କୃଷକଙ୍କ ପ୍ରସ୍ତାବିତ ଟ୍ରାକ୍ଟର ରାଲି ସଂପର୍କରେ ରାୟ ଦେବାକୁ ମନାକଲେ ସୁପ୍ରିମକୋର୍ଟ

ଭୁବନେଶ୍ୱର:  ଜାନୁଆରୀ ୨୬ ସାଧାରଣତନ୍ତ୍ର ଦିବସରେ କୃଷକଙ୍କ ପ୍ରସ୍ତାବିତ ଟ୍ରାକ୍ଟର ରାଲି ସଂପର୍କରେ କୌଣସି ରାୟ ଦିଆଯିବ ନାହିଁ । ଏ ନେଇ ଉପଯୁକ୍ତ ନିଷ୍ପତ୍ତି ଓ ପଦକ୍ଷେପ ନେବା ଦିଲ୍ଲୀ ପୋଲିସର ଦାୟିତ୍ୱ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ଆନ୍ଦୋଳନରତ ଚାଷୀଙ୍କ ସହ ସରକାରଙ୍କ ଆଲୋଚନା ବିଫଳ ହେବା ପରେ ଜାନୁଆରି ୨୬ରେ ଦିଲ୍ଲୀ ଭିତରେ ଚାଷୀମାନେ ଟ୍ରାକ୍ଟର ରାଲି କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ତେବେ ଚାଷୀଙ୍କ ଟ୍ରାକ୍ଟର ରାଲି ବନ୍ଦ କରିବା ଦାବିରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା। କୋର୍ଟ ଏହାର ଶୁଣାଣି କରି କହିଛନ୍ତି ଯେ, ଦିଲ୍ଲୀରେ କୌଣସି ପ୍ରକାର ରାଲି ବା ଶୋଭାଯାତ୍ରାକୁ ଅନୁମତି ଦେବା ବା ନ ଦେବା କୋର୍ଟ ପାଇଁ ଅନୁପଯୁକ୍ତ କଥା। ଏନେଇ କେବଳ ଦିଲ୍ଲୀ ପୋଲିସ ହିଁ ନିଷ୍ପତ୍ତି ନେଇପାରିବ ବୋଲି କୋର୍ଟ କହିଛନ୍ତି।  ଏହାସହ ଆନ୍ଦୋଳନରତ ଚାଷୀ ଓ ସରକାରଙ୍କ ମଧ୍ୟରେ ଆଲୋଚନା କରି ସମାଧାନ ଲାଗି ଗଠିତ କମିଟିର ପୁନର୍ଗଠନ ଲାଗି କୋର୍ଟ ନୋଟିସ ଜାରି କରିଛନ୍ତି ।

ପୂର୍ବରୁ କୋର୍ଟ ୪ ଜଣିଆ କମିଟି ଗଠନ କରିଥିଲେ । ତେବେ କମିଟିର ସଦସ୍ୟ ପଦରୁ ଭୂପିନ୍ଦର ସିଂ ମାନ୍ ଓହରି ଯିବାରୁ ଆଉଥରେ କମିଟି ଗଠନ କରିବା ଲାଗି କୋର୍ଟ ଉଭୟ ସରକାର ଓ ଚାଷୀଙ୍କୁ ନୋଟିସ ଜାରି କରିଛନ୍ତି। କେବଳ ଏତିକି ନୁହେଁ, କୋର୍ଟଙ୍କ ଦ୍ୱାରା ଗଠିତ କମିଟିକୁ ସମାଲୋଚନା କରାଯାଉଥିବାରୁ ପ୍ରଧାନ ବିଚାରପତି ଏସ୍. ଏ. ବୋବଡ଼େ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।

ପ୍ରଧାନ ବିଚାରପତି ବୋବ୍‌ଡେ କହିଛନ୍ତି, କମିଟି ଚାଷୀଙ୍କ ସାମ୍ନାକୁ ଯିବାକୁ ଚାହୁଁ ନାହାନ୍ତି ଯଦି ନ ଯାଆନ୍ତୁ। ହେଲେ ତାଙ୍କର ଛବି ଖରାପ କରା ନ ଯାଉ। CJI ପୁଣି ଥରେ ସ୍ପଷ୍ଟ କରିଛନ୍ତି, କମିଟିର କୌଣସି ନିଷ୍ପତ୍ତି ନେବାର କ୍ଷମତା ନାହିଁ। ଏହାକୁ କେବଳ ରାୟ ଶୁଣାଇବା ପାଇଁ ଗଠନ କରାଯାଇଥିବା କହିଛନ୍ତି ସୁପ୍ରିମ କୋର୍ଟ।

ସେପଟେ ଆଜି ଆନ୍ଦୋଳନରତ ଚାଷୀନେତା ଓ ସରକାରଙ୍କ ମଧ୍ୟରେ ଆଲୋଚନା ଆରମ୍ଭ ହୋଇଛି।

You might also like