ସୁଶାନ୍ତ ମୃତ୍ୟୁ ମାମଲା: ସିବିଆଇ ଯାଞ୍ଚ ପାଇଁ ସୁପାରିଶ କଲେ ବିହାର ସରକାର

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ୍‌ ମାମଲାର ସିବିଆଇ ଯାଞ୍ଚ ଦାବି ଜୋର ଧରିଛି। ବିଭିନ୍ନ ଆଡୁ ଚାପ ପଡ଼ିବା ପରେ ବିହାର ସରକାର CBI ଯାଞ୍ଚ ପାଇଁ ସୁପାରିଶ କରିଛନ୍ତି। ନୀତିଶ କୁମାର ମଙ୍ଗଳବାର କହିଛନ୍ତି, ସୁଶାନ୍ତଙ୍କ ପରିବାର ଲୋକ ଏବଂ ତାଙ୍କର ବାପା ମାମଲାର CBI ଯାଞ୍ଚ ପାଇଁ ଅନୁରୋଧ କରିଥିଲେ। ଏହା ପରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏପରି ଘୋଷଣା କରିଛନ୍ତି।

ଅନ୍ୟପକ୍ଷେ ସୁଶାନ୍ତ ସିଂ ମୃତ୍ୟୁ ମାମଲାର ଯାଞ୍ଚ ଭାର ସିବିଆଇକୁ ଦିଆଯାଉ ବୋଲି ଦାଏର ହୋଇଥିବା ଜନସ୍ୱାର୍ଥ ମାମଲାର ଆଜି ଶୁଣାଣି କରିବେ ବମ୍ବେ ହାଇକୋର୍ଟ । ବମ୍ବେ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଦୀପଙ୍କର ଦତ୍ତଙ୍କୁ ନେଇ ଗଠିତ ବେଞ୍ଚ ଆଜି ଏହି ଆବେଦନ ଉପରେ ଶୁଣାଣି କରିବେ।

ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ମୁମ୍ବାଇ ପୋଲିସ ସମେତ ବିହାର ପୋଲିସ ମଧ୍ୟ ତଦନ୍ତ କରୁଛି । ସୁଶାନ୍ତଙ୍କ ବାପା କେକେ ସିଂଙ୍କ ଅଭିଯୋଗ ଆଧାରରେ ମୁମ୍ବାଇରେ ପହଞ୍ଚି ତଦନ୍ତ କରୁଛି ବିହାର ପୋଲିସ।  ତେବେ ଏହାକୁ ନେଇ ମୁହାଁମୁହିଁ ହୋଇଛନ୍ତି ଦୁଇ ରାଜ୍ୟର ପୋଲିସ।

ଏଠି କହି ରଖିବୁ,  ଗତକାଲି ସୁଶାନ୍ତଙ୍କ ବାପା କେକେ ସିଂହ ଅଭିଯୋଗ କରିଥିଲେ ଯେ, ସୁଶାନ୍ତ ସିଂହ ବିପଦରେ ଥିବା କଥା ଫେବ୍ରୁଆରୀ ୨୫ରେ ବାନ୍ଦ୍ରା ଥାନାରେ ଅଭିଯୋଗ କରିଥିଲେ । ହେଲଷ ଏହାକୁ ଖଣ୍ଡନ କରି ମୁମ୍ବାଇ ପୋଲିସ ପକ୍ଷରୁ କୁହାଯାଇଛି ଯେ, ଫେବ୍ରୁଆରି ୨୫ରେ ବାନ୍ଦ୍ରା ଥାନାରେ ସେମିତି କୌଣସି ଲିଖିତ ଅଭିଯୋଗ ହୋଇ ନାହିଁ ।

ସୁଶାନ୍ତଙ୍କ ଭିଣେଇ ଓପି ସିଂହ ଜୋନ୍ ନାଇନ୍‌ର ଡିସିପିଙ୍କୁ ଏ ସଂପର୍କରେ ଅନୁଧ୍ୟାନ କରିବାକୁ ଅନୁରୋଧ କରିଥିଲେ । ଲିଖିତ ଅଭିଯୋଗ କରିବାକୁ ତାଙ୍କୁ ପରାମର୍ଶ ଦେଇଥିଲେ ଡିସିପି । କିନ୍ତୁ ଓପି ସିଂହ ଚାହୁଁଥିଲେ, ଅନୌପଚାରିକ ଭାବେ ଏହାର ସମାଧାନ ହେଉ । ହେଲେ ଏହା ସମ୍ଭବ ନୁହେଁ ବୋଲି ସେତେବେଳେ ଜଣାଇ ଦିଆଯାଇଥିଲା ବୋଲି ମୁମ୍ବାଇ ପୋଲିସ କହିଛି ।

ଅନ୍ୟପକ୍ଷେ ୧୫ କୋଟି ଟଙ୍କାରର କାରବାର ନେଇ ସୁଶାନ୍ତ ସିଂହ ରାଜପୁତଙ୍କ ଚାଟାର୍ଡ ଆକାଉଣ୍ଟାଣ୍ଟ ସନ୍ଦୀପ ଶ୍ରୀଧରଙ୍କୁ ପଚରା ଉଚରା କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ସେପଟେ ଶିବସେନା ସାଂସଦ ଅରବିନ୍ଦ ସାଓ୍ୱନ୍ତ କହିଛନ୍ତି, ବିହାର ପୋଲିସ ମୁମ୍ବାଇକୁ ଆସି BMW କାରରେ ବୁଲୁଛନ୍ତି, ଜାଗୁଆର୍‌ରେ ବୁଲୁଛନ୍ତି । ଏହା କାହାର କାର୍ ? ଏହା ଜଣେ ବିଜେପି ନେତାଙ୍କ ଗାଡ଼ି । ବିହାର ପୋଲିସ ଯଦି ଏତେ ଦାମୀ ଗାଡ଼ିରେ ବୁଲୁଛନ୍ତି, ସେଥିରୁ କେଉଁ ପ୍ରକାର ରାଜନୀତି ଚାଲିଛି, ତାହା ଜଣାପଡୁଛି ବୋଲି କଟାକ୍ଷ କରି କହିଛନ୍ତି।

You might also like