ଦେଶର ପରବର୍ତ୍ତୀ ମୁଖ୍ୟ ନିର୍ବାଚନ କମିସନର ନିଯୁକ୍ତ ହେବେ ସୁଶୀଲ ଚନ୍ଦ୍ରା, ୧୩ ଏପ୍ରିଲରୁ ସମ୍ଭାଳିବେ କାର୍ଯ୍ୟଭାର

ନୂଆଦିଲ୍ଲୀ : ସୁଶୀଲ ଚନ୍ଦ୍ରା ଦେଶର ଆଗାମୀ ମୁଖ୍ୟ ନିର୍ବାଚନ କମିସନର ଭାବେ ଦାୟିତ୍ୱ ଗ୍ରହଣ କରିବେ । ସେ ଏବେ ନିର୍ବାଚନ କମିସନର ଭାବେ କାର୍ଯଭାର ସମ୍ଭାଳୁ ଅଛନ୍ତି। ସବୁଠାରୁ ବରିଷ୍ଠ ନିର୍ବାଚନ କମିସନରଙ୍କୁ ମୁଖ୍ୟ ନିର୍ବାଚନ କମିସନର ନିଯୁକ୍ତି କରିବାର ପରମ୍ପରା ହିସାବରେ ସୁଶୀଲ ଚନ୍ଦ୍ରା ହିଁ ଦେଶର ନୂଆ ସିଇସି ନିଯୁକ୍ତି ପାଇବେ । ସରକାର ‘ନିର୍ବାଚନ ସଦନ’ରେ ଶୀର୍ଷ ପଦ ପାଇଁ ତାଙ୍କ ନାମରେ ମୋହର ମାରି ସାରିଛନ୍ତି। ତେବେ ଏନେଇ କୌଣସି ବି ସମୟରେ ନିର୍ଦ୍ଦେଶ ଜାରି ହୋଇପାରେ ବୋଲି ସୂତ୍ରରୁ ଜଣାପଡ଼ିଛି ।

୧୫ ମଇ ୧୯୫୭ ରେ ଜନ୍ମିତ ସୁଶୀଲ ଚନ୍ଦ୍ରା ୧୯୮୦ ବ୍ୟାଚର ଆଇଆରଏସ ଅଧିକାରୀ। ସେ ଆଇଆଇଟି ରୁରକିରୁ ବିଟେକ୍ ଏବଂ ଡେରାଡ଼ୁନରୁ ଏଲଏଲବିରେ ଡିଗ୍ରି ହାସଲ କରିଛନ୍ତି । ସୁଶୀଲ ଚନ୍ଦ୍ରା ୧୩ ଏପ୍ରିଲରୁ ନୂଆ ସିଇସି ଦାୟିତ୍ୱ ଗ୍ରହଣ କରିବେ। ଏବଂ ୧୪ ମେ ୨୦୨୨ ଯାଏ ତାଙ୍କର କାର୍ଯ୍ୟକାଳ ରହିବ। ଟିଏସ କୃର୍ଷ୍ଣମୃର୍ତ୍ତିଙ୍କ ପରେ ସୁଶୀଲ ଦ୍ୱିତୀୟ ଆଇଆରଏସ ଅଫିସର, ଯାହାଙ୍କୁ ନିର୍ବାଚନ କମିସନର ଦାୟିତ୍ୱ ଦିଆଯାଇଛି । ୨୦୦୪ରେ ରେ କୃଷ୍ଣମୂର୍ତ୍ତି ମୁଖ୍ୟ ନିର୍ବାଚନ କମିସନର ଭାବରେ ନିଯୁକ୍ତ ହୋଇଥିଲେ।  ବର୍ତ୍ତମାନ ସୁନୀଲ ଆରୋରା ଏହି ଦାୟିତ୍ୱ ତୁଲାଉଥିବା ବେଳେ ସେ ଏପ୍ରିଲ ୧୨ରେ ଅବସର ଗ୍ରହଣ କରିବେ ।

ମୁଖ୍ୟ ନିର୍ବାଚନ କମିସନର ସୁନୀଲ ଆରୋରା ଅବସର ନେବାର ଗୋଟିଏ ଦିନ ପରେ ସୁଶୀଲ ଚନ୍ଦ୍ରାଙ୍କୁ ଉତ୍ତରାଧିକାରୀ ରୂପେ ଦାୟିତ୍ୱ ଦିଆଯିବ । ଲୋକସଭା ନିର୍ବାଚନ ପୂର୍ବରୁ ୧୪ ଫେବୃଆରୀ ୨୦୧୯ ରେ ସୁଶୀଲ ଚନ୍ଦ୍ରା ନିର୍ବାଚନ କମିସନର ଭାବରେ ନିଯୁକ୍ତ ହୋଇଥିଲେ। ତେବେ ନିର୍ବାଚନ କମିସନର ଭାବେ କାର୍ଯ୍ୟଭାର ସମ୍ଭାଳିବା ପୂର୍ବରୁ ସୁଶୀଲ ଚନ୍ଦ୍ରା କେନ୍ଦ୍ରୀୟ ଟିକସ ବୋର୍ଡ CBDTର ଚେୟାରମ୍ୟାନ୍ ଥିଲେ। ଏହାପୂର୍ବରୁ ସେ ଆୟକର ବିଭାଗରେ ବିଭିନ୍ନ ପଦବୀରେ କାର୍ଯ୍ୟ କରିସାରିଛନ୍ତି । ସେ ଦିଲ୍ଲୀରେ ଆୟକର (ଅପିଲ୍) ଆନ୍ତର୍ଜାତୀୟ ଟିକସ କମିଶନର ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି । ସୁଶୀଲ ଚନ୍ଦ୍ରା ଉତ୍ତରପ୍ରଦେଶ, ରାଜସ୍ଥାନ, ଦିଲ୍ଲୀ, ଗୁଜୁରାଟ ଏବଂ ମୁମ୍ବାଇ ଆଦି ସହରରେ କାର୍ଯ୍ୟ କରିଛନ୍ତି ।

ନୂଆ ମୁଖ୍ୟ ନିର୍ବାଚନ କମିସନରଙ୍କ ନେତୃତ୍ୱରେ ଗୋଆ, ମଣିପୁର, ଉତ୍ତରପ୍ରଦେଶ, ପଞ୍ଜାବ ଏବଂ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଗୋଆ, ମଣିପୁର, ଉତ୍ତରାଖଣ୍ଡ ଏବଂ ପଞ୍ଜାବ ବିଧାନସଭାର କାର୍ଯ୍ୟକାଳ ଆସନ୍ତା ବର୍ଷ ମାର୍ଚ୍ଚରେ ଶେଷ ହୋବାକୁ ଯାଉଛି । ସେହିପରି ଉତ୍ତରପ୍ରଦେଶ ବିଧାନସଭାର କାର୍ଯ୍ୟକାଳ ଆସନ୍ତା ବର୍ଷ ୧୪ ମେରେ ଶେଷ ହେବ।

 

You might also like