ସୁପ୍ରିମକୋର୍ଟର ୫୦ ପ୍ରତିଶତ କର୍ମଚାରୀ କରୋନା ପଜିଟିଭ

ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସ ସ୍ଥିତି ଦିନକୁ ଦିନ ଭୟଙ୍କର ରୂପ ନେଉଛି। ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ରେକର୍ଡ ଭାଙ୍ଗୁଛି। ଇତିମଧ୍ୟରେ ସୁପ୍ରିମ୍‌ କୋଟରୁ ଏକ ବଡ ଖବର ସାମ୍ନାକୁ ଆସିଛି। ମିଳିଥିବା ଖବର ଅନୁଯାୟୀ, ସୁପ୍ରିମକୋର୍ଟର ୫୦ ପ୍ରତିଶତ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଛନ୍ତି। ସଂକ୍ରମଣକୁ ରୋକିବା ପାଇଁ ସମସ୍ତ ଶୁଣାଣି ଭିଡିଓ କନ୍‌ଫରେନ୍ସି ଜରିଆରେ କରାଯିବ ବୋଲି କୁହାଯାଇଛି। ଏବେ ସମସ୍ତ ବିଚାରପତି ଘରେ କାମ କରୁଛନ୍ତି।

ଏତେ ସଂଖ୍ୟକ କରୋନା ପଜିଟିଭ ଚିହ୍ନଟ ହେବା ପରେ ସୁପ୍ରିମ କୋର୍ଟ ପରିସରକୁ ସାନିଟାଇଜ କରାଯାଇଛି। କୋର୍ଟ ରୁମ୍‌କୁ ମଧ୍ୟ ସାନିଟାଇଜ କରାଯାଉଛି। ମିଳିଥିବା ସୂଚନା ଅନୁସାରେ, କରୋନା ରୋଗୀ ଚିହ୍ନଟ ହେବା ପରେ ବିଭିନ୍ନ ପୀଠ ନିର୍ଦ୍ଧାରିତ ସମୟର ଏକ ଘଣ୍ଟା ବିଳମ୍ବରେ ବସିବେ ଏବଂ ଶୁଣାଣି କରିବେ। ଜଣେ ଜଜ୍‌ଙ୍କ କହିବା ଅନୁଯାୟୀ, ଆମର ଅଧିକାଂଶ ଷ୍ଟାଫ ଏବଂ କ୍ଲର୍କ କରୋନା ସଂକ୍ରମିତ ହୋଇଛନ୍ତି। କିଛି ବିଚାରପତି କରୋନା ସଂକ୍ରମିତ ହୋଇଥିଲେ। କିନ୍ତୁ ସେମାନେ ଏବେ ଠିକ୍‌ ହୋଇଗଲେଣି ବୋଲି ସେ କହିଛନ୍ତି।

ସୂଚନାଥାଉ କି, କରୋନା ଏବେ ଦେଶରେ ବିସ୍ଫୋରକ ରୂପ ନେଇଛି।  ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧ ଳକ୍ଷ  ୬୮ ହଜାର ୯୧୨ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୩୫ ଲକ୍ଷ ୨୭ ହଜାର ୭୧୭ରେ ପହଞ୍ଚିଛି। ସେହିପରି ୨୪ ଘଣ୍ଟାରେ  ମଧ୍ୟରେ ଦେଶରେ ୯୦୪ ଜଣ କରୋନାରେ ଆଖି ବୁଜିଛନ୍ତି । ଆଜିର ମୃତକଙ୍କ ସଂଖ୍ୟା ମିଶିଲେ ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା  ୧ ଲକ୍ଷ ୭୦ ହଜାର ୧୭୯କୁ ବୃଦ୍ଧି ପାଇଛି। ଦେଶରେ  ଆକ୍ଟିଭ କେସ୍- ୧୨,୦୧,୦୦୯ ଥିବାବେଳେ ସୁସ୍ଥ ହୋଇଛନ୍ତି  ୧,୨୧,୫୬,୫୨୯ ଜଣ।

ଅନ୍ୟପକ୍ଷେ ଦେଶରେ ଟିକାକରଣ କାର୍ଯ୍ୟକ୍ରମକୁ ମଧ୍ୟ ଜୋରଦାର କରାଯାଇଛି। ଦେଶରେ ଏବେ ସୁଦ୍ଧା ୧୦ କୋଟିରୁ ଅଧିକ ଲୋକ ଭାକ୍ସିନ ନେଇଥିବା ସୂଚନା ମିଳିଛି। ଅନ୍ୟ ଦେଶ ତୁଳନାରେ ଭାରତରେ ମାତ୍ର ୮୫ ଦିନ ମଧ୍ୟରେ ଏତେ ସଂଖ୍ୟକ ଲୋକଙ୍କୁ କରୋନା ଟିକା ଦିଆସରିଲାଣି। ଏହି ସମୟ ମଧ୍ୟରେ ଆମେରିକାରେ ୯.୨ କୋଟି ଏବଂ ଚୀନରେ ୬.୧୪ କୋଟି ଲୋକ ଭାକ୍ସିନ ନେଇଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ଏକ ବୟାନ ଅନୁସାରେ, କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଭାରତରେ ମୃତ୍ୟୁ ହାର ସବୁଠାରୁ କମ ରହିଛି। ଦେଶରେ ମୃତ୍ୟୁ ସହାର ୧.୨୮ ପ୍ରତିଶତ ରହିଛି।
ଏଠି କହିରଖିବୁ, ମହାରାଷ୍ଟ୍ର ପରେ ଦିଲ୍ଲୀରେ ସଂକ୍ରମଣ ବଢିବାରେ ଲାଗିଛି । ୨୪ ଘଣ୍ଟାରେ ୧୦ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜିଠାରୁ ଦିଲ୍ଲୀରେ କଟକଣା କଡାକଡି କରାଯିବ।  ଆଜି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛନ୍ତି । ଲକଡାଉନକୁ ବିରୋଧ କରୁଥିଲେ ବି ମୁଖ୍ୟମନ୍ତ୍ରୀ  ଦିଲ୍ଲୀରେ କଡା କଟକଣା ଲଗାଇବା ସମ୍ଭାବନା ରହିଛି। ସେପଟେ ମହାରାଷ୍ଟ୍ର ରାଜ୍ୟରେ ୨୪ ଘଣ୍ଟାରେ ୬୦ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
You might also like