ସଫଳ ହେଲା ୧୨ ବର୍ଷର ସ୍ୱପ୍ନ ! ସମୁଦ୍ର ଭିତରେ ହେଲା ବାହାଘର

ଚେନ୍ନାଇ: ବାହାଘର ଭଳି ଜୀବନର ବଡ଼ ପର୍ବକୁ ସ୍ମରଣୀୟ କରିବା ଲାଗି କାହିଁ କେତେ ଆୟୋଜନ ହୋଇଥାଏ। ତାମିଲନାଡୁ ଚେନ୍ନାଇର ସଫ୍ଟେଓ୍ୱର ଇଞ୍ଜିନିଅର ଭି. ଚିନ୍ନାଦୁରାଇ ଏବଂ ଏସ୍. ଶ୍ୱେତା ନିଜ ଜୀବନର ଏହି ବଡ଼ ପର୍ବକୁ ନିଆରା ଢଙ୍ଗରେ ପାଳିଛନ୍ତି। ଦୁହେଁ ପାଣି ଭିତରେ ବିବାହ କରିଛନ୍ତି। ଚେନ୍ନାଇଠାରୁ ଅଳ୍ପ ଦୂର ନିଲାନକରାଇର ବଙ୍ଗୋପସାଗରରେ ପାରମ୍ପରିକ ହିନ୍ଦୁ ରୀତିନୀତିରେ ବିବାହ ସଂପନ୍ନ ହୋଇଛି। ଫେବ୍ରୁଆରି ୧ ତାରିଖ ସକାଳେ ଶୁଭ ମୁହୂର୍ତ୍ତ ଦେଖି ଚିନ୍ନାଦୁରାଇ ଓ ଶ୍ୱେତା ପରସ୍ପରକୁ ମାଳ ପିନ୍ଧାଇ ବାହା ହୋଇଛନ୍ତି।

ବାହାଘର ତ ବାହାଘର, ତାହା ବି ପୁଣି ପାଣି ଭିତରେ ବାହାଘର। ଚେନ୍ନାଇଠାରୁ ଅଳ୍ପ ଦୂରରେ ନିଲନକରାଇ ଉପକୂଳରେ ୬୦ ଫୁଟ୍ ଗଭୀର ସମୁଦ୍ରରେ ବିବାହ କରିଛନ୍ତି ସଫ୍ଟେଓ୍ୱର ଇଂଜିନିଅର ଭି. ଚିନାଦୁରାଇ ଓ ଏସ. ଶ୍ୱେତା। ଦେଶର ପ୍ରଥମ ପାଣି ଭିତର ବାହାଘରର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାର ଲାଗିଛି।

ସମୁଦ୍ର ପାଣି ଭିତରେ ଚିନ୍ନାଦୁରାଇ ଓ ଶ୍ୱେତାଙ୍କ ହାତଗଣ୍ଠି ପଡ଼ିବା ବେଳର ଫଟୋ

ପୁରୋହିତଙ୍କ ଦ୍ୱାରା ନିର୍ଦ୍ଧାରିତ ହୋଇଥିବା ଶୁଭ ମୁହୂର୍ତ୍ତ ପୂର୍ବରୁ ଦୁହେଁ ସମୁଦ୍ର କୂଳରେ ପହଞ୍ଚିଥିଲେ। ବିବାହ ପାଇଁ ବର ଧଳା ଧୋତି ପିନ୍ଧିଥିବାବେଳେ କନ୍ୟା ଲାଲ୍ ଶାଢ଼ୀ ପିନ୍ଧି ସଜେଇ ହୋଇଥିଲେ। ଏହାପରେ ସ୍କୁବା ଡାଇଭ୍ ପାଇଁ ଅଭ୍ୟାସ ମଧ୍ୟ କରିଥିଲେ। ଚିନ୍ନାଦୁରାଇ ଦୀର୍ଘ ୧୨ ବର୍ଷ ଧରି ସ୍କୁବା ଡାଇଭିଂ ସହ ଜଣେ ସ୍ୱୀକୃତିପ୍ରାପ୍ତ ସ୍କୁବା ଡାଇଭର ହୋଇସାରିଛନ୍ତି। ସେପଟେ ନିଆରା ଢଙ୍ଗରେ ବିବାହ ପାଇଁ ଶ୍ୱେତା ଗତ କିଛି ମାସ ହେଲା ସ୍କୁବା ଡାଇଭିଂ ଅଭ୍ୟାସ କରିଥିଲେ। ଶେଷରେ ସୋମବାର ସକାଳ ସାଢ଼େ ୭ଟାରେ ବାହାଘର ପାଇଁ ଶୁଭ ମୁହୂର୍ତ୍ତ ଥିବାରୁ ପୁରୋହିତଙ୍କ ନିର୍ଦ୍ଦେଶ ଅନୁସାରେ ଦୁହେଁ ସମୁଦ୍ରରେ ପଶିଥିଲେ।

ହିନ୍ଦୁ ରୀତିନୀତି ପରମ୍ପରା ଅନୁୟାୟୀ ଆମେ ବିବାହ କରିଥିଲୁ। ପାଣି ଭିତରେ ହି ସମ୍ପୂର୍ଣ୍ଣ ମ୍ୟାରେଜ କରିଥିଲୁ। ଆମର ଶୁଭ ମୁହୂର୍ତ୍ତ ଦେଖି ପୂଜକ ଆରେଂଜ କରିଥିଲେ। ବିଧି ଅନୁସାରେ ସକାଳ ୭.୩୦ ପୂର୍ବରୁ ଥାଳି ଓ ବରମାଳା ଧରି ବାହାରିଥିଲୁ।
-ଚିନ୍ନାଦୁରାଇ, ବର  (ସ୍ୱୀକୃତିପ୍ରାପ୍ତ ସ୍କୁବା ଡ୍ରାଇଭର)
Newly-married-couple-in-sea
ସମୁଦ୍ରରେ ନବବିବାହିତ ଦମ୍ପତି ଚିନ୍ନାଦୁରାଇ ଓ ଶ୍ୱେତା
ପ୍ରଥମରୁ ମୁଁ ଅରାଜି ଥିଲି। କିନ୍ତୁ ସେ ମୋତେ ବହୁତ ଅନୁରୋଧ କରିଥିଲେ। ସୁଇମିଂ ପୁଲ୍‌ରେ ପହଁରା ଶିଖିବା ପରେ ସ୍କୁବା ଡାଇଭିଂ ମଧ୍ୟ ଶିଖିଥିଲି। ମୋର ନିଜ ଉପରେ ଅନେକ ଭରସା ଥିଲା, ଆଜି ମୁଁ  କରିପାରିଲି। ପ୍ରଥମ ଥର ପାଇଁ ମୁଁ ଗଭୀର ସମୁଦ୍ରକୁ ଯାଇଥିଲି। ମୋ ଚାରିଆଡେ ମାଛ ଖେଳୁଥିବାର ମୁଁ ଦେଖିବାକୁ ପାଇଥିଲି। ଏହା ମୋ ଜୀବନର ସୁନ୍ଦର ଅନୁଭୂତି ଥିଲା।
-ଶ୍ୱେତା, କନ୍ୟା

ପାଣି ଭିତରେ ହିନ୍ଦୁ ରୀତିନୀତିରେ ବିବାହ ସଂପନ୍ନ ଲାଗି ୪୫ ମିନିଟ ସମୟ ଲାଗିଥିଲା। ତେବେ ଜଳ ପ୍ରଦୂଷଣ ସଂପର୍କରେ ସଚେତନତା ସୃଷ୍ଟି କରିବା ଲାଗି ଦୁହେଁ ଏଭଳି ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ ବୋଲି ଚିନ୍ନାଦୁରାଇ ଓ ଶ୍ୱେତା କହିଛନ୍ତି।

You might also like