‘ଲକର୍‌ ସୁରକ୍ଷା ଦାୟିତ୍ୱ ବ୍ୟାଙ୍କର, ଏଥିରୁ ଖସି ପାରିବେ ନାହିଁ’

ନୂଆଦିଲ୍ଲୀ: ବ୍ୟାଙ୍କ ଲକର ନିୟମରେ ବଡ ଧରଣର ପରିବର୍ତ୍ତନ କରାଯିବ। ବର୍ତ୍ତମାନ ଥିବା ବ୍ୟାଙ୍କ ଲକର ନିୟମରେ ଅସନ୍ତୋଷ ପ୍ରକାଶ କରି ୬ ମାସ ଭିତରେ ନୂଆ ନିୟମ ପ୍ରସ୍ତୁତ କରିବାକୁ ଆରବିଆକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ।

ବ୍ୟାଙ୍କର ଲକର ବ୍ୟବସ୍ଥାକୁ ସାଧାରଣତଃ  ମଧ୍ୟମ ବର୍ଗର ପରିବାର ବ୍ୟବହାର କରିଥାନ୍ତି। ହେଲେ ଲକର ନିୟମର ଅବ୍ୟବସ୍ଥାକୁ ଦେଖି ସୁପ୍ରମକୋର୍ଟ ଏହାର ପରିବର୍ତ୍ତନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।  ସୁପ୍ରିମକୋର୍ଟ କହିଛନ୍ତି, ବ୍ୟାଙ୍କ ଉପରେ ଭରସା କରି ଲୋକେ ଟଙ୍କା ରଖୁଛନ୍ତି। ଲକରରେ ଗହଣା ରଖୁଛନ୍ତି । ଲକରର ପରିଚାଳନାକୁ ନେଇ ବ୍ୟାଙ୍କ ଗ୍ରାହକଙ୍କଠାରୁ ମୁହଁ ଫେରାଇ ପାରିବ ନାହିଁ।

ଜଷ୍ଟିସ ଏମଏମ ଶାନ୍ତନଗୌଡର ଏବଂ ଜଷ୍ଟିସ ବିନୀତ ସରନଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି, ସାଧାରଣ ଲୋକଙ୍କ ଜୀବନରେ ବ୍ୟାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏହାର କାରଣ ଘରୋଇ ଏବଂ ଅନ୍ତର୍ଜାତୀୟ ଆର୍ଥିକ କାରବାର ବୃଦ୍ଧି ପାଉଛି। ଲୋକେ ସୁନା, ଟଙ୍କା ଆଦି ଘରେ ରଖିବାକୁ ପସନ୍ଦ କରୁନାହାନ୍ତି। କାରଣ ଆମେ ଧୀରେ ଧୀରେ କ୍ୟାସଲେସ୍ ଇକନମି ଆଡକୁ ବଢୁଛେ।

ଖଣ୍ଡପୀଠ କହିଛନ୍ତି, ବ୍ୟାଙ୍କ ଦ୍ୱାରା ଉପଲବ୍ଧ କରାଯାଉଥିବା ଲକର ସେବା ଏବେ ଏକ ଜରୁରୀ ସେବା ହୋଇଗଲାଣି। ଏହି ସେବା ଦେଶର ପ୍ରତ୍ୟେକ ନାଗରିକଙ୍କଠାରୁ ଆରମ୍ଭ କରି ବିଦେଶୀ ନାଗରିକମାନେ ପାଇ ପାରିବେ। ତେବେ ଏହାର ସୁରକ୍ଷା ନେଇ ବାରମ୍ବାର ଗ୍ରାହକ ଓ ବ୍ୟାଙ୍କ ମଧ୍ୟରେ ବିବାଦ ଦେଖା ଦେଉଛି । ଏହାକୁ ଏମିତି ଚାଲିବାକୁ ଦିଆଯିବ ନାହିଁ । ଲକରରେ ଲୋକେ କଣ ରଖୁଛନ୍ତି, ତାହା ଜାଣିନାହୁଁ କହି ବ୍ୟାଙ୍କ କର୍ତ୍ତୃପକ୍ଷ ନିଜ ଦାୟିତ୍ୱରୁ ଖସିବାକୁ ଚେଷ୍ଟା କରୁଛନ୍ତି। ହେଲେ ସେପରି ହୋଇ ପାରିବ ନାହିଁ ।

ବର୍ତ୍ତମାନର ଲକର ନିୟମ ଯଥେଷ୍ଟ ନୁହେଁ । ତେଣୁ ୬ ମାସରେ ରିଜର୍ଭ ବ୍ୟାଙ୍କ ନୂଆ ନିୟମ ପ୍ରସ୍ତୁତ କରନ୍ତୁ ଏବଂ ସାରା ଦେଶର ବ୍ୟାଙ୍କ ଏହି ନିୟମ ମାନିବେ ବୋଲି କହିଛନ୍ତି ସୁପ୍ରିମକୋର୍ଟ।

ଆରବିଆଇକୁ ନୂଆ ନିୟମ କରିବାକୁ କହି ସୁପ୍ରିମକୋର୍ଟ ଏହାର ଗାଇଡ୍ ଲାଇନ୍ ବି ଜାରି କରିଛନ୍ତି । ସେଗୁଡ଼ିକ ହେଲା-ଲକର ପରିଚାଳନା ନେଇ ଆରବିଆଇ ୬ ମାସ ଭିତରେ ନୂଆ ନିୟମ ପ୍ରସ୍ତୁତ କରିବ। ଲକର ଭାଙ୍ଗିବା ପୂର୍ବରୁ ବ୍ୟାଙ୍କ କର୍ତ୍ତୃପକ୍ଷ ନିଶ୍ଚିତ ଭାବେ ଗ୍ରାହକକୁ ଅବଗତ କରିବେ। ଲକରରେ ଥିବା ସାମଗ୍ରୀ ହଜିଲେ ବ୍ୟାଙ୍କକୁ ଦାୟୀ କରିବା ନେଇ ଆରବିଆଇ ନିୟମ କରିବ। ଲକରରେ କଣ ଅଛି ତାହା ଜାଣି ନାହିଁ କରି ବ୍ୟାଙ୍କ କର୍ତ୍ତୃପକ୍ଷ ନିଜ ଦାୟିତ୍ୱରୁ ଖସି ପାରିବେ ନାହିଁ। ଗ୍ରାହକମାନେ ଭରସା କରି ବ୍ୟାଙ୍କ ହେପାଜତରେ ନିଜ ସଂପତ୍ତି ରଖୁଥିବାରୁ ଗ୍ରାହକଙ୍କୁ ଏମିତି ଅସୁବିଧାରେ ଛାଡ଼ି ପାରିବେ ନାହିଁ ବ୍ୟାଙ୍କ।

ସୂଚନାଥାଉ କି, ଲକର ଦେୟ ପ୍ରଦାନ ନ କରିବା ଅଭିଯୋଗରେ କୋଲକାତାର ଏକ ବ୍ୟାଙ୍କ ସଂପୃକ୍ତ ଗ୍ରାହକଙ୍କୁ ନ ଜଣାଇ ଲକର୍ ଭାଙ୍ଗିଥିଲେ । ପରେ  ବ୍ୟକ୍ତିଜଣକ ଦେଖିଲେ ଯେ, ସେ ଯେତେ ଅଳଙ୍କାର ରଖିଥିଲେ, ସେଥିରୁ କମ୍ ଅଛି । ଏହାର ପ୍ରତିବାଦରେ ସେ ସୁପ୍ରିମକୋର୍ଟ ଯାଇଥିଲେ । ଏହାର ଶୁଣାଣି କରି ସୁପ୍ରିମକୋର୍ଟ  ବ୍ୟାଙ୍କକୁ ୫ ଲକ୍ଷ ଟଙ୍କାର ଜୋରିମାନା କରିବା ସହିତ ଲକର୍ ନେଇ ନୂଆ ନିୟମ କରିବାକୁ ଅନିର୍ଦ୍ଦେଶ ଦେଇଛନ୍ତି । ଦରକାର ହେଲେ ସଂପୃକ୍ତ ଅଧିକାରୀଙ୍କ ଦରମାରୁ ଏହି ଟଙ୍କା ଆଦାୟ କରାଯିବ ବୋଲି କହିଛନ୍ତି ।

You might also like