ପବନର କ୍ୟୁରେଟିଭ ପିଟିସନ ଖାରଜ, କାଲି ଫାଶି !

ନୂଆଦିଲ୍ଲୀ: ଆସନ୍ତାକାଲି ଫାଶୀ ପାଇବେ ନିର୍ଭୟା ଦୋଷୀ ! ଏହା ପୂର୍ବରୁ ଅର୍ଥାତ୍‌ ମଙ୍ଗଳବାର ନିର୍ଭୟା ଦୋଷୀ ପବନ ଗୁପ୍ତା ସୁପ୍ରିମକୋର୍ଟରେ କ୍ୟୁରେଟିଭ ପିଟିସନ ଦାଖଲ କରିଥିଲା। ହେଲେ ଏହି ପିଟିସନକୁ  ଆଜି ସୁପ୍ରିମ୍‌କୋର୍ଟ ଖାରଜ କରି ଦେଇଛନ୍ତି । ୨୦୧୨ରେ ଯେତେବେଳେ ଏହି ଘଟଣା ଘଟିଥିଲା ସେତେବେଳେ ପବନ ନାବାଳକ ଥିଲା ବୋଲି ଦାବି କରି କ୍ୟୁରେଟିଭ ପିଟିସନ ଦାଖଲ କରିଥିଲା। ପୂର୍ବରୁ ମଧ୍ୟ ସେ ଏହି ମାମଲରେ ରିଭ୍ୟୁ ପିଟିସନ ଦାଖଲ କରି ନିରାଶ ହୋଇଥିଲା।

ଘଟଣା ବେଳେ ସେ ନାବାଳକ ଥିବାରୁ ତା’ର ଫାଶୀ ଦଣ୍ଡକୁ ଆଜୀବନରେ ପରିଣତ କରିବାକୁ ପବନ ପିଟିସନରେ ନିବେଦନ କରିଥିଲା। ହେଲେ ଜଷ୍ଟିସ ଏନଭି ରମନାଙ୍କ ଅଧ୍ୟକ୍ଷତାରେ ଗଠିତ ସୁପ୍ରିମକୋର୍ଟର ୬ ଜଣିଆ ଖଣ୍ଡପୀଠ ଏହାକୁ ଖାରଜ କରିଦେଇଛନ୍ତି।

ଖଣ୍ଡପୀଠ କହିଛନ୍ତି, “ମାମଲାର ଶୁଣାଣି କରିବାର କୌଣସି କାରଣ ନାହିଁ। ଆମେ କ୍ୟୁରେଟିଭ ପିଟିସନରେ ହୋଇଥିବା ଆବେଦନ ଓ ଦସ୍ତାବିଜକୁ ଭଲ ଭାବେ ଅନୁଧ୍ୟାନ କରିଛୁ। ଏଥିରୁ କୌଣସି ନୂଆ ତଥ୍ୟ ବାହାରି ନାହିଁ। ତେଣୁ ଆବେଦନକୁ ଖାରଜ କରାଯାଉଛି।”

ଏହି ଖଣ୍ଡପୀଠରେ ଜଷ୍ଟିସ ଅରୁଣ ମିଶ୍ର, ଜଷ୍ଟିସ୍‌ ଆରଏଫ ନରିମନ, ଜଷ୍ଟିସ ଆର ଭାନୁମତି, ଜଷ୍ଟିସ ଅଶୋକ ଭୂଷଣ ଓ ଜଷ୍ଟିସ୍‌ ଏଏସ୍‌ ବୋପାନ୍ନା ସଦସ୍ୟ ରହିଥିଲେ।

ସୂଚନାଥାଉ କି, ମାର୍ଚ୍ଚ ୫ ତାରିଖ କୋର୍ଟ ନର୍ଭୟା ଦୋଷୀ ମୁକେଶ ସିଂହ(୩୨), ପବନ ଗୁପ୍ତା(୨୫), ବିନୟ ଶର୍ମା (୨୬) ଏବଂ ଅକ୍ଷୟ କୁମାର ସିଂହ(୩୧)ଙ୍କ ବିରୋଧରେ ଡେ ୱାରେଣ୍ଟ ଜାରି କରିଥିଲେ। ଚାରି ଦୋଷୀଙ୍କୁ ମାର୍ଚ୍ଚ ୨୦ ତାରିଖ ସକାଳ ସାଢେ ୫ଟାବେଳେ ଫାଶି ଦିଆଯିବ। ସମସ୍ତ ଦୋଷୀ ଫାଶିରୁ ବର୍ତ୍ତିବା ପାଇଁ ସେମାନଙ୍କ ଆଇନ ଏବଂ ସାମ୍ବିଧାନିକ ବିକଳ୍ପ ପ୍ରୟୋଗ କରି  ସାରିଛନ୍ତି। ଫାଶିରୁ ବର୍ତ୍ତିବା ପାଇଁ ସେମାନଙ୍କର ସବୁ ରାସ୍ତା ପ୍ରାୟ ବନ୍ଦ ହୋଇ ଯାଇଛି।

ସୁପ୍ରିମକୋର୍ଟରୁ ପୁଣି ଝଟ୍‌କା ଖାଇବା ପରେ ପବନର ଓକିଲ ଏପି ସିଂହ କହିଛନ୍ତି ସୁପ୍ରିମକୋର୍ଟ, ହାଇକୋର୍ଟରେ ସବୁ କାମ ବନ୍ଦ ରହିଛି। ହେଲେ ଦୁଃଖର କଥା, ଫାଶି ଦଣ୍ଡ ଉପରେ ରୋକ ଲଗାଯାଇ ପାରୁନାହିଁ। ଦୋଷୀମାନେ ବହୁତ ଚାପରେ ଅଛନ୍ତି। ଅନ୍ୟପକ୍ଷରେ ନିର୍ଭୟା ମା’ କହିଛନ୍ତି, ‘ଆଜି ସୁଦ୍ଧା ଦୋଷୀଙ୍କର କୌଣସି ଆବେଦନ ବାକି ନାହିଁ। ସେମାନେ କେବଳ ଫାଶିକୁ ଟାଳିବା ପାଇଁ ଏପରି କରୁଛନ୍ତି। କୋର୍ଟ ଏମାନଙ୍କ ଉଦ୍ଦେଶ୍ୟ ବୁଝି ସାରିଲେଣି। କାଲି ୫.୩୦ରେ ସେମାନେ ଫାଶି ପାଇବେ। କାଲି ନିର୍ଭୟାକୁ ନ୍ୟାୟ ମିଳିବ।’

ଅନ୍ୟପକ୍ଷେ ଦୋଷୀଙ୍କ ଓକିଲ ଏପି ସିଂହ ଫାଶିକୁ କରୋନା ସହ ଜୋଡି ଦେଇଛନ୍ତି। ସେ କହିଛନ୍ତି ‘ ସାଢେ ୧୬ ବର୍ଷର ପିଲାକୁ ଫାଶି ଦିଅନି। ଅନ୍ୟାୟ ହେଉଛି। ଏସବୁ ଚାପରେ ହେଉଛି। ମିଡିଆ ପ୍ରେସର ରହୁଛି। ରାଜନୀତିକ ଚାପ ରହୁଛି। ସେମାନେ କୌଣସି ଆତଙ୍କୀ ନୁହଁନ୍ତି। ସେମାନେ ଅଭ୍ୟାସଗତ ଅପରାଧୀ ନୁହଁନ୍ତି। ଏ ସବୁ ଦିଗକୁ ମଧ୍ୟ ଧ୍ୟାନ ଦିଆଯିବା ଉଚିତ୍‌।

You might also like