ଅମ୍ବାନୀଙ୍କ ଘର ସାମ୍ନାରେ କିଏ ରଖିଥିଲା ବିସ୍ଫୋରକ ଗାଡ଼ି ? ପୋଲିସ ହାତରେ ଲାଗିଲା ଏମିତି ସୁରାକ

ମୁମ୍ବାଇ: ଭାରତର ସବୁଠାରୁ ଧନୀ ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ମାଲିକ ମୁକେଶ ଅମ୍ବାନୀଙ୍କ ଘର ଆଣ୍ଟିଲିଆ ସାମ୍ନାରୁ ବିସ୍ଫୋରକ ବୋଝେଇ କାର ମିଳିବା ପରେ ସୁରକ୍ଷା ବ୍ୟବସ୍ଥା କଡାକଡ଼ି କରାଯାଇଛି।   ଦୁଇ ଦିନ ତଳେ ଆଣ୍ଟିଲିଆ ନିକଟରୁ ବିସ୍ଫୋରକ ବୋଝେଇ କାର୍ ମିଳିବା ଘଟଣାରେ ପୋଲିସ ଛାନଭିନକୁ ଜୋରଦାର କରିଛି।

ଅନୁସନ୍ଧାନ ପରେ ଜଣାପଡ଼ିଥିଲା, ଜବତ କାର୍‌ଟି ଚୋରି କରି ଅଣାଯାଇଥିଲା। ତେବେ ଏହାର ଅସଲ ମାଲିକ କିଏ ? କେଉଁ ବ୍ୟକ୍ତି ଏହାକୁ ବ୍ୟବହାର କରିଥିଲା ?  ନିକଟ ଅଞ୍ଚଳରେ ଥିବା ସିସିଟିଭି ଫୁଟେଜ୍, କିଛି ସନ୍ଦିଗ୍ଧଙ୍କୁ ପଚରାଉଚରା କରି ମାମଲା ଉପରୁ ପରଦା ହଟାଇବାକୁ ଚେଷ୍ଟା କରୁଥିଲା ମୁମ୍ବାଇ ପୋଲିସ୍।

ଶେଷରେ ରହସ୍ୟ ଉପରୁ ପରଦା ହଟିଛି। ମୁମ୍ବାଇ ପୋଲିସର କ୍ରାଇମ ବ୍ରାଞ୍ଚ ମୁଲୁଣ୍ଡ ଟୋଲ ବ୍ଲକରୁ ଏକ ସିସିଟିଭି ଫୁଟେଜ ଜବତ କରିଛି। ଏହି ଫୁଟେଜ୍‌ରେ ଏକ ଇନୋଭା କାରକୁ ମୁମ୍ବାଇରେ ଛାଡ଼ିଥିବା ଦେଖିବାକୁ ମିଳିଛି। ମୁକେଶ ଅମ୍ବାନୀଙ୍କ ଘର ସାମ୍ନାରେ ଦୁଇଟି କାର ଲାଗିଥିଲା। ଗୋଟିଏ ସ୍କର୍ପିଓ ଓ ଅନ୍ୟଟି ଇନୋଭା। ସ୍କର୍ପିଓରେ ବସିଥିବା ଡ୍ରାଇଭର ଗାଡ଼ିକୁ ସେହିଠାରେ ଛାଡ଼ି ଦେଇଥିଲେ। ପରେ ଇନୋଭାରେ ବସି ଚାଲି ଯାଇଥିଲେ। ପରେ ‌ପୋଲିସ ଆଣ୍ଟିଲିଆ ବାହାରେ ଜିଲେଟିନ ଥିବା ସ୍କର୍ପିଓ ଗାଡ଼ି ଜବତ କରିଥିଲା। ଏଥିରେ ଥିବା ଏକ ଚିଠି ମଧ୍ୟ ଜବତ କରିଥିଲା ପୋଲିସ।

ଏହି ଫୁଟେଜରେ ଆହୁରି ଦେଖିବାକୁ ମିଳିଛି, ଇନୋଭା ମୁଲୁଣ୍ଡ ଟୋଲ ବ୍ଲକ ଦେଇ ଅଭିଯୁକ୍ତ ମୁମ୍ବାଇରୁ ବାହାରକୁ ଚାଲି ଯାଇଛନ୍ତି। ଏପରିକି ଟୋଲରେ ରସିଦ ନେଇ ଟଙ୍କା ଦେଉଥିବା ଦେଖିବାକୁ ମିଳିଛି। ପୂର୍ବ ଏକ୍ସପ୍ରେସ ହାଇୱେ ଦେଇ ଠାଣେ ଦିଗକୁ ଗାଡିଟି ଯାଇଛି। ଗାଡି ସକାଳ ୩.୦୫ରେ ଟୋଲ ପୋଷ୍ଟ ଅତିକ୍ରମ କରିଥିବା ଫୁଟେଜ୍‌ରେ ଦେଖିବାକୁ ମିଳିଛି। ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଆଣ୍ଟିଲିଆ ସମ୍ମୁଖରେ ଥିବା ଗାଡ଼ିର ନମ୍ବର ମୁକେଶ ଅମ୍ବାନୀଙ୍କ ସୁରକ୍ଷା ବ୍ୟବସ୍ଥାରେ ଲାଗିଥିବା ଗାଡ଼ି ନମ୍ବର ସହ ମେଳ ଖାଇ ଯାଉଛି।

ଅନ୍ୟପକ୍ଷେ  ମୁକେଶ ଅମ୍ବାନୀଙ୍କ ଘର ନିକଟରୁ ବିସ୍ଫୋରକ ସାମଗ୍ରୀ ଥିବା କାର ଚୋରି କାର ବୋଲି ଜଣାପଡିଛି । ଗାଡିର ଚେସିସରେ ଭଙ୍ଗାରୁଜା କରାଯାଇଥିଲେ ମଧ୍ୟ ପ୍ରକୃତ ମାଲିକଙ୍କୁ ଠାବ କରାଯାଇଛି। କିନ୍ତୁ ଯେଉଁ ବ୍ୟକ୍ତିଜଣଙ୍କ କାରଛାଡି ଚାଲିଯାଇଥିଲା ତାଙ୍କୁ ଏ ପର୍ଯ୍ୟନ୍ତ ଚିହ୍ନଟ କରାଯାଇନାହିଁ ।

ସୂଚନାଥାଉ କି, ଗୁରୁବାର ମୁକେଶ ଅମ୍ବାନୀଙ୍କ ଘର ଆଣ୍ଟାଲିଆ ନିକଟରୁ ଏକ କାର ସନ୍ଦେହ ଜନକ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ସଙ୍ଗେ ସଙ୍ଗେ ପୋଲିସ ଏବଂ ବୋମା ନିଷ୍କ୍ରିୟକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଅତ୍ୟନ୍ତ ସତର୍କତାର ସହ ଗାଡିକୁ ଯାଞ୍ଚ କରିଥିଲେ । ଗାଡି ମଧ୍ୟରୁ ବିସ୍ଫୋରକ ସାମଗ୍ରୀ ଜିଲେଟିନ୍ ଷ୍ଟିକ ସହ ଏକ ଚିଠି ଜବତ ହୋଇଥିଲା।  ରିଲାଏନ୍ସ ମୁଖ୍ୟ ମୁକେଶ ଅମ୍ବାନୀ ଓ ତାଙ୍କ ପତ୍ନୀ ନୀତା ଅମ୍ବାନୀଙ୍କ ନାଁରେ ଏହି ଚିଠି ଲେଖାଯାଇଥିଲା।

୭ ମହଲା ବିଶିଷ୍ଟ ଆଣ୍ଟିଲିଆ ବିଶ୍ୱର ଏକ ବିଳାସପୂର୍ଣ୍ଣ ଘର ଭାବେ ଜଣାଶୁଣା । ଏଥରେ ତିନିଟି ହେଲିପ୍ୟାଡ୍ ରହିଛି । ଏଠାରେ ଏକାସାଙ୍ଗରେ ୧୬୮ଟି କାର ପାର୍କିଂ କରାଯାଇ ପାରିବ। ଆଣ୍ଟିଲିଆ ପରିସରରେ ଥିଏଟର, ସୁଇମିଂ ପୁଲ, ହାଇସ୍ପିଡ୍ ଏଲିଭେଟର ଭଳି ଅତ୍ୟାଧୁନିକ ସୁବିଧା ରହିଛି।

 

You might also like