ମଦର ହୋମ୍‌ ଡେଲିଭରି ଆରମ୍ଭ କଲେ ସ୍ୱୀଗି ଓ ଜମାଟୋ

ନୂଆଦିଲ୍ଲୀ: ଦେଶର ଦୁଇ ବଡ଼ ବଡ଼ ଅନ୍‌ଲାଇନ୍‌ ଫୁଡ୍ ଡେଲିଭରି କମ୍ପାନୀ ସ୍ୱୀଗି ଓ ଜମାଟୋ ମଦର ଅନ୍‌ଲାଇନ୍‌ ହୋମ୍‌ ଡେଲିଭରି ଆରମ୍ଭ କରିଛନ୍ତି। ପ୍ରାଥମିକ ପର୍ଯ୍ୟାୟରେ ରାଞ୍ଚିରେ ଏହି ସେବା ଆରମ୍ଭ ହୋଇଛି। ସ୍ୱୀଗି ଆଜି ଗୁରବାର ଠାରୁ ପ୍ରାଥମିକ ପର୍ଯ୍ୟାୟରେ ରାଞ୍ଚିରେ ମଦର ହୋମ୍‌ ଡେଲିଭରି ଆରମ୍ଭ କରିଛି। ଖୁବ୍‌ଶୀଘ୍ର ଅନ୍ୟ ରାଜ୍ୟଗୁଡ଼ିକରେ ମଧ୍ୟ ଏହି ସେବା ଆରମ୍ଭ କରିବାକୁ ସରକାରଙ୍କ ସହିତ ଆଲୋଚନା ଚାଲିଛି ବୋଲି ସ୍ୱିଗୀ କହିଛି। ଆସନ୍ତା ସପ୍ତାହରେ ଝାରଖଣ୍ଡର କେତେକ ସହରରେ ମଧ୍ୟ ଏହି ସେବା ଯୋଗାଇ ଦିଆଯିବ ବୋଲି କମ୍ପାନୀ କହିଛି।

ଉଚିତ ଗ୍ରାହକଙ୍କ ପାଖରେ ମଦର ସୁରକ୍ଷିତ ହୋମ ଡେଲିଭରି କରିବା ଦାୟିତ୍ୱ କମ୍ପାନୀ ଉପରେ ନ୍ୟସ୍ତ ରହିଛି। ଏଥିପାଇଁ କମ୍ପାନୀ କିଛି ନିର୍ଦ୍ଦିଷ୍ଟ ନିୟମ ଯଥା ବାଧ୍ୟତାମୂଳକ ବୟସ ତଦାରଖ‌ ଓ ଗ୍ରାହକ ସଠିକ୍‌ ପରିଚୟ‌ ଆଦି ନିୟମ ଆଣିଛି।

ମଦର ଅନ୍‌ଲାଇନ୍‌‌ ଅଡର୍‌ କରିବା ପୂର୍ବରୁ ପ୍ରଥମେ ସରକାରଙ୍କ ଦ୍ୱାରା ବୈଧ ପରିଚୟ ପତ୍ର ଅପ୍‌ଲୋଡ କରିବାକୁ ପଡ଼ିବ। ଫଳରେ ଗ୍ରାହକଙ୍କ ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ମିଳିପାରିବ। ଯଦି କେହି ଫର୍ଜୁରି କରିବାକୁ ଚେଷ୍ଟା କରନ୍ତି ତେବେ ତାଙ୍କୁ ସମ୍ପୂର୍ଣ୍ଣ ଭେରିଫିକେସନ୍ ପ୍ରୋସେସ୍ ଦେଇ ଯିବାକୁ ପଡ଼ିବ। ତେବେ ଯେଉଁ ଗ୍ରାହକ ଆବଶ୍ୟକୀୟ ଡାଟା ନଦେବେ ତାଙ୍କୁ ମଦର ହୋମ୍‌ ଡେଲିଭରି କରାଯିବନି ବୋଲି ସ୍ୱୀଗି ସ୍ପଷ୍ଟ କରିଛି।

ଅନ୍ୟ କିଛି ଦେଶଗୁଡ଼ିକ ଭଳି ଭାରତରେ ମଧ୍ୟ ଲକ୍‌ଡାଉନ୍‌ ବେଳେ ମଦ କିମ୍ବା ଅନ୍ୟ ଟୋବାକୋ ସାମଗ୍ରୀ ବିକ୍ରି ଉପରେ ବ୍ୟାନ୍‌ ଲାଗିଥିଲା। କିନ୍ତୁ ପରେ ନିୟମରେ କୋହଳ କରାଯିବା ପରେ ମଦ ଦୋକାନାଗୁଡ଼ିକରେ ଗ୍ରାହକଙ୍କର ଅସମ୍ଭବ ଭିଡ଼ ଦେଖିବାକୁ ମିଳିଥିଲା। ଅନେକ ସ୍ଥାନରେ ବିଶୃଙ୍ଖଳା ଦେଖା ଦେଇଥିଲା। ସୋସିଆଲ୍ ଡିଷ୍ଟାନ୍ସ ନିୟମକୁ ମଧ୍ୟ ଲୋକେ ମାନି ନ ଥିଲେ। ଫଳରେ ପୁଲିସ୍‌ ଫୋର୍ସ ଲଗାଇ ଭିଡ଼ ନିୟନ୍ତ୍ରଣ କରାଯାଇଥିଲା।

ମଦର ଚାହିଦା ଓ ସୋସିଆଲ୍‌ ଡିଷ୍ଟାନ୍ସିଂରେ ଅବହେଳାକୁ ଦେଖି ମଦକୁ ଅନ୍‌ଲାଇନ୍‌ ଡେଲିଭରି କରିବାକୁ ପ୍ରସ୍ତାବ ଦେଇଥିଲେ ସୁପ୍ରିମକୋର୍ଟ। ଯାହାକୁ କାର୍ଯ୍ୟରେ ପରିଣତ କରିବେ ଫୁଡ୍‌ ଡେଲିଭରି କମ୍ପାନୀ। ତେବେ ବର୍ତ୍ତମାନ ଝାରଖଣ୍ଡର କେତେକ ନିର୍ଦ୍ଦିଷ୍ଟ ସହର ପାଇଁ ଏହି ସେବା ଆରମ୍ଭ ହୋଇଛି। ସ୍ମାର୍ଟଫୋନ୍‌ରେ ଆଲ୍‌କୋହଲର ଅନ୍‌ଲାଇନ୍‌ ଅର୍ଡର୍‌ ଦ୍ୱାରା ସାମାଜିକ ଦୂରତା କାଏମ୍‌ ରହିବା ସହିତ ଗ୍ରାହକଙ୍କ ସୁରକ୍ଷାକୁ ଧ୍ୟାନ ଦିଆଯିବ ବୋଲି ସ୍ୱିଗୀ କହିଛି।

ମଦର ହୋମ୍‌ ଡେଲିଭରି କରିବା ଦ୍ୱାରା ଦୋକାନ ସାମାନ୍ୟର ଭିଡ଼ ମଧ୍ୟ କମାଯାଇପାରିବ ବୋଲି ବେଙ୍ଗାଲୁରୁ ସ୍ୱୀଗି ଅଫିସ୍‌ର ଉପସଭାପତି ଅନୁଜ ରାଠି କହିଛନ୍ତି।

ସ୍ୱୀଗି ପୂର୍ବରୁ ଜମାଟୋ ମଧ୍ୟ ରାଞ୍ଚିରେ ମଦର ହୋମ୍‌ ଡେଲିଭରି ଆରମ୍ଭ କରିଛି। ଖୁବ୍‌ଶୀଘ୍ର ଅନ୍ୟ ସହରଗୁଡ଼ିକରେ ମଧ୍ୟ ଏହି ସେବା ଆରମ୍ଭ କରିବାକୁ କମ୍ପାନୀ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି।

ଲକ୍‌ଡାଉନ ଯୋଗୁ ଫୁଡ୍ ଡେଲିଭରି କମ୍ପାନୀଗୁଡ଼ିକ ବହୁତ କ୍ଷତି ସହିଛନ୍ତି। ଏଥିପାଇଁ କର୍ମଚାରୀ ଛଟେଇ ମଧ୍ୟ ହୋଇଛି। ଯଦି ଅନ୍ୟ ରାଜ୍ୟଗୁଡ଼ିକରେ ମଦର ଅନ୍‌ଲାଇନ୍‌ ଡେଲିଭରି ପାଇଁ ଅନୁମତି ମିଳେ ତେବେ ବ୍ୟବସାୟର କ୍ଷତି ଭରଣ ହୋଇପାରେ ବୋଲି ଶୁଣିବାକୁ ମିଳୁଛି।

 

You might also like