ନୂଆ ମୁଖ୍ୟ ନିର୍ବାଚନ କମିଶନର ହେବେ ସୁଶିଲ ଚନ୍ଦ୍ରା : ଆସନ୍ତା ବର୍ଷ ମେ ୧୪ ଯାଏ ସମ୍ଭାଳିବେ କାର୍ଯ୍ୟଭାର

ନୂଆଦିଲ୍ଲୀ : ନୂଆ ମୁଖ୍ୟ ନିର୍ବାଚନ କମିଶନର ହେବେ ସୁଶୀଲ ଚନ୍ଦ୍ରା । ଆଜି ସେ ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିବେ । ବର୍ତ୍ତମାନ ମୁଖ୍ୟ ଇସି ଭାବେ କାର୍ଯ୍ୟ କରୁଥିବା ସୁନୀଲ ଅରୋରାଙ୍କଠାରୁ ସେ ଦାୟିତ୍ୱ ଗ୍ରହଣ କରିବେ । ସବୁଠାରୁ ବରିଷ୍ଠ ନିର୍ବାଚନ କମିସନରଙ୍କୁ ମୁଖ୍ୟ ନିର୍ବାଚନ କମିସନର ନିଯୁକ୍ତି କରିବାର ପରମ୍ପରା ହିସାବରେ ସୁଶିଲ ଚନ୍ଦ୍ରା ହିଁ ଦେଶର ନୂଆ ସିଇସି ଭାବେ ନିଯୁକ୍ତି ପାଇଛନ୍ତି ।  ପଶ୍ଚିମବଙ୍ଗରେ ବାକି ଥିବା ୪ଟି ପର୍ଯ୍ୟାୟ ନିର୍ବାଚନ ଓ ୫ ରାଜ୍ୟର ଫଳାଫଳ ସୁରୁଖୁରରେ ପରିଚାଳନା ହେବ ତାହା ସୁଶୀଲଙ୍କ ପାଇଁ ମୁଖ୍ୟ ଚ୍ୟାଲେଞ୍ଜ ।

୧୫ ମଇ ୧୯୫୭ ରେ ଜନ୍ମିତ ସୁଶୀଲ ଚନ୍ଦ୍ରା ୧୯୮୦ ବ୍ୟାଚର ଆଇଆରଏସ ଅଧିକାରୀ। ସେ ଆଇଆଇଟି ରୁରକିରୁ ବିଟେକ୍ ଏବଂ ଡେରାଡ଼ୁନରୁ ଏଲଏଲବିରେ ଡିଗ୍ରି ହାସଲ କରିଛନ୍ତି । ସୁଶିଲ ଚନ୍ଦ୍ରା ଆଜି ଠାରୁ ନୂଆ ସିଇସି ଦାୟିତ୍ୱ ଗ୍ରହଣ କରିବେ, ଏବଂ ୧୪ ମେ ୨୦୨୨ ଯାଏ ତାଙ୍କର କାର୍ଯ୍ୟକାଳ ରହିବ। ଟିଏସ କୃର୍ଷ୍ଣମୃର୍ତ୍ତିଙ୍କ ପରେ ସୁଶୀଲ ଦ୍ୱିତୀୟ ଆଇଆରଏସ ଅଫିସର, ଯାହାଙ୍କୁ ନିର୍ବାଚନ କମିସନର ଦାୟିତ୍ୱ ଦିଆଯାଇଛି । ୨୦୦୪ରେ ରେ କୃଷ୍ଣମୂର୍ତ୍ତି ମୁଖ୍ୟ ନିର୍ବାଚନ କମିସନର ଭାବରେ ନିଯୁକ୍ତ ହୋଇଥିଲେ।  ବର୍ତ୍ତମାନ ସୁନୀଲ ଆରୋରା ଏହି ଦାୟିତ୍ୱ ତୁଲାଉଥିବା ବେଳେ ସେ ଏପ୍ରିଲ ୧୨ରେ ଅବସର ଗ୍ରହଣ କରିବେ ।

ଲୋକସଭା ନିର୍ବାଚନ ପୂର୍ବରୁ ୧୪ ଫେବୃଆରୀ ୨୦୧୯ ରେ ସୁଶୀଲ ଚନ୍ଦ୍ରା ନିର୍ବାଚନ କମିସନର ଭାବରେ ନିଯୁକ୍ତ ହୋଇଥିଲେ। ତେବେ ନିର୍ବାଚନ କମିସନର ଭାବେ କାର୍ଯ୍ୟଭାର ସମ୍ଭାଳିବା ପୂର୍ବରୁ ସୁଶୀଲ ଚନ୍ଦ୍ରା କେନ୍ଦ୍ରୀୟ ଟିକସ ବୋର୍ଡ CBDTର ଚେୟାରମ୍ୟାନ୍ ଥିଲେ। ଏହାପୂର୍ବରୁ ସେ ଆୟକର ବିଭାଗରେ ବିଭିନ୍ନ ପଦବୀରେ କାର୍ଯ୍ୟ କରିସାରିଛନ୍ତି । ସେ ଦିଲ୍ଲୀରେ ଆୟକର (ଅପିଲ୍) ଆନ୍ତର୍ଜାତୀୟ ଟିକସ କମିଶନର ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି । ସୁଶୀଲ ଚନ୍ଦ୍ରା ଉତ୍ତରପ୍ରଦେଶ, ରାଜସ୍ଥାନ, ଦିଲ୍ଲୀ, ଗୁଜୁରାଟ ଏବଂ ମୁମ୍ବାଇ ଆଦି ସହରରେ କାର୍ଯ୍ୟ କରିଛନ୍ତି ।

ସେପଟେ ୨୦୧୯ ସାଧାରଣ ନିର୍ବାଚନ, କରୋନା ମହାମାରୀ ମଧ୍ୟରେ ବିହାର ଏବଂ ବର୍ତ୍ତମାନ ସରିଥିବା ଆସାମ, ତାମିଲନାଡ଼ୁ, ପଣ୍ଡିଚେରୀ, କେରଳ ଏବଂ ପଶ୍ଚିମବଙ୍ଗର ୪ଟି ପର୍ଯ୍ୟାୟ ନିର୍ବାଚନ ପରିଚାଳନା କରିଛନ୍ତି ସୁନୀଲ ଅରୋରା ।ଗତକାଲି ଦିଲ୍ଲୀ କାର୍ଯ୍ୟାଳୟରେ ସୁନୀଲ ଅରୋରାଙ୍କୁ ବିଦାୟୀକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା  । ଏହି ସମୟରେ ୨୦୧୯ ନିର୍ବାଚନର ଅନୁଭୂତି ସହକର୍ମୀଙ୍କ ସହ ବାଣ୍ଟିଥିଲେ ସୁନୀଲ ।

You might also like