ସୁପ୍ରିମକୋର୍ଟରେ ନିର୍ଭୟା ଦୋଷୀ ଅକ୍ଷୟର କ୍ୟୁରେଟିଭ ପିଟିସନ ଖାରଜ

ନୂଆଦିଲ୍ଲୀ: ନିର୍ଭୟା ଦୋଷୀ ଅକ୍ଷୟ ସିଂହ ଠାକୁରର କ୍ୟୁରେଟିଭ ପିଟିସନ ସୁପ୍ରିମକୋର୍ଟରେ ଖାରଜ ।  ଏହାପରେ ଆଇନଗତ ଭାବେ ସବୁ ବିକଳ୍ପ ଶେଷ ହୋଇଛି । କେବଳ ରାଜକ୍ଷମା ହିଁ ଅକ୍ଷୟ ସିଂହଙ୍କୁ ବଞ୍ଚାଇପାରେ। ଫାଶୀ ଦଣ୍ଡକୁ ଟାଳିବାକୁ ସେ ରାଷ୍ଟ୍ରପତିଙ୍କ ପାଖରେ ରାଜକ୍ଷମା ଆବେଦନ କରିପାରେ।

ସୂଚନାଥାଉ କି, ଆଗରୁ ୨ ଜଣଙ୍କର କ୍ୟୁରେଟିଭ ପିଟିସନ ଖାରଜ ହୋଇ ସାରିଛି । ମୁକେଶ ସିଂହ ଓ ପଓ୍ୱନ କୁମାର କ୍ୟୁରେଟିଭ ପିଟିସନ ଦାଖଲ କରିଥିଲେ। ସୁପ୍ରିମକୋର୍ଟ ତାହାକୁ ଖାରଜ କରି ଦେଇଥିଲେ।

ସେପଟେ ନିର୍ଭୟା ଦୋଷୀଙ୍କୁ ଫେବ୍ରୁଆରୀ ୧ ରେ ଫାଶୀ ଦିଆଯିବ କି ନାହିଁ ସେ ନେଇ ଆଜି ଅପରାହ୍ନରେ ଦିଲ୍ଲୀ ପଟିଆଲା ହାଉସ୍ କୋର୍ଟ ନିଷ୍ପତ୍ତି ନେବେ। ଫାଶୀ ଉପରେ ରୋକ୍ ଲଗାଇବାକୁ ଅକ୍ଷୟ ସିଂହ ଠାକୁର କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା । ଏପର୍ଯ୍ୟନ୍ତ ସେମାନଙ୍କ ପାଖରେ ଅନେକ ଆଇନଗତ ବିକଳ୍ପ ଥିବାରୁ ଫେବ୍ରୁଆରୀ ୧ ରେ ଫାଶୀ ନ ଦେବାକୁ ସେ ଆବେଦନ କରିଛି।

ଆଜି ଅପରାହ୍ନରେ ଏହାର ଶୁଣାଣି କରିବାକୁ ଦିଲ୍ଲୀ ପଟିଆଲା ହାଉସ୍ କୋର୍ଟ ରାଜି ହୋଇଛନ୍ତି । ଗତକାଲି ବିନୟ ଶର୍ମା ମଧ୍ୟ ରାଷ୍ଟ୍ରପତିଙ୍କ ନିକଟରେ ରାଜକ୍ଷମା ଆବେଦନ କରିଥିଲା । ଫାଶୀ କ‘ଣ କେବଳ ଗୋଟିଏ ଦଣ୍ଡ କି-ତାହା ବିଚାର କରାଯାଉ ବୋଲି ତାର ଓକିଲ ଯୁକ୍ତି ଦର୍ଶାଇଛନ୍ତି ।

ସୂଚନା ଥାଉ କି, ପ୍ରଥମେ ଜାନୁଆରି ୨୨ରେ ୪ ଦୋଷୀ ବିନୟ ଶର୍ମା, ଅକ୍ଷୟ ସିଂହ ଠାକୁର, ମୁକେଶ ସିଂହ, ପଓ୍ୱନ କୁମାରଙ୍କୁ ଫାଶୀ ଦେବାର ଥିଲା କିନ୍ତୁ ତାହା ଫେବ୍ରୁଆରୀ ୧କୁ ଘୁଞ୍ଚାଇ ଦିଆଯାଇଥିଲା।

You might also like