ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ହେବେ ସୁରିନାମ ରାଷ୍ଟ୍ରପତି

ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ଗସ୍ତ ବାତିଲ ପରେ ରାଷ୍ଟ୍ରପତି ସାନ୍ତୋଖିଙ୍କୁ ଆମନ୍ତ୍ରଣ କରିଥିଲେ ମୋଦି

ନୂଆଦିଲ୍ଲୀ : ବ୍ରିଟିଶ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ବାତିଲ ହେବା ପରେ ସୁରିନାମ ଗଣରାଜ୍ୟର ରାଷ୍ଟ୍ରପତି ଚନ୍ଦ୍ରିକାପ୍ରସାଦ ସାନ୍ତୋଖି ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ହେବେ । ଭାରତୀୟ ବଂଶୋଦ୍ଭବ ସାନ୍ତୋଖି ରାଜପଥ ପରେଡରେ ଯୋଗଦେବେ ବୋଲି  ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ ଜଡିତ ସୂତ୍ରରୂ ଜଣାପଡ଼ିଛି।

ବ୍ରିଟେନରେ କରୋନାର ସ୍ଥିତି ଅଣାୟତ ହେବାରୁ ଭାରତ ଯାତ୍ରା ରଦ୍ଦ କରିଦେଇଛନ୍ତି ପ୍ରଧାନମନ୍ତ୍ରୀ ବୋରିସ ଜନସନ୍ । ଗତ ୫ ତାରିଖରେ ବୋରିସ ଜନସନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫୋନ କରି ଭାରତ ଆସିବାକୁ ନିଜର ଅକ୍ଷମତା ପ୍ରକାଶ କରିଥିଲେ । ଆଉ ସେବେଠାରୁ କରୋନା ମହାମାରୀ ଭିତରେ ୭୨ ତମ ସାଧାରଣତନ୍ତ୍ର ଦିବସରେ କିଏ ମୁଖ୍ୟ ଅତିଥି ହେବେ ବୋଲି ଚର୍ଚ୍ଚା  ହେଉଥିଲା । ତେବେ ସବୁ ଆଶାଆଶଙ୍କାରେ ପୂର୍ଣ୍ଣଛେଦ ପକାଇ ସୁରିନାମ ରାଷ୍ଟ୍ରପତିଙ୍କୁ ମୁଖ୍ୟ ଅତିଥି ରୂପେ ଆମନ୍ତ୍ରିତ କରିଥିଲେ ମୋଦି, ଯାହାକୁ ସେ ମଧ୍ୟ ଆନନ୍ଦରେ ଗ୍ରହଣ କରି ନେଇଥିଲେ।

ଚନ୍ଦ୍ରିକାପ୍ରସାଦ ସାନ୍ତୋଖି ଗତ ସପ୍ତାହରେ ଅନୁଷ୍ଠିତ ହୋଇଥିବା ପ୍ରବାସୀ ଭାରତୀୟ ଦିବସରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଅଭିଭାଷଣ ରଖିଥିଲେ । ସେଠାରେ ସେ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ସୁଦୃଢ଼ ଉପରେ ଗୁରତ୍ୱାରୋପ କରିଥିଲେ । ଭାରତରୁ ସୁରିନାମକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଭିସା ଅନୁମତି ଶେଷ କରିବାକୁ ପ୍ରସ୍ତାବ ଦେଇଥିଲେ।

ସେପଟେ ଚଳିତ ବର୍ଷ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜଧାନୀ  ଦିଲ୍ଲୀରେ କୋଭିଡ୍ ନିର୍ଦ୍ଦେଶାବଳୀ ସହ ସାଧାରଣତନ୍ତ୍ର ଦିବସ ପାଳନ ହେବ। ଏଠାରେ ସୀମିତ ସଂଖ୍ୟକ ଅତିଥି ଓ ସୀମିତ  ସଂଖ୍ୟକ ଦର୍ଶକଙ୍କୁ ଅନୁମତି ଦିଆଯିବ । ମୁଖ୍ୟ ସମାରୋହ ସ୍ଥଳରେ ସାମାଜିକ ଦୂରତ୍ୱ ରକ୍ଷା ପାଇଁ ଚେୟାର ସଂଖ୍ୟା ହ୍ରାସ କରାଯିବ ଏବଂ  ଛାଡ଼ି ଛାଡ଼ି ରଖାଯିବ । ସେହିଭଳି କାର୍ଯ୍ୟକ୍ରମରେ ସୀମିତ ସଂଖ୍ୟାରେ କୋଭିଡ ଯୋଦ୍ଧାମା ତଥା ଭଲ୍ୟୃଣ୍ଟିୟର ମାନେ ଉପସ୍ଥିତ ରହିବେ ।  ଅଧିକ  ନିରାପତ୍ତା ରକ୍ଷା ପାଇଁ ପରେଡ ସ୍ଥଳରେ ଆଉ କେତେକ ପଦକ୍ଷେପ ନେବାକୁ ସରକାର ବିଚାର କରୁଛନ୍ତି ।

ଏଥର ପରେଡରେ ନ୍ୟାସନାଲ ସିକ୍ୟୁରିଟି ଗାର୍ଡ (ଏନଏସଜି) ର ‘ବ୍ଲାକ୍ କ୍ୟାଟ୍’ କମାଣ୍ଡୋ ଓ ଦେଶର ସର୍ବବୃହତ ପାରାମିଲିଟାରୀ ଫୋର୍ସ CRPF ନିଜର କଳାକୌଶଳ ପ୍ରଦର୍ଶନ କରିବେ। ସୂଚନା ଅନୁସାରେ ୨୦୧୭ରେ ପ୍ରଥମ ଥର ପାଇଁ ରାଜପଥରେ ପ୍ୟାରେଡ୍ କରିଥିବା NSG କମାଣ୍ଡୋମାନେ ଏଥର ପୁଣି ଫେରୁଛନ୍ତି । କଳା ପୋଷାକ ପିନ୍ଧୁଥିବାରୁ ଏମାନେ ‘ବ୍ଲାକ୍ କ୍ୟାଟ୍’ କମାଣ୍ଡୋ ଭାବରେ ଜଣାଶୁଣା । ଏଥର ସେମାନେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଏବଂ ଆନୁଷଙ୍ଗିକ ସାମଗ୍ରୀ ସହିତ MP5 ରାଇଫଲ୍, ଖଣ୍ଡା, ନାଇଟ୍ ଭିଜନ୍ ଗଗଲ୍, ବୁଲେଟ୍ ପ୍ରୁଫ୍ ଜ୍ୟାକେଟରେ ନଜର ଆସିବେ ।

You might also like