କୋଭିଡ୍ ୧୯ ପରିସ୍ଥିତି ପାଇଁ ବଢ଼ିଲା JEE ମେନ୍ ଆବେଦନ ଅବଧି

ନୂଆଦିଲ୍ଲୀ: କୋଭିଡ୍ ୧୯ ପରିସ୍ଥିତି ପାଇଁ ବଢ଼ିଲା JEE ମେନ୍ ଆବେଦନ ଅବଧି। ମେ ୧୯ ଅର୍ଥାତ ଆଜିଠୁ ୨୪ ଯାଏଁ ଛାତ୍ରଛାତ୍ରୀମାନେ ଅନଲାଇନରେ ଜେଇଇ ମେନ୍ ୨୦୨୦ ଲାଗି ନୂତନ ଭାବେ ଆବେଦନ ଏବଂ ପୂର୍ବରୁ କରିଥିବା ଆବେଦନ ପକ୍ରିୟା ଶେଷ କରି ଦାଖଲ କରିପାରିବେ। ଏନେଇ ଏନଟିଏ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

jeemain.nta.nic.in ୱେବସାଇଟ ଜରିଆରେ ଆବେଦନ କରାଯାଇପାରିବ। ଆବେଦନର ଶେଷ ତାରିଖ ୨୪ ସଂଧ୍ୟା ୫ଟା ଏବଂ ସେହିଦିନ ୧୧ଟା ୫୦ ମଧ୍ୟରେ ଫି ଦାଖଲ କରିବା ଲାଗି ଶେଷ ସମୟ ରଖାଯାଇଛି।

ବିଦେଶରେ ଶିକ୍ଷାଲାଭ ପାଇଁ ଯୋଜନା କରିଥିବା ବହୁ ଛାତ୍ରଛାତ୍ରୀ ପରିବର୍ତ୍ତିତ ପରିସ୍ଥିତିରେ ଦେଶ ଭିତରେ ଅଧ୍ୟୟନ ପାଇଁ ଚାହୁଁଥିବା ଏବଂ ଜେଇଇ ମେନ୍ ପରୀକ୍ଷା ଦେବାକୁ ଆଗ୍ରହୀ ଥିବାରୁ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ବା NTA ଆଉ ଗୋଟିଏ ସୁଯୋଗ ଦେବାକୁ ନିଷ୍ପତ୍ତି ନେଇଛି।

ପୂର୍ବରୁ ଜେଇଇ ମେନ୍ ପାଇଁ ଆବେଦନ ପ୍ରକ୍ରିୟା ଶେଷ କରିନଥିଲେ ସେମାନଙ୍କ ପାଇଁ ଏହା ଏକ ସୁଯୋଗ ହୋଇ ପାରିବ ବୋଲି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି।

You might also like