ଟଏଲେଟ ଭିତରେ ୭ ଘଣ୍ଟା ରହିଲେ ବାଘ, କୁକୁର…ଆଉ ତା’ ପରେ

ବେଙ୍ଗାଲୁର: ଖାଦ୍ୟ-ଖାଦକ ପାଖାପାଖି। ଗୋଟିଏ ଘରେ । ବାହାରୁ କବାଟ ବନ୍ଦ। ହେଲେ ଆଶ୍ଚର୍ଯ୍ୟ କଥା, ଖାଇବା ତ ଦୂରର କଥା, କେହି କାହାକୁ ଚାହୁଁ ନଥାନ୍ତି କି ଛୁଉଁ ନଥାନ୍ତି। କଥାଟା ହୁଏତ ବିଶ୍ୱାସଯୋଗ୍ୟ ନୁହେଁ, କିନ୍ତୁ ସତ। ଏମିତି ଘଟଣା ଘଟିଛି ବେଙ୍ଗାଲୁରୁରେ। ଟଏଲେଟ ଭିତରେ ଥିଲେ ବାଘ ଆଉ କୁକୁର। ହେଲେ ବାଘ କୁକୁରକୁ ଚାହୁଁ ନ ଥିଲା । ଏପରିକି ବାଘକୁ ଦେଖିଲେ ଲାଗୁଥିଲା ଯେମିତି ତା ମନରେ ଖାଇବାର ଲାଳସା ନ ଥିଲା।

ବୁଧବାରର ଘଟଣା। କର୍ଣ୍ଣାଟକର ବିଲିନେଲେ ଗାଁରେ ଏକ ବୁଲା କୁକୁରକୁ ଗୋଡାଉ ଥିଲା କଲରାପତରିଆ ବାଘ। ବାଘଠୁ ବଞ୍ଚିବା ପାଇଁ ଜୀବନ ବିକଳରେ କୁକୁରଟି ଦୌଡ଼ୁଥିଲା। କୁକୁରଟି ଦୌଡ଼ି ଦୌଡ଼ି ଜଣକ ଟଏଲେଟ ଭିତରେ ପଶି ଯାଇଥିଲା। କୁକୁର ପଛେ ପଛେ ବାଘ ମଧ୍ୟ ଟଏଲେଟ ଭିତରେ ପଶିଗଲା।

ବାଘ ଆଉ କୁକୁର ଟଏଲେଟ ଭିତରେ ପଶି ଯିବା ପରେ ଘର ମାଲିକ ବାହାରପଟୁ କବାଟ ବନ୍ଦ କରି ଦେଇଥିଲେ। ପରେ ପୋଲିସ ଏବଂ ବନ ବିଭାଗକୁ ଖବର ଦେଇଥିଲେ। ଏହି ଖବର  ଚାହୁଁ ଚାହୁଁ ବ୍ୟାପିଗଲା। ଗ୍ରାମବାସୀ ଘଟଣାସ୍ଥଳରେ ରୁଣ୍ଡ ହୋଇଗଲେ। ଗ୍ରାମବାସୀ ଦେଖିଥିଲେ, ବାଘର ଲାଙ୍ଗୁଡ଼ ବାହାରକୁ ବାହାରିଛି।

କବାଟରେ ଥିବା ଏକ କଣାରୁ ଗ୍ରାମବାସୀ ଭିତରର ଫଟୋ ଉଠାଇବାକୁ ଚେଷ୍ଟା କରିଥିଲେ। ପରେ ବନ ବିଭାଗ ଓ ପୋଲିସ ମଧ୍ୟ ଭିତରର ଫଟୋ ଉଠାଇଥିଲେ। ଟଏଲେଟ ଛାତରେ ଏକ ଛୋଟ କଣା କରି ଫଟୋ ଏବଂ ଭିଡିଓ ନେଇଥିଲେ।  ଏହି ଭିଡିଓରେ ଦେଖିବାକୁ ମିଳିଥିଲା, ଟଏଲେଟ୍‌ର ଗୋଟିଏ କଣରେ ବାଘ ବସିଛି ଏବଂ ଆଉ ଗୋଟିଏ କଣରେ କୁକୁର। କେହି କାହା ପାଖକୁ ଯାଉ ନାହାନ୍ତି। ଏମିତି ଟଏଲେଟ ଭିତରେ ରହିଥିଲେ ଦୀର୍ଘ ୭ ଘଣ୍ଟା।

ଶେଷରେ ବନ ବିଭାଗ ଟ୍ରାଙ୍କୁଲାଇଜର ଦେଇ ବାଘକୁ ଜଙ୍ଗଲକୁ ଫେରାଇ ନେବାକୁ  ଚାହୁଁଥିଲେ। ଏଥିପାଇଁ ଏକ ଜାଲ ମଧ୍ୟ ଘେରାଇ ରଖିଥିଲେ। ହେଲେ ବାଘ ଜାଲ ଛିଣ୍ଡାଇ ପଳାଇ ଯିବାକୁ ସକ୍ଷମ ହୋଇଥିଲା।

ପରେ ବନ ବିଭାଗ କୁକୁରକୁ ଟଏଲେଟ ଭିତରୁ ସୁରକ୍ଷିତ ଉଦ୍ଧାର କରିଥିଲା। ଏହାର ଭିଡଓ ଭାଇରାଲ ହୋଇଛି।

 

ପଢନ୍ତୁ: ସତରେ କଣ ପୃଥିବୀ ପୃଷ୍ଠକୁ ଆସିଛନ୍ତି ଏଲିଏନ?

You might also like