ଚୀନକୁ ସପୁରୀ ମାଡ଼ ମାରିଲା ତାଇୱାନ୍: ଏକାଥରକେ ପାନେ ପାଇଲା ବେଜିଂ

ରପ୍ତାନୀକୁ ଟପିଲା ଘରୋଇ ଚାହିଦା

  • ଚୀନର ମୁକାବିଲା ଲାଗି ତାଇଓ୍ୱାନରେ ସପୁରୀ ବିପ୍ଳବ
  • ବେଜିଂ ଲଗାଇଥିବା କଟକଣାକୁ ବୁମେରାଂ କଲା ସପୁରୀ ଖିଆ ଅଭିଯାନ
  • ରପ୍ତାନୀକୁ ଟପିଲା ଘରୋଇ ଚାହିଦା
  • ପ୍ରବଳ ଦେଶପ୍ରେମ ଆଗରେ ହାର ମାନିଲା ଡ୍ରାଗନର ଦମନମୂଳକ ନୀତି

ନୂଆଦିଲ୍ଲୀ: ତାଇଓ୍ୱାନରେ ସପୁରୀ ବିପ୍ଳବ। ଚୀନର ଦମନମୂଳକ ନୀତି ବିରୁଦ୍ଧରେ ସପୁରୀକୁ ଅସ୍ତ୍ର କରିଛନ୍ତି ତାଇଓ୍ୱାନବାସୀ। ଫଳରେ ଫସର ଫାଟିଛି ତାଇଓ୍ୱାନ ଅର୍ଥନୀତିକୁ ଦୁର୍ବଳ କରିଦେବା ଲାଗି ଚୀନ୍ କମ୍ୟୁନିଷ୍ଟ ଶାସକଙ୍କ ଷଡ଼ଯନ୍ତ୍ର। ତାଇଓ୍ୱାନକୁ ଚୀନ୍ ନିଜର ଏକ ପ୍ରଦେଶ ଭାବେ ବିବେଚନା କରୁଛି କିନ୍ତୁ ତାଇଓ୍ୱାନ ସ୍ୱତନ୍ତ୍ର ଦେଶ ଭାବେ ରହିବାକୁ ଚାହୁଁଛି। ଖାସ୍ କରି ୨୦୧୬ରେ ସାଇ ଇଙ୍ଗ ୱେନ୍‌ ରାଷ୍ଟ୍ରପତି ନିର୍ବାଚିତ ହେବା ପରେ ଚୀନ ବିରୋଧୀ ମନୋଭାବ ଜୋର ଧରିଛି। ଆମେରିକା ଓ ବ୍ରିଟେନ୍ ସମର୍ଥନରେ ଚୀନକୁ ଟକ୍କର ଦେଉଥିବା ତାଇଓ୍ୱାନ୍ ଏବେ ସପୁରୀ ଷ୍ଟ୍ରାଟେଜୀରେ ଡ୍ରାଗନକୁ ମାତ୍ ଦେଇଛି।

ତାଇଓ୍ୱାନର ସପୁରୀ ବିପ୍ଲବକୁ ନେଇ ଏବେ ପୁରା ବିଶ୍ୱରେ ଚର୍ଚ୍ଚା ଚାଲିଛି। କିଭଳି ଏକ ଛୋଟ ଦ୍ୱୀପରାଷ୍ଟ୍ର ଲୋକେ ଏକାଠି ହୋଇ ସପୁରୀକୁ ମାଧ୍ୟମ କରି ଶକ୍ତିଶାଳୀ ଚୀନକୁ ପାନେ ଚଖାଇପାରିଛନ୍ତି ତାହାକୁ ନେଇ ଏବେ ଚାଲିଛି ଆଲୋଚନା ଓ ଚର୍ଚ୍ଚା । ପ୍ରକୃତରେ ପ୍ରଥମେ ବଳ ପ୍ରୟୋଗର ଭୟ ଆଉ ତା ପରେ ଆର୍ଥିକ କଟକଣା ଲଗାଇ ତାଇଓ୍ୱାନ ଉପରେ କର୍ତ୍ତୃତ୍ୱ ଜାହିର ଲାଗି ଉଦ୍ୟମ ଜାରି ରଖିଥିଲା ଚୀନ୍। ଏହାକୁ ନେଇ ନିକଟରେ ତାଇଓ୍ୱାନରୁ ସପୁରୀ ଆମଦାନୀକୁ ବ୍ୟାନ୍ କରିଥିଲା ସି ଜିନପିଙ୍ଗ ପ୍ରଶାସନ।

ତାଇଓ୍ୱାନ ସପୁରୀ ଉତ୍ପାଦନରେ ବିଶ୍ୱର ଏକ ନମ୍ବର ଦେଶ ହୋଇଥିବା ବେଳେ ଏହାର ୯୦ ପ୍ରତିଶତ ସପୁରୀ କିଣୁଥିଲା ଚୀନ। ତେବେ ଦୁଇ ପକ୍ଷ ମଧ୍ୟରେ ରାଜନୈତିକ ତିକ୍ତତା ଚରମ ସୀମାରେ ପହଞ୍ଚିଥିବା ବେଳେ କଠୋର ଆର୍ଥିକ କଟକଣା ଲଗାଇଥିଲା ବେଜିଂ। ଖାସ୍ କରି ତାଇଓ୍ୱାନ ସହ ଆମେରିକା ଓ ଅନ୍ୟ ପଶ୍ଚିମ ରାଷ୍ଟ୍ରଙ୍କ ସଂପର୍କ ବୃଦ୍ଧି ଚୀନକୁ କ୍ଷୁବ୍ଧ କରିଛି। ଆଉ ତାଇଓ୍ୱାନକୁ ପାନେ ଚଖାଇବା ଲାଗି ଯୋଜନା କରିଥିଲା ଡ୍ରାଗନ। ମାତ୍ର ଦେଶପ୍ରେମର ପ୍ରବଳ ବହ୍ନି କିପରି ସବୁ ବାଧା ବିଘ୍ନକୁ ଅତିକ୍ରମ କରିଯାଏ ତାହା କରି ଦେଖାଇଛନ୍ତି ତାଇଓ୍ୱାନବାସୀ।

ଜାତୀୟ ଅର୍ଥନୀତିର ଏକ ପ୍ରମୁଖ ଉତ୍ସକୁ ସୁରକ୍ଷିତ ରଖିବା ଲାଗି ସପୁରୀ ବିପ୍ଲବ ଆରମ୍ଭ କରିଛନ୍ତି ରାଷ୍ଟ୍ରପତି ସାଇ ଇଙ୍ଗ ୱେନ। ହାସ୍ଟ୍ୟାଗ୍ ଫ୍ରିଡମ୍ ପାଇନଆପଲ ନାଁରେ ଆରମ୍ଭ ହୋଇଛି ଏହି ଅଭିଯାନ। ଅଧିକରୁ ଅଧିକ ସପୁରୀ ଖାଇବାକୁ ଆରମ୍ଭ କରିଛନ୍ତି ତାଇଓ୍ୱାନବାସୀ। ଫଳରେ ଘରୋଇ ବଜାରରେ ସପୁରୀ ବିକ୍ରି ଆଶ୍ଚର୍ଯ୍ୟଜନକ ଭାବେ ବଢ଼ିଯାଇଛି। ଏମିତିକି ଗତବର୍ଷ ଚୀନକୁ ଯେତିକି ସପୁରୀ ରପ୍ତାନୀ ହୋଇଥିଲା,ଦେଶରେ ତାଠାରୁ ଅଧିକ ସପୁରୀ ବିକ୍ରି ହୋଇଛି। ତାଇଓ୍ୱାନର ରାଜନେତା, ବ୍ୟବସାୟୀ ଓ ସାଧାରଣ ଜନତା ଏହି ଅଭିଯାନରେ ସାମିଲ ହୋଇଛନ୍ତି। ମିତ୍ର ରାଷ୍ଟ୍ର କାନାଡ଼ା ଓ ଜାପାନ ବି ସହଯୋଗର ହାତ ବଢାଇଛନ୍ତି। ଏପଟେ ଚୀନ ପାଇଁ ବୁମେରାଂ ହୋଇଛି ତାଇଓ୍ୱାନ୍ ସପୁରୀ ଉପରେ କଟକଣା। ଏପିରିକି ସପୁରୀ ଅଭାବରୁ ଦେଶରେ ଦର ୭ରୁ ୮ ଗୁଣା ବଢିଯାଇଥିବା ନେଇ ସୂଚନା ମିଳିଛି।

ଏପଟେ ଲଦାଖ ସୀମା ବିବାଦକୁ ନେଇ ତାଇଓ୍ୱାନ ଭଳି ଚୀନ ବିରୁଦ୍ଧରେ ମଧ୍ୟ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି ଭାରତ। ୨୫୦ରୁ ଅଧିକ ଚାଇନିଜ୍ ଆପକୁ କେନ୍ଦ୍ର ସରକାର ବ୍ୟାନ୍ କରିବା ସହ ଦେଶରେ ଚୀନ ପୁଞ୍ଜିନିବେଶକୁ ନିରୁତ୍ସାହିତ କରୁଛନ୍ତି। ସେହିପରି ଚୀନଠାରୁ ଖେଳନା ଭଳି ନିତ୍ୟ ବ୍ୟବହାର୍ଯ୍ୟ ସମଗ୍ରୀ ଆମଦାନୀ କମ୍ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାର। ନିକଟରେ ଟୟ ଫେୟାରର ଆୟୋଜନ ମଧ୍ୟ କରିଥିଲେ। ତାଇଓ୍ୱାନର ସପୁରୀ ବିପ୍ଲବ ଭଳି ଭାରତର ଚୀନ ସାମଗ୍ରୀ ବର୍ଜନ ଅଭିଯାନକୁ ଦେଶବାସୀ ସେତିକି ସକ୍ରିୟତାର ସହ କରିପାରିଲେ, ୧୩୦ କୋଟି ଭାରତୀୟଙ୍କ ବୟକଟ୍ ଆଗାମୀ ଦିନରେ ବେଜିଂ ପାଇଁ ହାନିକାରକ ନିଶ୍ଚିତ ହେବ ବୋଲି ଚର୍ଚ୍ଚା ହେଉଛି।

You might also like