ବିରଳ ପ୍ରଭୁଭକ୍ତି, ରାମ ମନ୍ଦିର ନିର୍ମାଣ ପାଇଁ କନ୍ୟା ଦାନ କରିଦେଲେ ବିବାହରୁ ମିଳିଥିବା ଦେଢ଼ ଲକ୍ଷ ଟଙ୍କା

ସୁରଟ: ପ୍ରଭୁ ଶ୍ରୀରାମଙ୍କ କାମରେ ଲାଗିବ କନ୍ୟାଦାନ ଟଙ୍କା। ଅଯୋଧ୍ୟାରେ ନିର୍ମାଣ ହେବାକୁ ଥିବା ରାମ ମନ୍ଦିର ପାଇଁ ବିବାହରୁ ମିଳିଥିବା ଟଙ୍କା ଦାନ କରିଦେଲେ ନବବିବାହିତା। ବିବାହ ପରେ ଅତିଥି ଓ ପରିବାର ବର୍ଗଙ୍କ ତରଫରୁ ମିଳିଥିବା ପ୍ରାୟ ଦେଢ଼ ଲକ୍ଷ ଟଙ୍କାକୁ ରାମମନ୍ଦିର ପାଇଁ ଦାନ କରିଛନ୍ତି ସୁରଟରେ ରହୁଥିବା ହୀରା ବ୍ୟବସାୟୀଙ୍କ ଝିଅ। ରାମ ମନ୍ଦିର ପାଇଁ ଦେଶର କୋଣ ଅନୁକୋଣରୁ ଲୋକେ ଦାନ କରୁଥିବା ବେଳେ ବିବାହ ଟଙ୍କା ରାମ ମନ୍ଦିରକୁ ଦାନ କରିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ଗତ ରବିବାର ଦିନ ଖୁବ ଧୁମଧାମରେ ଅନୁଷ୍ଠିତ ହୋଇଛି ସୁରଟର ହୀରା ବ୍ୟବସାୟୀ ରମେଶ ଭଲାନୀଙ୍କ ଝିଅ ଦୃଷ୍ଟି ଭଲାନୀଙ୍କ ବିବାହ। ବାପା ଜଣେ ବ୍ୟବସାୟୀ ହୋଇଥିବା ତାଙ୍କ ସ୍ୱାମୀ ମଧ୍ୟ ଜଣେ ହୀରା ବ୍ୟବସାୟୀ। ବିବାହରେ କନ୍ୟାଦାନ ସ୍ୱରୂପ ଦୃଷ୍ଟିଙ୍କୁ ଦେଢ଼ ଲକ୍ଷ ଟଙ୍କା ଦାନ ଉପହାର ସ୍ୱରୂପ ଦେଇଥିଲେ ତାଙ୍କ ବାପା । ତେବେ ଦୃଷ୍ଟି ଏହି ଟଙ୍କାକୁ ନିଜ ପାଖରେ ନରଖି ରାମ ମନ୍ଦିର ନିର୍ମାଣ ପାଇଁ ଦାନ କରିଦେଇଛନ୍ତି। ନବବିବାହିତାଙ୍କ ଠାରୁ ପ୍ରେରଣା ପାଇ ବିବାହ ଉତ୍ସବରେ ସାମିଲ ହୋଇଥିବା  ଅତିଥିମାନେ ମଧ୍ୟ ସାଧ୍ୟମତେ ଦାନ କରିଛନ୍ତି।

ଅନ୍ୟପଟେ ଟଙ୍କା ଦାନ ପରେ ଦୃଷ୍ଟି କହିଛନ୍ତି, ଅନେକ ବର୍ଷର ଅପେକ୍ଷା ପରେ ସ୍ୱପ୍ନ ସତ ହେବାକୁ ଯାଉଛି। ଭଗବାନ ରାମଙ୍କର ଏକ ବିଶାଳ ମନ୍ଦିର ନିର୍ମାଣ ହେବାକୁ ଯାଉଛି, ଏହା ଆମ ସମସ୍ତଙ୍କ ପାଇଁ ଏକ ଗର୍ବର ବିଷୟ। ଶୁଭକାମରେ  ସମସ୍ତଙ୍କ ସହଯୋଗ ଜରୁରୀ। ରାମଙ୍କ ମନ୍ଦିର ଦେଖିଲେ ବିବାହ କଥା ମନେପଡିବ। ତେବେ ବାପାଙ୍କଠାରୁ ପ୍ରେରଣା ପାଇ ଏପରି ନିଷ୍ପତ୍ତି ନେଇଥିବା କହିଛନ୍ତି ଦୃଷ୍ଟି।

ଗୁଜରାଟ ଓ ସୁରଟରେ ମନ୍ଦିର ନିର୍ମାଣରେ ସାହାଯ୍ୟ କରିବାକୁ ଦାନ ପାଇଁ ଆଗେଇ ଆସିଛନ୍ତି ଶ୍ରଦ୍ଧାଳୁ। ପ୍ରତିଦିନ ଦାନ ସ୍ୱରୂପ କୋଟି କୋଟି ଟଙ୍କା ଆସୁଛି । ତିନି ଦିନରେ ପାଖାପାଖି ୩୧ କୋଟି ଟଙ୍କା ଦାନରେ ମିଳିଥିବା ବେଳେ ଜଣେ ବେପାରୀ ୧୧ କୋଟି ଟଙ୍କା ଦାନ କରିଥିବା ସୂଚନା ମିଳିଛି ।

You might also like