ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ବାପଘର ଲୋକଙ୍କୁ ନିଜ ସମ୍ପତ୍ତି ଦେଇ ପାରିବେ ବିଧବା ମହିଳା

  • ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ
  • ବିଧବା ମହିଳା ନିଜ ଅଂଶ ସମ୍ପତ୍ତି ବାପଘରକୁ ଦେଇପାରିବେ
  • ବାପଘର ପକ୍ଷ ଲୋକଙ୍କୁ ଅପରିଚିତ କୁହାଯାଇ ପାରିବ ନାହିଁ
  • ବାପଘର ପକ୍ଷର ଲୋକଙ୍କୁ ମହିଳାଙ୍କ ପରିବାରର ଏକ ଅଂଶ ବୋଲି କୁହାଯାଇ ପାରିବ

ନୂଆଦିଲ୍ଲୀ: ମହିଳାଙ୍କ ସମ୍ପତ୍ତିକୁ ନେଇ ସୁପ୍ରମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ  ଶୁଣାଇଛନ୍ତି। ଅଦାଲତ କହିଛନ୍ତି, ଜଣେ ବିଧବା ମହିଳା ଉତ୍ତରାଧିକାରୀ ସୂତ୍ରରେ ପାଇଥିବା ସମ୍ପତ୍ତି ବାପଘର ପକ୍ଷକୁ ଦେଇ ପାରବେ। କୋର୍ଟଙ୍କ କହିବା ଅନୁଯାୟୀ, ହିନ୍ଦୁ ସକ୍‌ସେସନ ଆକ୍ଟ  (Hindu Succession Act) ଅନୁସାରେ ହିନ୍ଦୁ ବିଧବା ମହିଳାଙ୍କ ବାପଘର ପକ୍ଷ ଲୋକଙ୍କୁ ଅପରିଚିତ ବୋଲି କୁହାଯାଇ ପାରିବ ନାହିଁ। ତେଣୁ ନିଜ ସମ୍ପତ୍ତି ବିଧବା ମହିଳା ଚାହିଁଲେ ବାପଘର ଲୋକଙ୍କୁ ଦେଇ ପାରିବେ। ସୁପ୍ରିମ କୋର୍ଟ ଗୁଡଗାଓଁର ଏକ ପରିବାରିକ ମାମଲାର ଶୁଣାଣି କରି ଏପରି ରାୟ  ଶୁଣାଇଛନ୍ତି। ସଂପୃକ୍ତ ପରିବାର ହାଇକୋର୍ଟଙ୍କ ରାୟକୁ ଚାଲେଞ୍ଜ କରି ସୁପ୍ରିମ୍‌ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ଅଦାଲତ କହିଛନ୍ତି, ବାପଘର ପକ୍ଷର ଲୋକଙ୍କୁ ମହିଳାଙ୍କ ପରିବାରର ଏକ ଅଂଶ ବୋଲି କୁହାଯାଇ ପାରିବ। ଧାରା ୧୫ (୧)(D) ଆଧାରରେ ଜଷ୍ଟିସ ଅଶୋକ ଭୂଷଣ ଏବଂ ସୁଭାଷ ରେଡ୍ଡିଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି, ହିନ୍ଦୁ ମହିଳାଙ୍କ ପିତାଙ୍କ ଉତ୍ତରାଧିକାରୀଙ୍କୁ ମହିଳାଙ୍କ ସଂପତ୍ତି ଉତ୍ତରାଧିକାରୀ ଭାବେ ଗ୍ରହଣ କରାଯାଇ ପାରିବ। ମହିଳାଙ୍କର ଏପରି ନିଷ୍ପତ୍ତିକୁ ବିରୋଧ କରି ତାଙ୍କ ଦିଅରଙ୍କ ସନ୍ତାନ ଅଦାଲତରେ ମାମଲା ଦାଏର କରିଥିଲେ।

ମହିଳା ଜଣକ ପାରିବାରିକ ବୁଝାମଣା ଭିତ୍ତିରେ ତାଙ୍କ ଭାଇଙ୍କ ପୁଅ ନାମରେ ନିଜର ଅଂଶ ସମ୍ପତ୍ତି କରିଥିଲେ। ଏହାକୁ ତାଙ୍କ ଦିଅରଙ୍କ ପିଲାମାନେ ବିରୋଧ କରି କୋର୍ଟ ଦ୍ୱାରସ୍ଥ ହୋଇଥିଲେ। ଏହାକୁ ରଦ୍ଦ କରିବା ପାଇଁ ଦିଅରଙ୍କ ପିଲାମାନେ ଆବେଦନରେ ଅପିଲ କରିଥିଲେ। ତେବେ ତଳ କୋର୍ଟ ଏବଂ ହାଇକୋର୍ଟ ମହିଳାଙ୍କ ସପକ୍ଷରେ ରାୟ ଦେଇଥିଲେ।

ଦିଅରଙ୍କ ପିଲାମାନେ ଏହାକୁ ଚାଲେଞ୍ଜ କରି ସୁପ୍ରମକୋର୍ଟ ଯାଇଥିଲେ। ହେଲେ ସୁପ୍ରିମ କୋର୍ଟ ତଳ କୋର୍ଟ ଓ ହାଇକୋର୍ଟଙ୍କ ରାୟକୁ ଠିକ୍‌ ବୋଲି ତାଙ୍କ ରାୟରେ କହିଥିଲେ।

ସୂଚନାଥାଉ କି, ଏହି ଘଟଣା ଗୁଡଗାଓଁ ବାଜିଦପୁର ତହସିଲ ଅଧୀନସ୍ଥ ଗଢୀ ଗାଁର। ଗାଁର ବଦଲୁ ନାମକ ଜଣେ ବ୍ୟକ୍ତିଙ୍କ ପାଖରେ ଚାଷଜମି ଥିଲା। ବଦଲୁଙ୍କର ବାଲିରାମ ଏବଂ ଶେର ସିଂହ ନାମରେ ଦୁଇ ସନ୍ତାନ ଥିଲେ। ୧୯୫୩ରେ ଶେର ସିଂହଙ୍କ ମୃତ୍ୟୁ ଘଟିବା ପରେ ତାଙ୍କର ପତ୍ନୀ ତାଙ୍କର ସମ୍ପତ୍ତିର ଭାଗ ନିଜ ଭାଇଙ୍କ ପୁଅଙ୍କ ନାମରେ କରି ଦେଇଥିଲେ। ହେଲେ ଏହାକୁ ନେଇ ବାଲିରାମଙ୍କ ପିଲାମାନେ ବିରୋଧ କରି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

You might also like