କେନ୍ଦ୍ର ସରକାରଙ୍କ ଉପରେ ଖପ୍ପା ସୁପ୍ରିମକୋର୍ଟ ! କହିଲେ କରୋନା ମୁକାବିଲା ପାଇଁ କ’ଣ କରିଛ ମାଷ୍ଟର ପ୍ଲାନ୍, ଜବାବ ଦିଅ..

ନୂଆଦିଲ୍ଲୀ: କରୋନା ରୋଗୀଙ୍କ ପାଖରେ ଅକ୍ସିଜେନ ପହଞ୍ଚି ପାରୁନଥିବାରୁ କେନ୍ଦ୍ର ସରକାରଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ। କୋଭିଡ ମୁକାବିଲା ନେଇ କେନ୍ଦ୍ର ସରକାର କ’ଣ ବଡ଼ ପଦକ୍ଷେପ ନେଇଛନ୍ତି ସେନେଇ ଜବାବ ମାଗିଛନ୍ତି ସୁପ୍ରିମକୋର୍ଟ।

ଗୋଟିଏ ପଟେ ସାରା ଦେଶ ଏବେ କରୋନା ମହାମାରୀ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ବେଳେ ଅନ୍ୟପଟେ ପ୍ରତ୍ୟେକ ଦିନ ହଜାର ହଜାର ଲୋକଙ୍କ ମୃତ୍ୟୁ ହେବାରେ ଲାଗିଛି। ତେବେ କରୋନା ସଂକ୍ରମଣ ଦିନକୁ ଦିନ ଯେତିକି ବଢ଼ୁଛି ସ୍ୱାସ୍ଥ୍ୟସେବା କେନ୍ଦ୍ର ବା ମେଡିକାଲରେ ଗହଳି ସେତିକି ବଢ଼ୁଛି। ମେଡିକାଲରେ ବେଡ୍ ସଂଖ୍ୟାଠାରୁ ରୋଗୀଙ୍କ ସଂଖ୍ୟା ଢ଼େର ଅଧିକ। ଏହି କ୍ରମରେ ମେଡିକାଲରେ ରୋଗୀଙ୍କ ପାଇଁ ଆବଶ୍ୟକୀୟ ଓ ଜରୁରୀ ଉପକରଣ ମଧ୍ୟ ଅଭାବ ରହୁଛି। ଆଉ କରୋନା ରୋଗୀଙ୍କ ପାଇଁ ସେହି ଜରୁରୀ ଉପକରଣ ମଧ୍ୟରେ ଅକ୍ସିଜେନ ହେଉଛି ଅନ୍ୟତମ। ଅକ୍ସିଜେନ ସିଲିଣ୍ଡର ଅଭାବରରୁ ଅନେକ କରୋନା ରୋଗୀଙ୍କ ମୃତ୍ୟୁ ହେଉଥିବା ଖବର ମଧ୍ୟ ସାମ୍ନାକୁ ଆସୁଛି। ମେଡିକାଲରେ କରୋନା ରୋଗୀଙ୍କ ସଂଖ୍ୟା ଯେତିକି ବଢ଼ୁଛି, ଅକ୍ସିଜେନ ସିଲିଣ୍ଡରର ଅଭାବ ସେତିକି ଦୃଶ୍ୟମାନ ହେଉଛି। ଖାଲି ଅକ୍ସିଜେନ ନୁହେଁ ବରଂ ଔଷଧର ମଧ୍ୟ ଅଭାବ ଦେଖାଯାଇଛି।

ତେଣୁ ଏହାକୁ ନେଇ ସୁପ୍ରିମକୋର୍ଟ ସରକାରଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଗୁରୁବାର ସୁପ୍ରିମକୋର୍ଟ ନିଜେ ଏହି ପରିସ୍ଥିତିକୁ ଅନୁଭବ କରି କେନ୍ଦ୍ର ସରକାରଙ୍କୁ ଏକ ନୋଟିସ ଜାରି କରିଛନ୍ତି। କୋର୍ଟ ପଚାରିଛନ୍ତି ଯେ, ସରକାରଙ୍କ ପାଖରେ କୋଭିଡ ମହାମାରୀ ସହ ଲଢ଼େଇ ପାଇଁ କ’ଣ ବଡ଼ ଯୋଜନା ରହିଛି ? ଏହି ମାମଲାର ତଦନ୍ତ ପାଇଁ କୋର୍ଟ ହରିଶ ସାଲଭେଙ୍କୁ ଆମିକସ କ୍ୟୁରି ଭାବେ ନିଯୁକ୍ତ ମଧ୍ୟ କରିଛନ୍ତି।

ସୁପ୍ରିମକୋର୍ଟ ଚାରୋଟି ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ କେନ୍ଦ୍ର ସରକାରଙ୍କୁ ଜବାବ ମାଗିଛନ୍ତି। ଏଥିରେ ପ୍ରଥମେ ଅକ୍ସିଜେନ ସିଲିଣ୍ଡର ଯୋଗାଣ କଥା ରହିଛି। ଦ୍ୱିତୀୟରେ ଔଷଧ ଯୋଗାଣ, ତୃତୀୟରେ ଟିକାକରଣର ତରିକା ଏବଂ ପ୍ରକ୍ରିୟା କ’ଣ ରହିଛି ବୋଲି ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି। ସେହିଭଳି ଚତୁର୍ଥ ପ୍ରସଙ୍ଗ ହେଉଛି ଯେ, ଲକଡାଉନ ଘୋଷଣା କରିବାର ଅଧିକାର କେବଳ ରାଜ୍ୟ ସରକାରଙ୍କୁ ଦିଆଯାଉ, କୌଣସି କୋର୍ଟ ଲକଡାଉନ ନେଇ ନିଷ୍ପତି ନେଇପାରିବେ ନାହିଁ ବୋଲି କହିଛନ୍ତି ସୁପ୍ରିମକୋର୍ଟ। ୨୩ ଏପ୍ରିଲରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି।

ସୁପ୍ରିମକୋର୍ଟ କହିଛନ୍ତି ଯେ, କରୋନା ଏବଂ ଲକଡାଉନ ମାମଲାରେ ୬ଟି ଭିନ୍ନ ଭିନ୍ନ ହାଇକୋର୍ଟଙ୍କ ରାୟ ଭିନ୍ନ ରହିଛି । ତେଣୁ ଏହାକୁ ନେଇ ‘ଦ୍ୱନ୍ଦ୍ୱ’ ଉପୁଜୁଛି। ଦିଲ୍ଲୀ, ବମ୍ବେ, ସିକ୍କିମ, କୋଲକତା, ଆହ୍ଲାବାଦ ଏବଂ ଓଡିଶା ହାଇକୋର୍ଟରେ କରୋନା ସଙ୍କଟ ଉପରେ ଶୁଣାଣି ଚାଲିଛି। ଗୋଟିଏ ହାଇକୋର୍ଟ ଅନୁଭବ କରୁଛନ୍ତି ଯେ ଏହା ତାଙ୍କର ଅଧିକାର କ୍ଷେତ୍ରରେ ପ୍ରାଥମିକତା, ଅନ୍ୟଏକ ହାଇକୋର୍ଟ ଅନୁଭବ କରୁଛନ୍ତି ଯେ ଏହା ସେମାନଙ୍କର ଅଧିକାର । ତେଣୁ ସେମାନେ ଲକଡାଉନ ନିଷ୍ପତି ନେଇପାରିବେ।

ଆହ୍ଲାବାଦ ହାଇକୋର୍ଟଙ୍କ ଲକଡାଉନ୍ ଆଦେଶ ବାବଦରେ ସୁପ୍ରିମକୋର୍ଟ କହିଛନ୍ତି ଯେ, ହାଇକୋର୍ଟ ଏପରି ଆଦେଶ ଦିଅନ୍ତୁ, ତାହା ସେ ଚାହୁଁନାହାନ୍ତି। ଚିଫ୍ ଜଷ୍ଟିସ ଏସଏ ବୋବଡ଼େ କହିଛନ୍ତି, ‘ଆମେ ଚାହୁଁଛୁ ଯେ ରାଜ୍ୟ ସରକାରଙ୍କ ପାଖରେ ଲକଡାଉନ ଘୋଷଣା କରିବାର କ୍ଷମତା ରହୁ, ଏହାକୁ ନ୍ୟାୟପାଳିକା ଦ୍ୱାରା ବ୍ୟବହାର କରାନଯାଉ।’

ଏହି ସମୟରେ ସଲିସିଟର ଜେନେରାଲ ତୁଷାର ମେହେତା କୋର୍ଟଙ୍କୁ ପଚାରିଥିଲେ ଯେ, କ’ଣ ସୁପ୍ରିମକୋର୍ଟ ହାଇକୋର୍ଟଙ୍କ କାର୍ଯ୍ୟବାହୀ ଉପରେ ରୋକ ଲଗାଇବେ? ତେବେ ଏହା ପରେ କୋର୍ଟ କହିଥଲେ ଯେ, ସରକାର ନିଜର ଯୋଜନାକୁ ହାଇକୋର୍ଟରେ ଦାଖଲ କରିପାରିବେ। ଯଦି ସରକାରଙ୍କର ପାଖରେ ଅକ୍ସିଜେନ ବଣ୍ଟନ ନେଇ କିଛି ଠୋସ ଯୋଜନା ରହିଛି ତେବେ ଏହି ଦିଗରେ କୋର୍ଟ ନିଶ୍ଚିତ ନଜର ରଖିବେ।

ଏହାପୂର୍ବରୁ ଦିଲ୍ଲୀ ହାଇକୋର୍ଟ କେନ୍ଦ୍ର ସରକାରଙ୍କ ଉପରେ କଟୁ ମନ୍ତବ୍ୟ ଦେଇ କହିଥିଲେ, ‘ଗୁହାରି କର, ଧାର କରଜ କର କିମ୍ବା ଚୋରି କର, ଯାହା ବି କରୁଛ କର କିନ୍ତୁ ଅକ୍ସିଜେନ ଆଣି ଲୋକଙ୍କୁ ଯୋଗାଆ। ଅମ୍ଳଜାନ ଅଭାବରୁ ରୋଗୀମାନଙ୍କର ଏଭଳି ମୃତ୍ୟୁକୁ ଦେଖି ହେବ ନାହିଁ। ବୁଧବାର ଦିଲ୍ଲୀର କେତେକ ଡାକ୍ତରଖାନାରେ ଅକ୍ସିଜେନର ଜରୁରୀ ଆବଶ୍ୟକତାକୁ ନେଇ ଶୁଣାଣି କରୁଥିବା ବେଳେ ଦିଲ୍ଲୀ ହାଇକୋର୍ଟ ଏଭଳି କଠୋର ମନ୍ତବ୍ୟ ଦେଇଛନ୍ତି।

କରୋନାରେ ଗୁରୁତର ରୋଗୀଙ୍କୁ ଚିକିତ୍ସା କରୁଥିବା ଦିଲ୍ଲୀର ଡାକ୍ତରଖାନାଗୁଡ଼ିକୁ ଯେକୌଣସି ଉପାୟରେ ହେଉ ନା କାହିଁକି, ଅକ୍ସିଜେନ ଯୋଗାଇ ଦିଆଯାଉ। ଏନେଇ କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ। ଖାଲି ସେତିକି ନୁହେଁ ଦିଲ୍ଲୀ ହାଇକୋର୍ଟ କହିଛନ୍ତି ଯେ, କେନ୍ଦ୍ର ସରକାର କାହିଁକି ପରିସ୍ଥିତିର ଗମ୍ଭୀରତାକୁ ବୁଝିପାରୁ ନାହାନ୍ତି, ତାହା ଆଶ୍ଚର୍ଯ୍ୟ ଜନକ।

You might also like