ସପ୍ତାହକ ୪ ଦିନ କାମ କରିବେ କର୍ମଚାରୀ

କରୋନା ସଂକ୍ରମିତ ହେଲେ ସମସ୍ତ ଖର୍ଚ୍ଚ ଉଠାଇବ କମ୍ପାନୀ

ନୂଆଦିଲ୍ଲୀ : ସପ୍ତାହକୁ ୩ ଦିନ ଛୁଟି, ଚାରି ଦିନ କାମ । ଖାଦ୍ୟ ଅର୍ଡର ଏବଂ ବିତରଣ ପ୍ଲାଟଫର୍ମ ସ୍ୱିଗିର କର୍ମଚାରୀମାନେ ମେ ମାସରେ ସପ୍ତାହରେ ମାତ୍ର ୪ ଦିନ କାମ କରିବେ । ଏ ବିଷୟରେ ଏକ ମେଲ୍ ପଠାଯାଇଛି । କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ସ୍ୱିଗି ନିଜ କର୍ମଚାରୀଙ୍କ ସୁରକ୍ଷା ପାଇଁ ଏହି ନିଷ୍ପତ୍ତି ନେଇଛି।

PTI ରେ ପ୍ରକାଶିତ ଖବର ଅନୁଯାୟୀ, ଏହି ମାସରେ ଅର୍ଥାତ୍ ମେ ମାସରେ ସ୍ୱିଗି କର୍ମଚାରୀମାନେ ସପ୍ତାହରେ ମାତ୍ର ଚାରି ଦିନ କାମ କରିବେ ଏବଂ ଅବଶିଷ୍ଟ ତିନି ଦିନ ଛୁଟିରେ ରହିବେ । କର୍ମଚାରୀଙ୍କୁ ପଠାଯାଇଥିବା ଏକ ମେଲରେ ସ୍ୱିଗି ଏଚଆର ହେଡ ଗିରିଶ ମେନନ ଏହି ସୂଚନା ଦେଇଛନ୍ତି। ଚିଠିରେ ସେ ଲେଖିଛନ୍ତି, କର୍ମଚାରୀମାନେ କଠିନ ପରିଶ୍ରମ କରୁଛନ୍ତି ଏବଂ ଆମେ ତାଙ୍କୁ ସମ୍ମାନ ଦେଉଛୁ। ଦେଶରେ ବଢ଼ୁଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି କମ୍ପାନୀ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି, ମେ ମାସରେ କର୍ମଚାରୀଙ୍କ ପାଇଁ ୪ ଦିନିଆ କାର୍ଯ୍ୟ ସପ୍ତାହ ରହିବ ।

ମେନନ୍ ଇ-ମେଲରେ ଲେଖିଛନ୍ତି, ସପ୍ତାହରେ ଚାରି ଦିନ କାମ କରି, ବାକି ଦିନ ଆପଣ ବିଶ୍ରାମ ନିଅନ୍ତୁ  ଏବଂ ନିଜ ପରିବାର ଏବଂ ସାଙ୍ଗମାନଙ୍କ ଯତ୍ନ ନିଅନ୍ତୁ । ଦେଶରେ କୋଭିଡ ସଂକ୍ରମଣ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ତଦନୁସାରେ, ଆମର କର୍ମଚାରୀମାନଙ୍କୁ ଆରାମ ଯୋଗାଇବା ଆମର ଦାୟିତ୍ୱ । କର୍ମଚାରୀଙ୍କ ଶାରୀରିକ ତଥା ମାନସିକ ସ୍ତରରେ ଯତ୍ନ ନେବା କମ୍ପାନୀର କର୍ତ୍ତବ୍ୟ ।

ସେହିପରି କରୋନା ସଂକ୍ରମିତ କର୍ମଚାରୀଙ୍କ ସମସ୍ତ ଖର୍ଚ୍ଚ ଉଠାଇବ କମ୍ପାନୀ । କର୍ମଚାରୀଙ୍କ ପାଇଁ ଅନଲାଇନ୍ ମେଡିକାଲ୍ ପରାମର୍ଶ ଏବଂ ଚିକିତ୍ସା ସହାୟତା ସୁବିଧା ମଧ୍ୟ ଆରମ୍ଭ କରିଛି ସ୍ୱିଗି । ଯେଉଁମାନେ ଘରେ ହୋମ କ୍ୱାରେଣ୍ଟିନରେ ରହି ମହାମାରୀ ସହ ଯୁଦ୍ଧ ଚଳାଇଛନ୍ତି, ତାଙ୍କ ପାଇଁ ଏପରି ବ୍ୟବସ୍ଥା କରାଯାଇଛି । ଏଥିରେ ସ୍ୱିଗିର କର୍ମଚାରୀମାନଙ୍କୁ ହୋମ ଆଇସୋଲେସନ ଓ କ୍ୱାରେଣ୍ଟିନ୍ କେୟାର କଭରେଜ୍ ଭଳି ସୁବିଧା ମଧ୍ୟ ଉପଲବ୍ଧ କରାଯାଇଛି। କମ୍ପାନୀ ଏଥିପାଇଁ ସମସ୍ତ ଖର୍ଚ୍ଚ ମଧ୍ୟ ବହନ କରିବ ।

You might also like