମିଳୁଛି। ତାମିଲନାଡ଼ୁ କୋଏମ୍ବାଟୁରର ମୂଳବାସିନ୍ଦା ହେଉଛନ୍ତି ଏହି ୫୮ ବର୍ଷୀୟ ଗୋପାଳ।

Gopal Coimbatore

ତେବେ ତାଙ୍କର ଏହି ନୂଆ ଟେକ୍ନୋଲୋଜିର ଏକ ନମୁନା ମଧ୍ୟ ସେ କରି ଦେଖାଇଛନ୍ତି। ଖଣ୍ଡିଏ ମୋଟା ପାଇପ୍, ଦୁଇଟି ପତଳା ଷ୍ଟିଲ ପାଇପ୍, ଦୁଇ ପ୍ରକାର ସୂତା, ପଲିଥିନ ଓ ଏକ କଣ୍ଢେଇ । ଏହି ସବୁ ସମାଗ୍ରୀକୁ ବ୍ୟବାହାର କରି ସେ କିଭଳି ବୋରୱେଲ ଭିତରୁ ଶିଶୁ ଉଦ୍ଧାର ହେବେ ତାହା କରି ଦେଖାଇଛନ୍ତି। ଗୋପାଳ ଜଣେ ଗରିବ ବ୍ୟକ୍ତି ହୋଇଥିଲେ ମଧ୍ୟ ତାଙ୍କର ଏହି ଉଦ୍ଭାବନ ବେଶ୍ ଉଚ୍ଚକୋଟିର। ସରକାରୀ ସହାୟତା ମିଳିଲେ ସେ ଆହୁରି ଭଲଭାବେ ଏହି ପ୍ରୋଜେକ୍ଟ ଉପରେ କାମ କରିପାରିବେ ବୋଲି କହିଛନ୍ତି।

You might also like