ସୁଶାନ୍ତଙ୍କ ମୃତ୍ୟୁର ଗୁମର ଖୋଲିବେ ଏହି ୪ ଅଧିକାରୀ!

ନୂଆଦିଲ୍ଲୀ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ରହସ୍ୟ ଉପରୁ ଏବେ ପରଦା ହଟାଇବ ସିବିଆଇ। ତଦନ୍ତ ପାଇଁ ଆଜି ମୁମ୍ବାଇ ଯିବ ସିବିଆଇ ତଦନ୍ତକାରୀ ଦଳ। ଏଥିପାଇଁ ଏକ ସ୍ପେଶାଲ ଇନଭେଷ୍ଟିଗେସନ ଟିମ୍ ବା ଏସ୍ଆଇଟି ଗଠନ କରାଯାଇଛି। ମୁମ୍ବାଇ ଯିବା ପୂର୍ବରୁ ଦିଲ୍ଲୀ ସିବିଆଇ ମୁଖ୍ୟାଳୟରେ SITର ଏକ ବୈଠକ ହୋଇଛି। ସେହିପରି ଗସ୍ତ ପୂର୍ବରୁ ମୁମ୍ବାଇ ପୋଲିସ ସହ ସିବିଆଇର ଏହି ଟିମ ଆଲୋଚନା କରିଥିବା ଜଣାପଡିଛି। ଉଭୟ ପକ୍ଷ ମଧ୍ୟରେ ସମନ୍ୱୟ ରକ୍ଷା କରିବା ପାଇଁ ସିବିଆଇ ଡିଆଇଜି ସୁବେଜ୍ ହକଙ୍କୁ ନୋଡାଲ ଅଫିସର ଭାବେ ଦାୟିତ୍ୱ ଦିଆଯାଇଛି।

ଏବେ ଏହି ହାଇ ପ୍ରୋଫାଇଲ କେସ୍‌ର ତଦନ୍ତ କରିବେ ସିବିଆଇର ୪ଜଣିଆ ଟିମ୍। ତଦନ୍ତକାରୀ ଟିମରେ ଥିବା ୪ ଅଧିକାରୀଙ୍କ ଉପରେ ଟିମର ନେତୃତ୍ୱ ନେଉଛନ୍ତି ସିବିଆଇର ଯୁଗ୍ମ ନିର୍ଦ୍ଦେଶକ ଥିବା ମନୋଜ ଶଶିଧର। ଗୁଜରାଟ କ୍ୟାଡରର ଏହି ଆଇପିଏସ୍ ପୂର୍ବରୁ ରାଜ୍ୟ ଗୁଇନ୍ଦା ବିଭାଗର ଅତିରିକ୍ତ ଡିଜି ଏବଂ ବରୋଦା ପୋଲିସ କମିଶନର ଥିଲେ। ସେହିପରି ବିହାର ଗଗନଦୀପ ଗମ୍ଭୀର ମଧ୍ୟ ଗୁଜରାଟ କ୍ୟାଡରର ଆଇପିଏସ ଅଧିକାରୀ। ଦେଢ ବର୍ଷ ପୂର୍ବରୁ ସିବିଆଇରେ ନିଯୁକ୍ତି ପାଇଥିବା ଗନନଦୀପ ଅଗଷ୍ଟା ୱେଷ୍ଟଲାଣ୍ଡ ମାମଲା ଓ ବହୁଚର୍ଚ୍ଚିତ ବିଜୟ ମାଲ୍ୟାଙ୍କ ଋଣ ଖିଲାପ ମାମଲାର ତଦନ୍ତ କରିଛନ୍ତି।

ସେହିପରି ଟିମରେ ଥିବା ଅନ୍ୟତମ ମହିଳା ସଦସ୍ୟା ନୂପୁର ପ୍ରସାଦ ହେଉଛନ୍ତି ୨୦୦୭ ବ୍ୟାଚର କେନ୍ଦ୍ରୀୟ କ୍ୟାଡର ଅଧିକାରୀ। ନୁପୁର ବିହାରର ହୋଇଥିବା ବେଳେ ସିବିଆଇରେ ଯୋଗଦେବା ପୂର୍ବରୁ ସେ ଦିଲ୍ଲୀରେ ଡେପୁଟୀ କମିଶନର ଭାବେ କାମ କରୁଥିଲେ। ଟିମର ଚତୁର୍ଥ ସଦସ୍ୟ ହେଲେ ଅନୀଲ ଯାଦବ, ଯିଏ ସିବିଆଇରେ ଅତିରିକ୍ତ ପୋଲିସ ଅଧିକ୍ଷକ ଭାବେ କାମ କରୁଛନ୍ତି। ଯାଦବ ସୁଶାନ୍ତ ସିଂ ମାମଲାରେ ଅନୁସନ୍ଧାନ ଓ ପ୍ରମାଣ ସଂଗ୍ରହ ଦାୟିତ୍ୱରେ ରହିବେ। ପୂର୍ବରୁ ଅଗଷ୍ଟା ୱେଷ୍ଟଲ୍ୟାଣ୍ଡ ଦୁର୍ନୀତି, କମନୱେଲଥ୍ ଘୋଟାଲା, ମଧ୍ୟପ୍ରଦେଶର ବ୍ୟାପମ୍ ଦୁର୍ନୀତି ତଦନ୍ତର ଅନୁଭବ ରହିଛି ଅନୀଲଙ୍କ ନିକଟରେ।

ସୁଶାନ୍ତ ସିଂଙ୍କ ମୃତ୍ୟୁକୁ ୨ ମାସରୁ ଅଧିକ ହେଲାଣି। ତେଣୁ ତଦନ୍ତ ଲାଗି ସିବିଆଇ ପାଇଁ ରହିଛି ଅନେକ ଚ୍ୟାଲେଞ୍ଜ। ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ମୁମ୍ବାଇ ପୋଲିସ ଦ୍ୱାରା କରାଯାଇଥିବା ତଦନ୍ତକୁ ଆରମ୍ଭରୁ ଯାଞ୍ଚ କରିବ ସିବିଆଇ। ସିବିଆଇର ସ୍ପେଶାଲ ଇନଭେଷ୍ଟିଗେସନ ଟିମ୍ ବା ଏସଆଇଟି ଏବେ ବିହାର ପୋଲିସର କେସ୍ ଡାଏରୀ ଆଧାରରେ ତଦନ୍ତ ଆରମ୍ଭ କରିବ। ମୁମ୍ବାଇ ପୋଲିସଠାରୁ କେସ ଡାଏରୀ ନେବ ସିବିଆଇ ଫୋରେନ୍ସିକ ରିପୋର୍ଟ ସହ ସୁଶାନ୍ତଙ୍କ ପୋଷ୍ଟ ମର୍ଟମ ରିପୋର୍ଟ ମଧ୍ୟ ତର୍ଜମା କରିବ ସିବିଆଇ।

ଟିମ୍ ପୋଷ୍ଟ ମର୍ଟମ କରିଥିବା ଡାକ୍ତରଙ୍କୁ ବି ସିବିଆଇ ପଚରା ଉଚରା କରିପାରେ। ଏଥି ସହ ସୁଶାନ୍ତଙ୍କ ମୋବାଇଲକୁ ମଧ୍ୟ କବଜାକୁ ନେଇ ତଦନ୍ତ ଆଗକୁ ବଢାଇପାରେ। ମାମଲାର ସମସ୍ତ ପ୍ରମାଣ ଏକାଠି କରିବ ସିବିଆଇ। ମାମଲାରେ ମୁମ୍ବାଇ ପୋଲିସ ଦ୍ୱାରା ନିଆଯାଇଥିବା ୫୬ ଜଣଙ୍କ ବୟାନ ରେକର୍ଡକୁ ତଦନ୍ତକାରୀ ଟିମ ନିଜ ଅଧୀନକୁ ନେବ। ତେବେ ସୁଶାନ୍ତଙ୍କ ବାନ୍ଦ୍ରାସ୍ଥିତ ଫ୍ଲାଟକୁ ଯାଇ କ୍ରାଇମ ସିନ୍ ରିକ୍ରିଏଟ୍ କରିବା ତଦନ୍ତକାରୀ ଟିମର ପ୍ରାଥମିକତା ରହିପାରେ।

ସୁଶାନ୍ତଙ୍କ ମୃତ୍ୟୁ ରହସ୍ୟକୁ ନେଇ ରହିଛି ଅନେକ ପ୍ରଶ୍ନ, ଯାହାର ଉତ୍ତର ଖୋଜିବ ସିବିଆଇ। ସୁଶାନ୍ତଙ୍କ ମୃତ୍ୟୁ ଆତ୍ମହତ୍ୟା ନା ହତ୍ୟା? ଯଦି ଆତ୍ମହତ୍ୟା, ତେବେ ଏହାର କାରଣ କଣ? ଯହି ହତ୍ୟା, ପଛରେ କିଏ? ସୁଶାନ୍ତଙ୍କ ମୃତ୍ୟୁରେ ରିୟା ଚକ୍ରବର୍ତ୍ତୀଙ୍କ ଭୂମିକା ଅଛି କି? ସୁଶାନ୍ତଙ୍କ ମୃତ୍ୟୁରେ ଫିଲ୍ମ ଇଣ୍ଡଷ୍ଟ୍ରିର ଭୂମିକା କଣ? ଏସବୁ ପ୍ରଶ୍ନର ଉତ୍ତର ପାଇଁ ସିବିଆଇ ଅନେକ ଲୋକଙ୍କୁ ଜେରା କରିପାରେ। ସୁଶାନ୍ତଙ୍କ ପରିବାର ଲୋକଙ୍କୁ ମଧ୍ୟ ପଚରା ଉଚରା କରିପାରେ। ସିବିଆଇ ସୁଶାନ୍ତଙ୍କ ସହ ଜଡ଼ିତ ବ୍ୟକ୍ତିବିଶେଷଙ୍କୁ ପଚରାଉଚରା ପାଇଁ ସିବିଆଇ ସମନ କରିପାରେ।

You might also like