ଆଇଏନଏସ୍‌ ବିରାଟକୁ ଭାଙ୍ଗିବା ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଭାରତୀୟ ନୌସେନାରୁ ସେବା ନିବୃତ ଯୁଦ୍ଧ ଜାହାଜ ଆଇଏନ୍ଏସ୍ ବିରାଟକୁ ଭାଙ୍ଗିବା ଉପରେ ରୋକ ଲଗାଇଛନ୍ତି ସୁପ୍ରିମକୋର୍ଟ । ଏ ସଂପର୍କିତ ଆବେଦନର ଶୁଣାଣି କରି ଜାହାଜ ଭାଙ୍ଗିବା ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଏହାସହ ଜାହାଜ କିଣିଥିବା ସଂସ୍ଥାକୁ କୋର୍ଟ ନୋଟିସ ଦେଇଛନ୍ତି ।

ଗୋଟିଏ ସଂସ୍ଥା ଆଇଏନ୍ଏସ୍ ବିରାଟକୁ କିଣିବା ପରେ ଭାଙ୍ଗିବା ଲାଗି ଗୁଜରାଟ ଅଲଙ୍ଗ ସିପ୍ ୟାର୍ଡରେ ରଖିଛି । ତେବେ ଏହାକୁ ନେଇ ଗୋଟିଏ ସଂଗ୍ରହାଳୟ ଓ ବହୁମୁଖୀ ଆଡଭେଞ୍ଚର କେନ୍ଦ୍ର କରିବା ଲାଗି ଅନ୍ୟ ଏକ ସଂସ୍ଥା ଇଛା ପ୍ରକାଶ କରିଥିଲା । ଏ ବାବଦରେ ଜାହାଜ କିଣିଥିବା ସଂସ୍ଥାକୁ ୧୦୦ କୋଟି ଟଙ୍କା ଦେବାକୁ ମଧ୍ୟ ଯାଚିଥିଲେ । ହେଲେ କିଣିଥିବା କଂପାନି ଏହାକୁ ଗ୍ରହଣ କରିନଥିଲେ ଏଣୁ ସଂଗ୍ରହାଳୟ କରିବାକୁ ଥିବା କଂପାନି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ସୂଚନାଥାଉ କି, ପୃଥିବୀରେ ସବୁଠାରୁ ଅଧିକ ଦିନ ସେବା ଯୋଗାଇଥିବା ଯୁଦ୍ଧପୋତ ହେଉଛି ଆଇଏନଏସ ବିରାଟ। ଆଇଏନଏସ ବିରାଟକୁ ତିନି ବର୍ଷ ହେଲା କାର୍ଯ୍ୟରୁ ବିରତି ଦିଆଯାଇଛି। କୌଣସି କର୍ପୋରେଟ ହାଉସ୍‌ ଏକ ମ୍ୟୁଜିୟମ ପାଇଁ ଅର୍ଥ ବ୍ୟୟ କରିବାକୁ ପ୍ରସ୍ତୁତ ନ ଥିଲା। ତେବେ ଗୋଆ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ ପରି ରାଜ୍ୟ ଏଥିପ୍ରତି ଆଗ୍ରହ ଦେଖାଇଥିଲେ କିନ୍ତୁ ପରବର୍ତ୍ତୀ ସମୟରେ ଏ ଦିଗରେ ଆଗେଇ ନ ଥିଲେ।

କିଛି ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଏହି ଜାହାଜ ୧୦ ବର୍ଷରୁ ଅଧିକ ଦିନ  ରହିପାରିବ ନାହିଁ। କେନ୍ଦ୍ର ମନ୍ତ୍ରୀ ମନସୁଖ ମଣ୍ଡାଭିୟା ଏକ କାର୍ଯ୍ୟକ୍ରମରେ କହିଥିଲେ ସରକାର ସଂଗ୍ରହାଳୟ ପରିଯୋଜନାରେ ୪୦୦-୫୦୦ କୋଟି ଟଙ୍କା ଖର୍ଚ୍ଚ କରିବା ପାଇଁ ପ୍ରସ୍ତୁତ ଅଛନ୍ତି। କିନ୍ତୁ ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି ଯେ, ଏହା ୧୦ ବର୍ଷରୁ ଅଧିକ ଦିନ ରହି ପାରିବ ନାହିଁ

 

You might also like